ନୂଆଦିଲ୍ଲୀ : ଯେତେବେଳେ ବିସିସିଆଇ ଅଧିକାରୀମାନେ ଆଶାୟୀ ଜାତୀୟ ଚୟନ କମିଟି ସଦସ୍ୟ ପଦ ପାଇଁ ଆସିଥିବା ଆବେଦନଗୁଡ଼ିକୁ ଖୋଲିବା ଆରମ୍ଭ କଲେ ସେମାନେ ଚକିତ ହୋଇଯାଇଥିଲେ । କାରଣ ମେଲବକ୍ସରେ ଆସିଥିଲା ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନି (ଏମଏସ ଧୋନି) ଏବଂ ବୀରେନ୍ଦ୍ର ସେହୱାଗଙ୍କ ନାମରେ ଆବେଦନ । କେବଳ ଏତିକି ନୁହେଁ, ପାକିସ୍ତାନ ଅଧିନାୟକ ଇଞ୍ଜାମାମ ଉଲ ହକ ମଧ୍ୟ ଏହି ପଦବୀ ପାଇଁ ନିଜର ପ୍ରାର୍ଥୀତ୍ୱ ଉପସ୍ଥାପନ କରିଥିଲେ । କିନ୍ତୁ ଯାଞ୍ଚରୁ ଜଣାପଡ଼ିଥିଲା ଯେ ସେସବୁ ଆବେଦନଗୁଡ଼ିକ ଜାଲ ଥିଲା । ଉପରୋକ୍ତ ମହାନ ଖେଳାଳିମାନେ ଏଥିପାଇଁ କୌଣସି ଆବଦେନ ପଠାଇନଥିଲେ ।

Advertisment

କେତେକ ଠକ ମଜା କରିବାକୁ ଏପରି ମେଲ ପଠାଇଥିବା ଅନୁମାନ କରାଯାଉଛି । ସେମାନେ ତେନ୍ଦୁଲକର, ଧୋନି, ସେହୱାଗ ଏବଂ ଇଞ୍ଜାମାମଙ୍କ ନାମରେ "ନକଲି ଆଇଡି" ଖୋଲି ମେଲ ପଠାଯାଇଥିବା କୁହାଯାଉଛି ।

ବିସିସିଆଇ ପାଞ୍ଚ ଜଣିଆ ଚୟନ ପ୍ୟାନେଲ ପାଇଁ ୬୦୦ରୁ ଅଧିକ ଇମେଲ ଆବେଦନ ଗ୍ରହଣ କରିଛି ।  ବିଶ୍ବକପ ପରାଜୟ ପରେ ବିସିସିଆଇ ପକ୍ଷରୁ ପୂର୍ବରୁ ଥିବା ଚୟନ କମିଟିକୁ ଭାଙ୍ଗି ଦିଆଯାଇଥିଲା । ତାପରେ ଏକ କ୍ରିକେଟ ପରାମର୍ଶଦାତା କମିଟି ଗଠନ କରାଯାଇଥିଲା । ଏହି କମିଟି ଏବେ ନୂଆ ଚୟନ କମିଟି ଗଠନ ପାଇଁ ଆବେଦନ ଆହ୍ବାନ କରିଛି ।