ନୂଆଦିଲ୍ଲୀ: ବାର ବର୍ଷର ବନବାସ ପରେ ଘରୋଇ କ୍ରିକେଟ୍କୁ ଫେରିଥିବା କିଂବଦନ୍ତି କ୍ରିକେଟର୍ ବିରାଟ କୋହଲିଙ୍କୁ ଦେଖିବା ଲାଗି ଦର୍ଶକ ଗୁରୁବାର ଏକପ୍ରକାର ପାଗଳ ହୋଇଯାଇଥିଲେ। ରେଳବାଇ ବିପକ୍ଷ ରଣଜୀ ମ୍ୟାଚ୍ ଖେଳିବାକୁ କୋହଲି ପଡ଼ିଆକୁ ଓହ୍ଲାଇବା ଜାଣି ଗୁରୁବାର ସକାଳୁ ସ୍ଥାନୀୟ ଅରୁଣ ଜେଟ୍ଲି ଷ୍ଟାଡିୟମ୍ ବାହାରେ ସମର୍ଥକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଏଣୁ ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ) ସେମାନଙ୍କ ପାଇଁ ଗୌତମ ଗମ୍ଭୀର ଷ୍ଟାଣ୍ଡକୁ ଖୋଲି ଦେଇଥିଲା। ଆଶ୍ଚର୍ଯ୍ୟଜନକ ଭାବେ ମାତ୍ର କିଛି ସମୟ ଭିତରେ ଉକ୍ତ ଷ୍ଟାଣ୍ଡ୍ରେ ପାଖାପାଖି ୧୫,୦୦୦ରୁ ଅଧିକ ଦର୍ଶକ ଏକାଠି ହୋଇଯାଇଥିଲେ। କୋହଲିଙ୍କ ଟିକିଏ ଝଲକ ପାଇଁ ଯିଏ ଯେଉଁଠି ସ୍ଥାନ ପାଇଲା ସେଠି ଛିଡ଼ା ହୋଇଯାଇଥିଲେ। ପୁଣି କୋହଲି.... କୋହଲି.. ରଡ଼ିରେ ପୂରା ଷ୍ଟାଡିୟମ୍ କମ୍ପି ଉଠିଥିଲା। ଏପରିକି ରେଳବାଇ ପାଳିର ଦ୍ବାଦଶ ଓଭର ଅବସରରେ ଜଣେ ଉତ୍ସାହୀ ପ୍ରଶଂସକ ଷ୍ଟାଡିୟମ୍ର ତ୍ରିସ୍ତରୀୟ ସୁରକ୍ଷା ଘେରା ଭାଙ୍ଗି ପଡ଼ିଆ ଭିତରକୁ ହଠାତ୍ ପଶି ଯାଇଥିଲେ। କୋହଲିଙ୍କ ପାଖକୁ ଯାଇ ତାଙ୍କୁ ମୁଣ୍ଡିଆ ମାରିଥିଲେ। ସୁରକ୍ଷାକର୍ମୀ ଅବଶ୍ୟ ତାଙ୍କୁ ତୁରନ୍ତ କାବୁ କରି ପଡ଼ିଆ ବାହାରକୁ ନେଇ ଯାଇଥିଲେ। ତେବେ ପ୍ରଶଂସକଙ୍କ ଏଭଳି ଉତ୍ସାହ ଦିଲ୍ଲୀ ସହ ପ୍ରତିପକ୍ଷ ରେଳବାଇ ଖେଳାଳି ଓ ଖୋଦ୍ କୋହଲିଙ୍କୁ ଚକିତ କରିଥିଲା। ହେଲେ ଦିଲ୍ଲୀ ଟସ୍ ଜିତି ରେଳବାଇକୁ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିବା ପରେ କିଛି ପ୍ରଶଂସକ କୋହଲିଙ୍କ ବ୍ୟାଟିଂ ଦେଖି ନପାରି ନିରାଶ ହୋଇଥିଲେ। ତଥାପି ମାତ୍ରାଧିକ ଦର୍ଶକ ଆସିବା ଦେଖି ଡିଡିସିଏ ଅଧିକାରୀମାନେ ଷ୍ଟାଣ୍ଡ୍ର ଆଉ କିଛି ଅଞ୍ଚଳ ଖୋଲିବାକୁ ବାଧ୍ୟ ହୋଇଥିଲେ। ଦିଲ୍ଲୀ ବି ରେଳବାଇକୁ ୨୪୧ ରନ୍ରେ ଅଟକାଇ ଦେଇଥିଲା। ଜବାବରେ ଦିଲ୍ଲୀ ୧ ୱିକେଟ୍ରେ ୪୧ ରନ୍ କରିଛି। କୋହଲି ୪ ନମ୍ବରରେ ଥିବାରୁ ବ୍ୟାଟିଂ କରିବାକୁ ଆସିନାହାନ୍ତି।
ଶାର୍ଦୁଳଙ୍କ ପ୍ରଥମ ହ୍ୟାଟ୍ରିକ୍
ମୁମ୍ବାଇ: ମେଘାଳୟ ବିପକ୍ଷ ରଣଜୀ ଟ୍ରଫି ସପ୍ତମ ରାଉଣ୍ଡ ମୁକାବିଲାରେ ଚମତ୍କାର ବୋଲିଂ କରି ମୁମ୍ବାଇ ଦ୍ରୁତ ବୋଲର ଶାର୍ଦୁଳ ଠାକୁର ଐତିହାସିକ ହ୍ୟାଟ୍ରିକ୍ ହାସଲ କରିଛନ୍ତି। ମୁମ୍ବାଇ ଟସ୍ ଜିତି ମେଘାଳୟକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବା ପରେ ୩୩ ବର୍ଷୀୟ ଶାର୍ଦୁଳ ପ୍ରଥମ ଓଭରର ଚତୁର୍ଥ ବଲ୍ରେ ପ୍ରତିପକ୍ଷ ଓପନର ନିଶାନ୍ତ ଚକ୍ରବର୍ତ୍ତୀଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ନିଜ ତୃତୀୟ ଓଭରରେ ଅସଲ ଯାଦୁ ଦେଖାଇଥିଲେ। ତିନିଟି ଲଗାତାର ବଲ୍ରେ ବି. ଅନିରୁଦ୍ଧ, ସୁମିତ କୁମାର ଓ ଯଶକିରଟ ସିଂହ ସଚଦେବାଙ୍କୁ ଆଉଟ୍ କରି ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ବ୍ୟକ୍ତିଗତ ଭାବେ ପ୍ରଥମ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ଏଭଳି କରିବାରେ ମୁମ୍ବାଇର ସେ ପଞ୍ଚମ ବୋଲର ହୋଇଥିଲେ। ଶାର୍ଦୁଳଙ୍କ ଘାତକ ବୋଲିଂ ପାଇଁ ମାତ୍ର ୨ ରନ୍ରେ ୬ ୱିକେଟ୍ ହରାଇ ମେଘାଳୟ ରଣଜୀ ଟ୍ରଫିର ସର୍ବନିମ୍ନ ଦଳଗତ ସ୍କୋର୍ ଆଡ଼କୁ ଗତି କରୁଥିଲା ବେଳେ ଶେଷ ଚାରି ବ୍ୟାଟର୍ ଦୁଇ ଅଙ୍କ ଛୁଇଁବାରୁ ଶେଷରେ ୮୬ ରନ୍ କରି ଏଭଳି ଲଜ୍ଜାରୁ ବର୍ତ୍ତିଥିଲା। ଜବାବରେ ମୁମ୍ବାଇ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ହରାଇ ୨୧୩ ରନ୍ କରି ଦୃଢ଼ ସ୍ଥିତିରେ ରହିଛି। ସିଦ୍ଦେଶ ଲାଡ଼ (୮୯*) ଓ ଅଜିଙ୍କ୍ୟ ରାହାଣେ (୮୩*) ଅପରାଜିତ ଅଛନ୍ତି।
ପ୍ରତ୍ୟାବର୍ତ୍ତନରେ ରାହୁଲ ବିଫଳ
କେଏଲ୍ ରାହୁଲଙ୍କ ରଣଜୀ ଟ୍ରଫି ପ୍ରତ୍ୟାବର୍ତ୍ତନ ନିରାଶାରେ ଶେଷ ହୋଇଛି। ହରିୟାଣା ବିପକ୍ଷରେ କର୍ଣ୍ଣାଟକର ପ୍ରତିନିଧିତ୍ବ କରି ରାହୁଲ ନିଜ ଫେରନ୍ତା ପାଳିରେ କେବଳ ୨୬ ରନ୍ କରିବାକୁ ସକ୍ଷମ ହୋଇଛନ୍ତି। ଫେବ୍ରୁଆରି ୨୦୨୦ ପରେ ପ୍ରଥମ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିବା ରାହୁଲ ୩୭ ବଲ୍ ଖେଳି ୪ ଚୌକା ମାରି ଆତ୍ମବିଶ୍ବାସର ସହ ପାଳି ଆଗକୁ ବଢ଼ାଇ ଚାଲିଥିଲେ। ହଠାତ୍ ଅଂଶୁଲ କମ୍ବୋଜଙ୍କ ବଲ୍କୁ ବୁଝି ନପାରି ହରିୟାଣା ୱିକେଟ୍ରକ୍ଷକ ରୋହିତ ଶର୍ମାଙ୍କୁ କ୍ୟାଚ୍ ଦେଇ ପ୍ୟାଭିଲିୟନ୍ ଫେରିଥିଲେ। ଅଧିନାୟକ ମୟଙ୍କ ଅଗ୍ରୱାଲଙ୍କ ୯୧ ରନ୍ ବଳରେ କର୍ଣ୍ଣାଟକ ପ୍ରଥମ ଦିନରେ ୫ ୱିକେଟ୍ ହରାଇ ୨୬୭ ରନ୍ କରିଛି।