ଫାଓ ଅନ୍ତଃଜିଲ୍ଲା କ୍ଲବ୍‌ ଫୁଟ୍‌ବଲ: କ୍ବାର୍ଟରରେ ଏପିଜେ ଅବଦୁଲ କଲାମ ଓ ୟୁନାଇଟେଡ୍‌ ସ୍ପୋର୍ଟ୍ସ

କଟକ: ଓଡ଼ିଶା ଫୁଟ୍‌ବଲ ସଂଘ ‘ଫାଓ’ ଓ ରାଜ୍ୟ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ଚାଲିଥିବା ଅନ୍ତଃଜିଲ୍ଲା କ୍ଲବ୍‌ ଫୁଟ୍‌ବଲ ପ୍ରତିଯୋଗିତାରେ ମଙ୍ଗଳବାର ଦୁଇଟି ପ୍ରିକ୍ବାର୍ଟର ଫାଇନାଲ୍‌ ମ୍ୟାଚ୍‌ ଖେଳାଯାଇଥିଲା। ବଲାଙ୍ଗୀରର ଏପିଜେ ଅବଦୁଲ କଲାମ କ୍ଲବ୍‌ ଓ ବରଗଡ଼ର ୟୁନାଇଟେଡ୍‌ ସ୍ପୋର୍ଟସ କ୍ଲବ୍‌ ବିଜୟୀ ହୋଇ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ବିଡ଼ାନାସୀ ପଡ଼ିଆରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ବଲାଙ୍ଗୀରର ଏପିଜେ ଅବଦୁଲ କଲାମ କ୍ଲବ୍‌ ୫-୩ ପେନାଲ୍‌ଟି ସୁଟ୍‌ଆଉଟରେ ସୁନ୍ଦରଗଡ଼ର ୟଙ୍ଗ ଆସୋସିଏସନ୍‌ ବିରମିତ୍ରପୁରକୁ ହରାଇଛି। ନିର୍ଧାରିତ ସମୟରେ ମ୍ୟାଚ ୧-୧ ଗୋଲ୍‌ରେ ଅମୀମାଂସିତ ରହିଥିଲା। ତେଣୁ ପେନାଲ୍‌ଟି ସୁଟ୍‌ ଆଉଟରେ ମ୍ୟାଚ୍‌ର ବିଜେତା ନିର୍ଧାରଣ କରାଯାଇଥିଲା। ଏହି ମ୍ୟାଚ୍‌କୁ ଉତ୍କଳମଣି ବେହେରା, ନିରଂଜନ ମହାକୁଡ଼, ଅରୁଣ ନାୟକ, ପୂର୍ଣ୍ଣ ସୋରେନ୍‌ ପରିଚାଳନା କରିଥିଲେ।
ଏନ୍‌ଆର୍‌ଆର୍‌ଆଇ ପଡ଼ିଆରେ ଖେଳାଯାଇଥିବା ଦ୍ବିତୀୟ ପ୍ରିକ୍ବାର୍ଟର ଫାଇନାଲ୍‌ରେ ବରଗଡ଼ର ୟୁନାଇଟେଡ ସ୍ପୋର୍ଟ୍ସ କ୍ଲବ୍‌ ୧-୦ ଗୋଲ୍‌ରେ ମୟୂରଭଞ୍ଜର ଶିମିଳିପାଳ ଫୁଟ୍‌ବଲ କ୍ଲବ୍‌କୁ ହରାଇଛି। ଏହି ମ୍ୟାଚ୍‌କୁ ସୁବ୍ରତ ପୁରୋହିତ, କିସାନ ଦାସ, ଆଶୀର୍ବାଦ କାନୁନ୍‌ଗୋ, ଦିଲ୍ଲୀପ ରାଉତ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର