ନୂଆଦିଲ୍ଳୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଲୋକପ୍ରିୟତା ସାରା ବିଶ୍ୱରେ ବ୍ୟାପିଛି। କିନ୍ତୁ ଯଦି ଆଇପିଏଲ୍‌ ଟିମ୍‌ ‘ଚେନ୍ନାଇ ସୁପର୍‌ କିଙ୍ଗ୍‌ସ (ସିଏସ୍‌କେ)’ର କଥା ପଡ଼େ ତ ଧୋନି ତାହାକୁ ଭିନ୍ନ ଏକ ସ୍ତରରେ ନେଇ ପହଞ୍ଚାଇଛନ୍ତି। ନିକଟରେ କ୍ରିକେଟର୍‌ ‘ଧୋନି ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡ୍‘ ନାମକ ଏକ ପ୍ରଡକ୍ସନ୍ କମ୍ପାନି ଆରମ୍ଭ କରିଛନ୍ତି। ସେ ତାଙ୍କର ପ୍ରଥମ ତାମିଲ୍‌ ଫିଲ୍ମ ‘ଏଲ୍‌ଜିଏମ୍‌’ ଲଞ୍ଚ୍‌ ଅବସରରେ ପତ୍ନୀ ସାକ୍ଷୀଙ୍କ ସହ ଚେନ୍ନାଇ ଯାଇଥିବା ବେଳେ ତାଙ୍କୁ ବିମାନ ବନ୍ଦରରେ ପ୍ରଶଂସକ ଘେରି ଯାଇଥିଲେ।

Advertisment

ଇନଷ୍ଟାଗ୍ରାମରେ ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ ଜଣେ ପ୍ରଶଂସକ ଧୋନିଙ୍କୁ ତାଙ୍କ ଆଣ୍ଠୁରେ ଆଘାତ ବିଷୟରେ ପଚାରିଥିବାର ଶୁଣିବାକୁ ମିଳିଛି। ଆପଣ ଜାଣନ୍ତି ଯେ କିଛି ଦିନ ତଳେ ଧୋନିଙ୍କ ଆଣ୍ଠୁରେ ଆଘାତ ଲାଗିଥିବାରୁ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ତେବେ ପ୍ରଶଂସକମାନେ ତାଙ୍କୁ ସାମ୍ନାରେ ପାଇ ‘ମାହି ଭାଇ ଆଣ୍ଠୁ କେମିତି ଅଛି?’ ବୋଲି ପ୍ରଶ୍ନ କରିଥି‌ଲେ। ଯାହାର ଉତ୍ତରରେ ଧୋନି କିଛି ନକହି ଏକ ହସ ସହ ହାତ ହଲାଇ ‘ଠିକ ଅଛି’ ବୋଲି ଇଶାରା କରିଥିଲେ।

ଭାରତର ପୂର୍ବତନ ଅଧିନାୟକ ନିକଟରେ ତାଙ୍କର ୪୨ ତମ ଜନ୍ମଦିନ ପାଳନ କରିଛନ୍ତି, କ୍ୟାପଟେନ୍ କୁଲଙ୍କ ପାଇଁ ଶୁଭେଚ୍ଛା ପୋଷ୍ଟରେ ପୂରା ସୋସିଆଲ୍ ମିଡିଆରେ ଭରି ଯାଇଥିଲା। କେବଳ ପ୍ରଶଂସକ ନୁହନ୍ତି, ଅନେକ ପୂର୍ବତନ ତଥା ବର୍ତ୍ତମାନର କ୍ରିକେଟର ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଧୋନି ୨୦୦୪ ମସିହାରେ ଆନ୍ତର୍ଜାତୀୟସ୍ତରରେ କ୍ରିକେଟ୍‌ ଡେବ୍ୟୁ କରିଥିଲେ। ତା’ପରେ ଭାରତୀୟ ଟିମ୍‌ ପାଇଁ ସେ ଜଣେ ଆଶୀର୍ବାଦ ପାଲଟି ଯାଇଥିଲେ।