ଭୁବନେଶ୍ବର: ଓଡ଼ିଶା ଫୁଟ୍ବଲ୍ ସଂଘ (ଫାଓ) ଓ ରାଜ୍ୟ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ରବିବାରଠୁ ଓଡ଼ିଶା ମହିଳା ଲିଗ୍ ଆରମ୍ଭ ହେବ। ଏହି ଲିଗ୍ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍ ସମେତ ସପ୍ତମ ବାଟାଲିଅନ୍ ପଡ଼ିଆ ଓ କ୍ୟାପିଟାଲ୍ ପଡ଼ିଆରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଶନିବାର କଳିଙ୍ଗ ଷ୍ଟାଡିୟମ୍ ପରିସରରେ ସମସ୍ତ ଅଂଶଗ୍ରହଣକାରୀ ଦଳମାନଙ୍କର ଜର୍ସି ଉନ୍ମୋଚନ କରାଯାଇଛି। କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଓ ଫାଓ ସମ୍ପଦାକ ଆଶୀର୍ବାଦ ବେହେରା ସମ୍ମାନିତ ଭାବେ ଯୋଗଦେଇ ଜର୍ସି ଉନ୍ମୋଚନ କରିଥିଲେ।
ଏହି ଅବସରରେ ଓଡ଼ିଶା ପୁଲିସ୍ର ଜବାମଣି ସୋରେନ୍, ପୂର୍ବତଟ ରେଳବାଇର ସୁପ୍ରିୟା ରାଉତରାୟ, ଓଡ଼ିଶା ଏଫ୍ସିର କରିସ୍ମା ଓରାମ୍, ରାଇଜିଂ ଷ୍ଟୁଡେଣ୍ଟର ଶୁଭଦ୍ରା ସାହୁ, ସ୍ପୋର୍ଟ୍ସ ଓଡ଼ିଶାର ସ୍ପନ୍ଦିତା ଦାସ, ଓଜିପିର ସୁନୀତା ସ୍ବାଇଁ ଉପସ୍ଥିତ ରହି ଜର୍ସି ପ୍ରଦର୍ଶିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଫାଓର କୋଷାଧ୍ୟକ୍ଷ ଭକ୍ତବଲ୍ଲଭ ଦାସ, ଉପସଭାପତି ଦିଲ୍ଲୀପ କୁମାର ସାହୁ, ଯୁଗ୍ମ ସମ୍ପାଦକ ଅଭିଜିତ୍ ପାଲ୍, ସଙ୍ଗୀତା ଶର୍ମା, କ୍ରୀଡ଼ା ବିଭାଗ ସ୍ବତନ୍ତ୍ର ଅଧିକାରୀ ଶୁଭେନ୍ଦୁ ପଣ୍ଡା, ଅଂଶଗ୍ରହଣକାରୀ ଦଳର ଖେଳାଳି ଓ ପ୍ରଶିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ। ରବିବାର ଉଦ୍ଘାଟନୀ ମ୍ୟାଚ୍ ପୂର୍ବତଟ ରେଳବାଇ ଓ ଓଡ଼ିଶା ଏଫ୍ସି ମଧ୍ୟରେ କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯିବ।