‘ଫନି’ରେ ବାରବାଟୀ ବିଧ୍ବସ୍ତ

କଟକ: ‘ଫନି’ ପ୍ରଭାବରେ ଛାରଖାର ହୋଇଯାଇଥିବା ବାରବାଟୀ ଷ୍ଟାଡିୟମ ପୁଣି ଥରେ ନିଜ ଗୋଡ଼ରେ ଠିଆ ହେବାକୁ ଅନେକ ଦିନ ଲାଗିଯିବ। ହେଲେ ମରାମତି ପାଇଁ ଟଙ୍କା କେଉଁଆଡୁ ଆସିବ ତାହା ଏବେ ମୁଖ୍ୟ ସମସ୍ୟା ପାଲଟିଛି। ପାଖାପାଖି ୧୫ କୋଟି ଟଙ୍କାର କ୍ଷତି ହୋଇଥିବା ଅନୁମାନ କରାଯାଉଥିଲେ ବି ବାସ୍ତବ ଆକଳନ ପରେ କ୍ଷତିର ପରିମାଣ ଅଧିକ ହୋଇପାରେ ବୋଲି କୁହାଯାଉଛି। ହେଲେ ଅଲିମ୍ପିକ ସ˚ଘ ନା ଓଡ଼ିଶା କ୍ରିକେଟ ସ˚ଘ (ଓସିଏ) କିଏ ଏଥିପାଇଁ ଖର୍ଚ୍ଚ କରିବ, ତାହା ଏବେ ପ୍ରସଙ୍ଗ ହୋଇଛି। ବାରବାଟୀ ଷ୍ଟାଡିୟମର ମାଲିକାନା ଏବେ ଅଲିମ୍ପିକ ସ˚ଘ ହାତରେ ରହିଛି। ହେଲେ ଷ୍ଟାଡିୟମକୁ ଓସିଏ ଲିଜ୍‌ରେ ନେଇଛି। ପଡ଼ିଆ ନବୀକରଣ, ଫ୍ଲଡ୍‌ ଲାଇଟ୍‌, ଗ୍ୟାଲେରି ଇତ୍ୟାଦି ନିର୍ମାଣ ଓସିଏ ଖର୍ଚ୍ଚରେ ହୋଇଛି। ତେଣୁ ଏବେ ଯାହା ବି କ୍ଷୟକ୍ଷତି ହୋଇଛି ତାହାକୁ ଓସିଏ ମରାମତି କରିବ ବୋଲି କୁହାଯାଉଛି। ଏଥିପାଇଁ ସ୍ବତନ୍ତ୍ର ଅନୁଦାନ ଯୋଗାଇଦେବାକୁ ବିସିସିଆଇ ଓ ଆମିକସ୍‌ କ୍ୟୁରିଙ୍କୁ ଅନୁରୋଧ କରାଯିବ ବୋଲି ଓସିଏ ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇ ସୂଚନା ଦେଇଛନ୍ତି।
ବାରବାଟୀ ଷ୍ଟାଡିୟମର ଯେଉଁ କ୍ଷତି ହୋଇଛି ତାହାକୁ ଭରଣା କରିବା ପାଇଁ ଓସିଏ ପାଖରେ ପାଣ୍ଠିର ଅଭାବ ରହିଛି। ଯେହେତୁ ଓସିଏ ନିର୍ବାଚନ ହୋଇନାହିଁ, ବିସିସିଆଇ ଅନୁଦାନ ମିଳିପାରୁନାହିଁ। ତେଣୁ ନିର୍ବାଚନ ପର୍ଯ୍ୟନ୍ତ ମରାମତି କାର୍ଯ୍ୟ ଆରମ୍ଭ ପାଇଁ ଓସିଏ ସ୍ବତନ୍ତ୍ର ଅନୁଦାନ ପାଇଁ ଆବେଦନ କରିବ। ଷ୍ଟାଡିୟମର ପରିସ୍ଥିତି ବାବଦରେ ବିସିସିଆଇକୁ ଅବଗତ କରାଯାଇଛି। ଯେ ପର୍ଯ୍ୟନ୍ତ ମରାମତି ହୋଇନାହିଁ ଏଠାରେ କୌଣସି ଘରୋଇ କିମ୍ବା ଆନ୍ତର୍ଜାତିକ ମ୍ୟାଚ୍‌ ଆୟୋଜନ କରିବା ଅସମ୍ଭବ। ପ୍ରେସ୍‌ବକ୍ସ, ଉପର ପ୍ରେସ୍‌ବକ୍ସ, ନିଉ ପାଭିଲିଅନ୍‌ ଶୋଚନୀୟ ଅବସ୍ଥା ହୋଇପଡ଼ିଛି। କନ୍‌ଫରେନ୍ସ ହଲ୍‌ ଉପରୁ ଏସି ଆଉଟଡୋର ୟୁନିଟ୍‌ଗୁଡ଼ିକ ଉଡ଼ିଯାଇଥିଲା ବେଳେ ୫ ନମ୍ବର ଗ୍ୟାଲେରି ଆଜବେଷ୍ଟସ ଅନେକ ସ୍ଥାନରୁ ଉଡ଼ିଯାଇଛି। ପାଖାପାଖି ୧୦୦ ଫ୍ଲଡ୍‌ ଲାଇଟ୍‌ ଖୁଣ୍ଟରୁ ଖସିପଡ଼ିଛି। ଏଭଳି କ୍ଷତିକୁ ପୂରଣ କରିବାରେ ଓସିଏ ଅସହାୟତା ପ୍ରକାଶ କଲାଣି। ତେଣୁ ବିସିସିଆଇଠୁ ସ୍ବତନ୍ତ୍ର ଅନୁଦାନ ମିଳିଲେ କିଛିଟା ମରାମତି ସମ୍ଭବ ହୋଇପାରିବ। ଫ୍ଲଡ୍‌ ଲାଇଟକୁ ସ˚ପୂର୍ଣ୍ଣ ରୂପେ ବଦଳାଇବାକୁ ହେବ। ଏଥିପାଇଁ ପାଖାପାଖି ୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଉଛି। ଏହା ବ୍ୟତୀତ ପ୍ରେସ୍‌ ବକ୍ସକୁ ମଧ୍ୟ ନୂଆ ଭାବେ ଗଢ଼ିବାକୁ ହେବ। ଏସିଗୁଡ଼ିକ ନଷ୍ଟ ହୋଇଯାଇଥିବାରୁ ଅନେକ ସ୍ଥାନରେ ନୂଆ ଏସି ଲଗାଯିବ। କାଚ, ରେଲି˚ ଇତ୍ୟାଦି ବଦଳାଇବାରେ ମଧ୍ୟ ଖର୍ଚ୍ଚ ବଢ଼ିବ। ଏହାବ୍ୟତୀତ ସଚିନ ତେନ୍ଦୁଲକର ଇଣ୍ତୋର ହଲ୍‌, ଓସିଏ କ୍ଲବ୍‌ ମଧ୍ୟ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି।
କେବଳ ଏତିକି ନୁହେଁ, ବାତ୍ୟା ଯୋଗୁଁ ଓସିଏ କାର୍ଯ୍ୟାଳୟ ଖୋଲାଯାଇପାରିନଥିଲା ବେଳେ ବୁଧବାର ଡିଜି ସେଟ୍‌ ଭରସାରେ ଯେନତେନ ପ୍ରକାରେ କାମ ଆରମ୍ଭ ହୋଇଛି। ଫୋନ୍‌ ଓ ଇଣ୍ଟରନେଟ୍‌ ବାଧାପ୍ରାପ୍ତ ହୋଇଥିବାରୁ କର୍ମଚାରୀଙ୍କ ଦରମା ବିବରଣୀ ପଠାଇବା ବେଳକୁ ସ˚ଧୢା ହୋଇଗଲା। ଡିଜି ଚଲାଇବା ପାଇଁ ଡିଜେଲ୍‌ କିଣିବାକୁ ଟଙ୍କାର ଅଭାବ ରହୁଛି। ଯାହା କିଛି ନଗଦ ଟଙ୍କା ରହିଛି, ସେଥିରେ ବିଦ୍ୟୁତ ସ˚ଯୋଗ ନଆସିବା ପର୍ଯ୍ୟନ୍ତ ଅନ୍ୟୁନ ଦୁଇ ତିନିଦିନ କାର୍ଯ୍ୟାଳୟ ଚାଲିପାରିବ। ଏହାପରେ କେମିତି କାର୍ଯ୍ୟାଳୟ ଚାଲିବ ତାହାକୁ ନେଇ କର୍ମଚାରୀମାନେ ଚିନ୍ତାରେ। ତେଣୁ ସ୍ବତନ୍ତ୍ର ଅନୁଦାନ ମିଳିଲେ ଏହି ସମସ୍ୟାରୁ କିଛିଟା ମୁକ୍ତି ମିଳିପାରିବ ବୋଲି ଶ୍ରୀ ପଲେଇ କହିଛନ୍ତି।

ସମ୍ବନ୍ଧିତ ଖବର