ଲର୍ଡସ: ବିଶ୍ବ କ୍ରିକେଟ୍ର ମହାନତମ ଦ୍ରୁତ ବୋଲର ଜେମ୍ସ ଆଣ୍ଡର୍ସନ୍ଙ୍କ ଯୁଗର ସୁଖଦ ଅବସାନ ଘଟିଛି। ଇଂଲଣ୍ଡ ଶୁକ୍ରବାର ତାଙ୍କୁ ଜବରଦସ୍ତ ବିଜୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଛି। ଐତିହାସିକ ଲର୍ଡସ ପଡ଼ିଆରେ ଆଣ୍ଡରସନ୍ ନିଜ ଖେଳ ଜୀବନର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଥିଲେ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଏହି ଟେଷ୍ଟ୍କୁ ମାତ୍ର ଅଢ଼େଇ ଦିନ ଭିତରେ ଜିତି ଇଂଲଣ୍ଡ ଏହାକୁ ସବୁଦିନ ପାଇଁ ସ୍ମରଣୀୟ କରି ଦେଇଛି। ଇଂଲଣ୍ଡର ଏକତରଫା ବିଜୟ ପରେ ଭାବବିହ୍ବଳ ପରିବେଶରେ ତଥା ଟେଷ୍ଟ୍ କ୍ରିକେଟ୍ର ସର୍ବାଧିକ ୱିକେଟ୍ ହାସଲକାରୀ ଦ୍ରୁତ ବୋଲରର ରେକର୍ଡ ସହ ନିଜ କ୍ୟାରିୟର୍ରେ ପୂର୍ଣ୍ଣଛେଦ ଟାଣିଛନ୍ତି ଆଣ୍ଡରସନ୍।
ପ୍ରଥମ ପାଳିରେ ମାତ୍ର ୧୨୧ ରନ୍ରେ ଅଲଆଉଟ୍ ହୋଇଯାଇଥିବା ଇଣ୍ଡିଜ୍ ଦ୍ବିତୀୟ ପାଳିରେ ବି ଅତି ଦୟନୀୟ ବ୍ୟାଟିଂ କରି ୧୩୬ ରନ୍ରେ ଅଟକି ଯିବା ପରେ ଇଂଲଣ୍ଡ ଲର୍ଡସ ଟେଷ୍ଟ୍କୁ ଗୋଟିଏ ପାଳି ଓ ୧୧୪ ରନ୍ରେ ଜିତି ନେଇଛି। ତା’ ସହିତ ୩ ଟିକିଆ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଯାଇଛି। ପୂର୍ବରୁ ଇଂଲଣ୍ଡ ତା’ର ପ୍ରଥମ ପାଳିରେ ୩୭୧ ରନ୍ କରିଥିଲା। ଜବାବରେ ଇଣ୍ଡିଜ୍ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ମାତ୍ର ୭୯ ରନ୍ରେ ୬ ୱିକେଟ୍ ହରାଇ ପରାଜୟ ଦ୍ବାରଦେଶରେ ଥିଲା। ଆଜି ତୃତୀୟ ଦିନରେ ଇଂଲଣ୍ଡ ମାତ୍ର ୧୨.୧ ଓଭର ଭିତରେ ଇଣ୍ଡିଜ୍ର ଅବଶିଷ୍ଟ ୪ ୱିକେଟ୍ ନେଇ ବିଜୟର ଔପଚାରିକତା ମାତ୍ର ପୂରଣ କରିଥିଲା। ଆଣ୍ଡରସନ୍ ତାଙ୍କ ଖେଳ ଜୀବନର ଶେଷ ମୁକାବିଲାରେ ୫୮ ରନ୍ ଦେଇ ୪ ୱିକେଟ୍ (୧/୨୬, ୩/୩୨) କରାୟତ୍ତ କରିଥିଲେ। ସେହିଭଳି ୧୮୮ ଟେଷ୍ଟ୍ ଖେଳି ଦ୍ରୁତ ବୋଲରଭାବେ ସର୍ବାଧିକ ୭୦୪ ୱିକେଟ୍ରେ ନିଜ ଜାଜ୍ଜ୍ବଲ୍ୟମାନ ଖେଳ ଜୀବନରୁ ସନ୍ୟାସ ନେଇଥିଲେ। ପୂର୍ବରୁ ସେ ଏକଦିବସୀୟ ଓ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରୁ ଅବସର ନେଇ ସାରିଛନ୍ତି। ପରବର୍ତ୍ତୀ ଜୀବନ ଲାଗି ଏବେ ତାଙ୍କ ପାଖକୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି।
କ୍ରିକେଟ୍ ପଡ଼ିଆରେ ତାଙ୍କ ଅନୁପସ୍ଥିତିକୁ ପ୍ରଶଂସକ ଓ ସାଥୀ ଖେଳାଳି ସବୁବେଳେ ଅନୁଭବ କରିବେ ବୋଲି ଇଂଲଣ୍ଡ କ୍ରିକେଟ୍ ବୋର୍ଡ କହିଛି। ତେବେ ପଦାର୍ପଣ ଟେଷ୍ଟ୍ରେ ୧୦୬ ରନ୍ ଖର୍ଚ୍ଚ କରି ୧୨ ୱିକେଟ୍ ଅକ୍ତିଆର କରିଥିବା ଇଂଲଣ୍ଡର ଯୁବ ଦ୍ରୁତ ଯୁବ ବୋଲର ଗସ୍ ଆଟ୍କିନ୍ସନ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଟେଷ୍ଟ୍ କ୍ରିକେଟ୍ରେ ୬,୦୦୦ ରନ୍ ସହ ୨୦୦ ୱିକେଟ୍ ନେବାରେ ଇଂଲଣ୍ଡର ପ୍ରଥମ ଏବଂ ସାର୍ ଗ୍ୟାରି ସୋବର୍ସ ଓ ଜ୍ୟାକ୍ କାଲିସ୍ଙ୍କ ପରେ ବିଶ୍ବର ତୃତୀୟ ଖେଳାଳି ହୋଇଥିଲେ ଅଧିନାୟକ ବେନ୍ ଷ୍ଟୋକ୍ସ। ସଂକ୍ଷିପ୍ତ ସ୍କୋର୍: ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳି ୪୧.୪ ଓଭରରେ ୧୨୧। ଇଂଲଣ୍ଡ ପ୍ରଥମ ପାଳି ୯୦ ଓଭରରେ ୩୭୧। ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ପାଳି ୧୩୬ (ଗୁଡ଼କେଶ ମୋତି ୩୧*, ଆଲିକ ଅଥାଞ୍ଜେ ୨୨, ଜାସନ ହୋଲ୍ଡର ୨୦, ଗସ୍ ଆଟକିନ୍ସନ୍ ୫/୬୧, ଜେମ୍ସ ଆଣ୍ଡରସନ୍ ୩/୩୨)