ବେଙ୍ଗାଲୁରୁ: ବିଶ୍ବକପ୍‌ର ବର୍ଷା ପ୍ରଭାବିତ ୩୫ତମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ଶନିବାର ୨୧ ରନ୍‌ରେ (ଡି/ଏଲ୍‌) ପରାସ୍ତ କରିଛି ପାକିସ୍ତାନ। ଫଳରେ ନିଜ ସେମିଫାଇନାଲ୍ ଆଶା ଉଜ୍ଜୀବିତ ରଖିଛି। ଉଭୟ ଦଳ ଏବେ ୮ଟି ଲେଖାଏଁ ମ୍ୟାଚ୍‌ରୁ ୮ ପଏଣ୍ଟ୍‌ ପାଇଛନ୍ତି। ତେବେ ଉନ୍ନତ ରନ୍ ହାର ପାଇଁ ନ୍ୟୁଜିଲାଣ୍ଡ ଚତୁର୍ଥ ସ୍ଥାନରେ ଥିଲା ବେଳେ ପାକିସ୍ତାନ ପଞ୍ଚମ ସ୍ଥାନରେ ରହିଛି। ସେଥିପାଇଁ ଉଭୟ ନ୍ୟୁଜିଲାଣ୍ଡ ଓ ପାକିସ୍ତାନର ଶେଷ ମ୍ୟାଚ୍‌ ଗୁରୁତ୍ବ ଢେର ବଢ଼ିଯାଇଛି। ନ୍ୟୁଜିଲାଣ୍ଡ ତା’ର ଅନ୍ତିମ ଲିଗ୍ ମ୍ୟାଚ୍‌ରେ ୯ ତାରିଖରେ ଶ୍ରୀଲଙ୍କାକୁ ଓ ପାକିସ୍ତାନ ୧୧ ତାରିଖରେ ଇଂଲଣ୍ଡ ବିପକ୍ଷରେ ନିଜ ଶେଷ ଲିଗ୍ ମ୍ୟାଚ୍ ଖେଳିବ। ସେପଟେ ଗୋଟିଏ ମ୍ୟାଚ୍ କମ୍ ଖେଳି ଥିବାରୁ ସେହି ୮ ପଏଣ୍ଟ୍‌ରେ ଥିବା ଆଫଗାନିସ୍ତାନ ମଧ୍ୟ ସେମିଫାଇନାଲ୍ ଟିକେଟ ହାସଲ କରିବାର ଅନ୍ୟତମ ଦାବିଦାର। ଛକା, ଚୌକା ବର୍ଷା ଭିତରେ ନ୍ୟୁଜିଲାଣ୍ଡ ଆଜି ପାକିସ୍ତାନକୁ ୪୦୨ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲା। ଜବାବରେ ମାତ୍ର ୬ ରନ୍‌ରେ ଅବଦୁଲା ସଫିକଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା ପାକିସ୍ତାନ। ତେବେ ଅନ୍ୟତମ ପ୍ରାରମ୍ଭିକ ତାରକା ଫକର ଜମନ (୧୨୬*) ଧମାକାଦାର ବ୍ୟାଟିଂ କରି ନିଜ ଦଳର ପଶ୍ଚାତଧାବନକୁ ଦିଗ ହରାଇବାକୁ ଦେଇ ନଥିଲେ।

Advertisment

ସବୁ ନ୍ୟୁଜିଲାଣ୍ଡ ବୋଲରଙ୍କୁ ନିର୍ଧୂମ ଧୂଲେଇ କରିଥିଲେ ସେ। ଏପରିକି ଅଧିନାୟକ ବାବର ଆଜମ (୬୬*)ଙ୍କ ସହ ମିଶି ଅବିଭାଜିତ ଦ୍ବିତୀୟ ୱି‌କେଟ୍‌ରେ କେବଳ ୧୯୬ ରନ୍ ଯୋଡ଼ି ନଥିଲେ ବରଂ ରନ୍ ହାରକୁ ନ୍ୟୁଜିଲାଣ୍ଡ ଉପରେ ରଖିଥିଲେ। ବେଙ୍ଗାଲୁରୁର ଛୋଟ ସୀମା ରେଖା ଓ ବ୍ୟାଟିଂ ଉପଯୋଗୀ ପିଚ୍‌ରେ ସେ ଏକୁଟିଆ ୧୧ଟି ବିଶାଳ ଛକା ମାରିଥିଲେ। ତେବେ ପାକିସ୍ତାନ ୨୧.୩ ଓଭରରେ ଗୋଟିଏ ୱିକେଟ୍ ବିନିମୟରେ ୧୬୦ ରନ୍ କରିଥିଲା ବେଳେ ଅପ୍ରତ୍ୟାଶିତ ଭାବେ ବର୍ଷା ହୋଇଥିଲା। ପାଖାପାଖି ଘଣ୍ଟାଏ ପରେ ବର୍ଷା ଛାଡ଼ିଥିଲା। ପାକିସ୍ତାନକୁ ଡି/ଏଲ୍‌ରେ ୪୧ ଓଭରରେ ୩୪୨ ରନ୍‌ର ପୁନଃନିର୍ଦ୍ଧାରିତ ବିଜୟ ଲକ୍ଷ୍ୟ ମିଳିଥିଲା। ହେଲେ ଏହାର ଠିକ୍ ୪ ଓଭର ପରେ ପୁଣି ଥରେ ବର୍ଷା ଆରମ୍ଭ ହୋଇ ଆଉ ଛାଡ଼ି ନଥିଲା। ସେତେବେଳକୁ ପାକିସ୍ତାନ ସେହି ଗୋଟିଏ ୱିକେଟ୍ ବିନିମୟରେ ୨୦୦ ରନ୍ (୨୫.୩ ଓଭର) କରି ଡି/ଏଲ୍ ପାର୍ ସ୍କୋର ୧୮୦ଠାରୁ ୨୧ ରନ୍‌ରେ ଆଗୁଆ ରହିଥିଲ। ଖେଳ ଆଉ ସମ୍ଭବ ନ ହେବାରୁ ସେହି ବ୍ୟବଧାନରେ ହିଁ ପାକିସ୍ତାନ ବିଜୟୀ ଘୋଷିତ ହେବା ସହ ସେମିଫାଇନାଲ୍ ଦୌଡ଼ରୁ ବାଦ ପଡ଼ିବାରୁ ବର୍ତ୍ତି ଯାଇଥିଲା। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଲଗାତାର ଚତୁର୍ଥ ପରାଜୟ ବରଣ କରିଥିଲା। ଫକର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।

ନିୟମିତ ଅଧିନାୟକ କେନ୍ ୱିଲିୟମସନ୍‌ଙ୍କ ପ୍ରତ୍ୟାବର୍ତ୍ତନ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିଲା। ପ୍ରାରମ୍ଭିକ ବ୍ୟାଟର୍ ଡେଭନ୍ କନୱେ ପ୍ରଥମ ୱିକେଟ୍ ଭାବେ ୩୫ ରନ୍‌ରେ ଆଉଟ୍ ହୋଇଥିଲେ। ତେବେ ୱିଲିୟମସନ୍ ଏବଂ ଭାରତୀୟ ବଂଶୋଦ୍ଭବ ରାଚିନ ରବୀନ୍ଦ୍ର ଧୂଆଁଧାର ବ୍ୟାଟିଂ କରି ଦ୍ବିତୀୟ ୱିକେଟ୍‌ରେ ୧୮୦ ରନ୍ ଯୋଡ଼ିଥିଲେ। ୱିଲିୟମସନ୍ ୯୫ ରନ୍‌ରେ ଆଉଟ୍ ହୋଇ ମାତ୍ର ୫ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ତେବେ ରବୀନ୍ଦ୍ର ପ୍ରଭାବଶାଳୀ କ୍ରିକେଟ୍ ‌ଖେଳି ଚଳିତ ବିଶ୍ବକପ୍‌ରେ ତୃତୀୟ ଶତକ ହାସଲ କରିଥିଲେ। ପରେ ମାର୍କ ଚାପମ୍ୟାନଙ୍କ ୩୯, ଗ୍ଲେନ୍ ଫିଲିପସ୍‌ଙ୍କ ୪୧ ଏବଂ ମିଚେଲ ସାଣ୍ଟନର୍‌ଙ୍କ ଦ୍ରୁତ ୨୬* ରନ୍ କରିବାରୁ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୪୦୧ ରନ୍ କରିଥିଲା। ଦିନିକିଆ କ୍ରିକେଟ୍‌ରେ ମଧ୍ୟ କିୱି ଦଳ ପ୍ରଥମ ଥର ଲାଗି ୪୦୦ରୁ ଅଧିକ ରନ୍ ଟପିବାର କୀର୍ତ୍ତିମାନ କରିଥିଲା।

ସଂକ୍ଷିପ୍ତ ସ୍କୋର: ନ୍ୟୁଜିଲାଣ୍ଡ ୫୦ ଓଭରରେ ୪୦୧/୬ (ରାଚିନ ରବୀନ୍ଦ୍ର ୧୦୮, କେନ୍ ୱିଲିୟମସନ୍ ୯୫, ଗ୍ଲେନ୍ ଫିଲିପ୍ସ ୪୧, ମହମ୍ମଦ ୱାସିମ ୩/୬୦)। ପାକିସ୍ତାନ ୨୫.୩ ଓଭର ୨୦୦/୧ (ଡି/ଏଲ୍ ଲକ୍ଷ୍ୟ ୧୮୦, ଫକର ଜମନ ୧୨୬*, ବାବର ଆଜମ ୬୬, ଟିମ୍ ସାଉଦି ୧/୨୭)।