ମୁମ୍ବାଇ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତିବା ପରେ ଗୁରୁବାର ଘରକୁ ବାହୁଡ଼ିଥିଲା ଭାରତୀୟ ଦଳ। ୧୧ ବର୍ଷ ପରେ ଆଇସିସି ଟ୍ରଫି ମରୁଡ଼ିର ଅନ୍ତ ଘଟାଇଥିଲା ବେଳେ ୧୭ ବର୍ଷ ପରେ ଦ୍ବିତୀୟ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଟ୍ରଫି ସହ ରୋହିତ ଶର୍ମାଙ୍କ ଦଳ ସ୍ବଦେଶ ଫେରିଥିଲା। ଦିଲ୍ଲୀରେ ପହଞ୍ଚିବା ପରେ ‌ସମସ୍ତଙ୍କୁ ଭବ୍ୟ ସ୍ବାଗତ ଜଣାଯିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସକ୍ଷାତ ଆଲୋଚନା କରିଥିଲେ ଭାରତୀୟ ଖେଳାଳିମାନେ। ପରେ ସନ୍ଧ୍ୟା ବେଳେ ମୁମ୍ବାଇର ମେରାଇନ୍‌ ଡ୍ରାଇଭ୍‌ ଓ ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଭାରତୀୟ ଖେଳାଳିମାନେ ବିଜୟ ଉତ୍ସବ ପାଳିଥିଲେ।

Advertisment

ହେଲେ ଏହି ଉତ୍ସବ ସମୟରେ ଅନେକ ଲୋକ ଅଣନିଶ୍ବାସୀ ହୋଇଯାଇଥିଲେ ବୋଲି ଜଣାପଡ଼ିଛି। ରବି ସୋଲାଙ୍କି ନାମକ ଜଣେ ଯୁବକ କହିଛନ୍ତି ଯେ, “ମୁଁ ଅଫିସରୁ ଆସୁଥିଲି ଏବଂ ଜାଣିବାକୁ ପାଇଲି ଯେ ଭାରତୀୟ ଦଳ ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ଏଠାରେ ପହଞ୍ଚିବେ। ଏହା ଜାଣିବା ପରେ ଭିଡ଼ ବଢ଼ିବାକୁ ଲାଗିଥିବା ଦେଖିଲି। ହେଲେ ଭିଡ଼କୁ ଦେଖି ପୁଲିସ କିଛି ବି କରୁନଥିଲା। ଭିଡ଼ ବଢ଼ିବା ସହ ସଠିକ୍ ପରିଚାଳନା ନଥିବାରୁ ଲୋକମାନେ ହଠାତ୍ ପାଟି କରିବାକୁ ଲାଗିଲେ ଏବଂ କିଛି ଲୋକ ପରସ୍ପର ଉପରେ ଅଚେତ ହୋଇ ପଡ଼ିବାକୁ ଲାଗିଲେ।"

ଉଲ୍ଲେଖଯୋଗ୍ୟ, ଗୁରୁବାର ସନ୍ଧ୍ୟାରେ ଭାରତୀୟ ଟିମ୍ ଖୋଲା ବସ୍‌ରେ ରୋଡ୍‌ ସୋ’ କରିଥିଲେ। ଏହା ୨୦୦୭ର ବିଶ୍ବ ବିଜୟୀ ମୁହୂର୍ତ୍ତକୁ ମନେପକାଇ‌ ଦେଇଥିଲା। ଖେଳାଳିମାନଙ୍କୁ ମଧ୍ୟ ବଧେଇ ଜଣାଇବାକୁ ସ୍ବପ୍ନର ସହର ମୁମ୍ବାଇର ରାସ୍ତା ଜନସମୁଦ୍ରରେ ପରିଣତ ହୋଇଯାଇଥିଲା। ପାଖାପାଖି ୭ଲକ୍ଷରୁ ଅଧିକ ପ୍ରଶଂସକ ଏହି ପରେଡ୍‌ରେ ଯୋଗଦେବା ପରେ ଭାରତୀୟ କ୍ରିକେଟ୍ ଇତିହାସରେ ନିଆରା ଓ ଅନନ୍ୟ ଫର୍ଦ୍ଦ ଯୋଡ଼ି ହୋଇଥିଲା। ପରେ ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଖେଳାଳିମାନେ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଥିବା ହଜାର ହଜାର ଦର୍ଶକଙ୍କ ଗହଣରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।