ଇସଲାମାବାଦ : ଭାରତ ଏସିଆ କପ୍ ଖେଳିବାକୁ ପାକିସ୍ତାନ ଆସୁ ଏବଂ ପାକିସ୍ତାନ ଦିନିକିଆ ବିଶ୍ବକପ୍ ଖେଳିବାକୁ ଭାରତ ଯାଉ। ବଡ଼ ଇଭେଣ୍ଟଗୁଡ଼ିକରେ କୌଣସି ମତେ ଦୁଇ ଚିର ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ହେବାକୁ ଯାଉଥିବା କ୍ରିକେଟ୍ ମ୍ୟାଚ୍ ଦେଖିବାରୁ ଉଭୟ ଦେଶର ପ୍ରଶଂସକଙ୍କୁ ବଞ୍ଚିତ କରାନଯାଉ। ଏଭଳି ମତ ଦେଇଛନ୍ତି ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ପ୍ରଶିକ୍ଷକ ମିସ୍ବା ଉଲ୍ ହକ୍। ଏଥିସହିତ ଯଦି ଅନ୍ୟ କ୍ରୀଡ଼ାଗୁଡ଼ିକରେ ଦୁଇ ଦେଶର ଖେଳାଳିମାନେ ପରସ୍ପର ସହିତ ମିଶିପାରୁଛନ୍ତି, ତାହେଲେ କ୍ରିକେଟ୍ରେ ଏହା କାହିଁକି ହେବ ନାହିଁ? ରାଜନୈତିକ ବାତାବରଣରେ କ୍ରିକେଟ୍କୁ କାହିଁକି ଯୋଡ଼ା ଯାଉଛି ବୋଲି କରାଚିରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମିସ୍ବା ଏଭଳି ପ୍ରଶ୍ନ କରିଛନ୍ତି।
ତାଙ୍କ ମତରେ, ପାକିସ୍ତାନ ତାହାର ବିଶ୍ବକପ୍ ମ୍ୟାଚ୍ଗୁଡ଼ିକ ଭାରତରେ ଖେଳିବା ଦରକାର। କାରଣ ସେ ଯେତେବେଳେ ଭାରତରେ ମ୍ୟାଚ୍ ଖେଳିଥିଲେ ସେତେବେଳେ ଉଭୟ ଚାପ ଓ ଦର୍ଶକଙ୍କ ଉତ୍ସାହକୁ ଉପଭୋଗ କରିପାରୁଥିଲେ। ଏହା ହିଁ ଖେଳାଳିମାନଙ୍କୁ ପ୍ରେରଣା ଦେଇଥାଏ ଏବଂ ଭାରତରେ ଖେଳୁଆଡ଼ ପରିବେଶ ପାକିସ୍ତାନୀ ଖେଳାଳିଙ୍କୁ ସୁହାଇଥାଏ। ତେଣୁ ଭାରତରେ ପାକିସ୍ତାନ ଭଲ ପ୍ରଦର୍ଶନ କରିପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, ପାକିସ୍ତାନରେ ହେବାକୁ ଥିବା ଏସିଆ କପ୍ରେ ଖେଳିବାକୁ ଅନିଚ୍ଛା ପ୍ରକାଶ କରିବାରୁ ଭାରତର ମ୍ୟାଚ୍ଗୁଡ଼ିକ ସହିତ ଅଧିକାଂଶ ମ୍ୟାଚ୍ ଶ୍ରୀଲଙ୍କାରେ କରାଯିବାକୁ ନିଷ୍ପତ୍ତି ହୋଇଛି। କିନ୍ତୁ ପାକିସ୍ତାନ କ୍ରିକେଟ୍ ବୋର୍ଡରେ ନୂତନ ଦାୟିତ୍ବ ନେଇଥିବା ଜାକା ଅସ୍ରଫ ପାକିସ୍ତାନରେ ଅଧିକ ମ୍ୟାଚ୍ ହେଉ ବୋଲି ଆଇସିସି ବୈଠକରେ ଯୁକ୍ତି ବାଢିଥିଲେ। ଏପରିକି ଯଦି ଭାରତ ନିରପେକ୍ଷ ସ୍ଥାନରେ ଖେଳେ, ତାହେଲେ ବିଶ୍ବକପ୍ରେ ପାକିସ୍ତାନ ମଧ୍ୟ ନିରପେକ୍ଷ ସ୍ଥାନରେ ଖେଳୁ ବୋଲି ସେ ଯୁକ୍ତି ଉପସ୍ଥାପନ କରିଥିଲେ।