ବିଜେତା ‌ୱେଷ୍ଟଇଣ୍ଡିଜ୍‌ର ବିଦାୟ

ଶ୍ରୀଲଙ୍କାର ସାନ୍ତ୍ବନା ବିଜୟ

ଆବୁଧାବି : ବର୍ତମାନର ବିଜେତା ତଥା ଦୁଇ ଥର ଟ୍ରଫି ହାତେଇଥିବା ଅନ୍ୟତମ ଦାବିଦାର ଦଳ ୱେଷ୍ଟଇଣ୍ଡିଜ୍ ଲିଗ୍ ଅଭିଯାନ ଶେଷ ପୂର୍ବରୁ ସେମିଫାଇନାଲ୍ ଦୌଡ଼ରୁ ବାଦ୍‌ ପଡ଼ିଛି। ଗୁରୁବାର ରାତିରେ ୱେଷ୍ଟଇଣ୍ଡିଜ୍‌କୁ ୨୦ ରନ୍‌ରେ ହରାଇ ପୂର୍ବ ବିଜେତା ଶ୍ରୀଲଙ୍କା ସାନ୍ତ୍ବନାମୂଳକ ବିଜୟ ସହ ଅଭିଯାନ ଶେଷ କରିଛି। ଯୋଗ୍ୟତା ପର୍ଯ୍ୟୟ ଦେଇ ଆସିବାକୁ ପଡ଼ିଥିବା ୨୦୧୪ ବିଜେତା ଯୁବ ଶ୍ରୀଲଙ୍କା ଦଳ ସୁପର୍-୧୨ରେ ମୂଳପୋଛ ପରାଜୟରୁ ବର୍ତ୍ତିଯାଇଛି।

ୱେଷ୍ଟଇଣ୍ଡିଜ୍‌ ଟସ୍ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିଥିଲା। ଶ୍ରୀଲଙ୍କା କିନ୍ତୁ ବଢ଼ିଆ ବ୍ୟାଟିଂ କରି ୧୮୯ ରନ୍‌ର ଲଢ଼ୁଆ ସ୍କୋର ଛିଡ଼ା କରି ନେଇଥିଲା। ପ୍ରାରମ୍ଭିକ ଯୋଡ଼ି ପଥୁମ୍‌ ନିଶଙ୍କା (୫୧, ୪୧ ବଲ୍‌, ୫ ଚୌକା) ଏବଂ କୁସାଲ ପେରେରା (୨୯, ୨୧ ବଲ୍‌, ୨ ଚୌକା, ୧ ଛକା)ଙ୍କ ବାଦ୍‌ ଚରିତ ଅସଲଙ୍କା (୬୮, ୪୧ ବଲ୍, ୮ ଚୌକା, ୧ ଛକା) ଏବଂ ଅଧିନାୟକ ଦାସୁନ ସଣକା (୨୫*, ୧୪ ବଲ୍‌, ୨ ଚୌକା, ୧ ଛକା) ଦଳକୁ ଆହ୍ବାନ ଭରା ସ୍କୋର ଦେଇଥିଲେ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଆନ୍ଦ୍ରେ ରସେଲ୍‌ କେବଳ ପ୍ରଭାବୀ ବୋଲିଂ (୪-୦-୩୩-୨) ବୋଲିଂ କରିଥିଲେ।

୧୯୦ ରନ୍‌ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ୱେଷ୍ଟଇଣ୍ଡିଜ୍ ୧୬୯ ରନ୍‌ କରିପାରିଥିଲା। ବେଶ୍ ବ୍ୟାଟିଂ ଗଭୀରତା ରଖିଥିବା ଏହି ଦୁର୍ଦ୍ଦଶ ଦଳ କିନ୍ତୁ ଲଢ଼ି ପାରିନଥିଲା। ‌ୱିକେଟରକ୍ଷକ ନିକୋଲାସ୍ ପୂରନ୍ (୪୬, ୩୪ ବଲ୍‌, ୬ ଚୌକା, ୧ ଛକା)ଙ୍କ ପରେ ଶେଷ ପର୍ଯ୍ୟନ୍ତ କେବଳ ସିମ୍ରନ୍ ହେଟମାୟର୍‌ (୮୧*, ୫୪ ବଲ୍‌, ୮ ଚୌକା, ୪ ଛକା) ଲଢ଼ିଥିଲେ। ଶ୍ରୀଲଙ୍କା ପକ୍ଷରୁ ୱାନିନ୍ଦୁ ହସରଙ୍ଗା (୨/୧୯) ଏବଂ ବିନୁରା ଫର୍ଣ୍ଣା‌ଣ୍ଡୋ (୨/୨୪)ଙ୍କ ଛଡ଼ା ଅନ୍ୟମାନେ ପ୍ରଭାବ ଛାଡ଼ି ପାରିନଥିଲେ। ଚରିତ ଆସଲଙ୍କା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଶ୍ରୀଲଙ୍କାର ଅଭିଯାନ ଶେଷ ‌ହୋଇଯାଇଥିବା ବେଳେ ୱେଷ୍ଟଇଣ୍ଡିଜ୍ ପାଇଁ ଏହ‌ାର ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ମୁକାବିଲା ଗୁରୁତ୍ବହୀନ ହୋଇପଡ଼ିଛି।

ସଂକ୍ଷିପ୍ତ ସ୍କୋର୍‌: ଶ୍ରୀଲଙ୍କା ୨୦ ଓଭରରେ ୧୮୯/୩ (ଚରିତ ଅସଲଙ୍କା-୬୮, ପଥୁମ ନିଶଙ୍କା-୫୧, କୁସାଲ ‌ପେରେରା-୨୯, ଦାସୁନ ସଣକା-୨୫*, ଆନ୍ଦ୍ରେ ରସେଲ-୨/୩୩, ଡ୍ବାନ ବ୍ରାଭୋ-୧/୪୨)। ୱେଷ୍ଟଇଣ୍ଡିଜ୍ ୨୦ ଓଭରରେ ୧୬୯/୮ (ସିମ୍ରନ୍ ହେଟମାୟର୍‌-୮୧*, ନିକୋଲାସ୍ ପୂରନ୍‌-୪୬, ୱାନିନ୍ଦୁ ହସରଙ୍ଗା-୨/୧୯, ବିନୁରା ଫର୍ଣ୍ଣାଣ୍ଡୋ-୨/୨୧, ଚାମିକା କରୁଣାରତ୍ନେ-୨/୪୩, ଦାସୁନ ସଣକା-୧/୧୮, ଦୁଷ୍ମନ୍ତ ଚାମିରା-୧/୪୧)।

ମନ୍ଥର ବୋଲିଂ ପାଇଁ ୱେଷ୍ଟଇଣ୍ଡିଜ୍‌ ଖେଳାଳି ଦଣ୍ଡିତ
ଆବୁଧାବି : ଚଳିତ ଟି-୨୦ ବିଶ୍ବକପ୍‌ର ଗୁରୁବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ୨୦ ରନ୍‌ରେ ପରାଜୟ ବରଣ କରିଥିବା ୱେଷ୍ଟଇଣ୍ଡିଜ୍‌ ଦଳର ଖେଳାଳିମାନେ ‌ମନ୍ଥର ବୋଲିଂ ପାଇଁ ଦଣ୍ଡିତ ହୋଇଛନ୍ତି। ଏହି ମ୍ୟାଚ୍‌ରେ କିରଣ ପୋଲାର୍ଡଙ୍କ ଦଳ ନିର୍ଦ୍ଧାରିତ ସମୟରେ ଗୋଟିଏ ଓଭର କମ୍‌ ପକାଇଥିଲା। ତେଣୁ ପଡ଼ିଆ ଅମ୍ପାୟାର ଅଲିମ ଦର ଓ ଲାଙ୍ଗଟନ ରୁସେରେ, ତୃତୀୟ ଅମ୍ପାୟାର ପଲ୍‌ ୱିଲସନ୍‌ ଓ ଚତୁର୍ଥ ଅମ୍ପାୟାର ରିଚାର୍ଡ କେଟଲବୋରୋଙ୍କ ମନ୍ଥର ବୋଲିଂ ଅଭିଯୋଗକ୍ରମେ ମ୍ୟାଚ୍‌‌ ରେଫରି ଡେଭିଡ ବୁନ୍‌ ୱେଷ୍ଟ୍‌ଇଣ୍ଡିଜ୍‌ ଖେଳାଳିଙ୍କ ଉପରେ ଜରିମାନା ଲଗାଇଥିଲେ। ଏହି ଦଣ୍ଡକୁ ପୋଲାର୍ଡ ମାନିଯିବାରୁ ଆଉ କୌଣସି ଶୁଣାଣିର ଆବଶ୍ୟକତା ରହିନଥିଲା। ସୂଚନାଯୋଗ୍ୟ ଯେ ଖେଳାଳି ଓ ଖେଳାଳିଙ୍କ ସହ ଜଡ଼ିତ ବ୍ୟକ୍ତିଙ୍କ ଥିବା ଆଇସିସି ନିୟମର ଧାରା ୨.୨୨ ଅନୁଯାୟୀ ସମୟନୁସାରେ ନିର୍ଦ୍ଧାରିତ ଓଭରଠୁ କମ୍‌ ଓଭର‌ ବୋଲିଂ କଲେ ପ୍ରତି କମ୍‌ ଓଭର ପାଇଁ ଖେଳାଳିଙ୍କ ମ୍ୟାଚ୍‌ ପାଉଣାର ୨୦ ପ୍ରତିଶତ କଟାଯିବ।

ସମ୍ବନ୍ଧିତ ଖବର