ନୂଆଦିଲ୍ଲୀ: ସୀମା ଟପିଲେ ପାକ୍ ଖେଳାଳୀ । ପଡିଆରେ ପୁଣି ଦେଖିବାକୁ ମିଳିଲା ପହଲଗାମ୍ ତାତି । ଗୋଟେ ପହଲଗାମ୍ ଆତଙ୍କୀ ବନ୍ଧୁକ ମୁନରେ ନୀରିହ ଲୋକଙ୍କୁ ଗୁଳି କରି ହତ୍ୟା କରିବା ଘଟଣା ଦେଶବାସୀଙ୍କ ମନରୁ ନଲିଭୁଣୁ । ସେପଟେ ଗତକାଲି ପାକ୍ ବ୍ୟାଟର ସାହିବଜାଦା ଫରହାନ ବ୍ୟାଟକୁ ବନ୍ଧୁକ ଭଳି ଦେଖାଇବାର ଶୈଳୀ ସମସ୍ତଙ୍କୁ ତାଜୁବ କରିଛି । ପାକ୍ ଖେଳାଳୀଙ୍କୁ ଭାରତୀୟ ଖେଳାଳୀଙ୍କ ନୋ-ହ୍ୟାଣ୍ଡସେକ୍ ଝଟକା ପରେ ରାଗରେ ରକ୍ତ ଚାଉଳ ଚୋବାଉଥିବା ପାକିସ୍ତାନ ଫ୍ରଷ୍ଟ୍ରେସନ ବାହାର କରିବାକୁ ସୁଯୋଗ ଖୋଜୁଥିବା ବେଳେ ଭାରତୀୟ ଖେଳାଳୀଙ୍କୁ ଉଷୁକାଇବାକୁ ବିଭିନ୍ନ ଆଚରଣ କରୁଥିବା ଦେଖିବାକୁ ମିଳିଥିଲା ।

Advertisment

ସବୁଠାରୁ ଆଶ୍ଚର୍ଯ୍ୟକର ଥିଲା ଓପନର ସାହିବଜାଦା ଫରହାନ ସେଲିବ୍ରେସନ ଶୈଳୀ । ୪୫ ବଲ୍ ରେ ୫୮ ରନ୍ କରି ସେ ତାଙ୍କର ଅର୍ଦ୍ଧଶତକ ପରେ ବ୍ୟାଟ୍ ସହିତ ବନ୍ଧୁକ-ଫାୟାର ଆକ୍ସନ୍ ପ୍ରଦର୍ଶନ କରିଥିଲେ। ପାକିସ୍ତାନୀ ଆତଙ୍କବାଦୀମାନେ ପହଲଗାମରେ ଆକ୍ରମଣ କରିଥିଲେ, ଯେଉଁଥିରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଏବେ, ଫରହାନଙ୍କ ବନ୍ଧୁକ ସେଲିବ୍ରେସନକୁ ନେଇ ବିବାଦ ଦେଖାଦେଇଛି । ଗୋଟେ ପଟେ ପାକିସ୍ତାନ ଭାରତଠୁ ବାରମ୍ବାର ହାରୁଥିବା ବେଳେ ହାରିବାର ରାଗକୁ ଆତଙ୍କବାଦୀ ଭଳି ପଡିଆରେ ଦେଖାଇବା କେଉଁ ସୂଚନା ଦେଉଛି ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ।

ପାକିସ୍ତାନର ପରାଜୟ ପରେ ଯଦିଓ ପାକ୍ ପ୍ରଶଂସକ ଟିଭି ଭଙ୍ଗାରୁଜା କରୁଥିବାର ଦୃଶ୍ୟ ସାମ୍ନାକୁ ଆସୁଛି ଆଉ ଏଭଳି କାଣ୍ଡ ପାକିସ୍ତାନର ପୁରୁଣା ରୋଗ ବୋଲି କୁହାଯାଉଛି ମାତ୍ର ପଡିଆରେ ଆତଙ୍କବାଦୀଙ୍କ ଭଳି ବ୍ୟାଟକୁ ବନ୍ଧୁକ ପରି ପ୍ରଦର୍ଶିତ କରିବା କଣ ଦର୍ଶାଉଛି ? କଣ ଏମାନେ ଖେଳାଳୀ ନୁହଁନ୍ତି, ଜର୍ସି ପିନ୍ଧିଥିବା ଜଣେ ଜଣେ ଆତଙ୍କୀ ? ଗୋଟେ ପଟେ ପାକିସ୍ତାନ ଆତଙ୍କୀଙ୍କୁ ପୋଷୁଥିବା ବେଳେ ଖେଳାଳୀମାନେ ବି କଣ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛନ୍ତି । କ୍ରିକେଟକୁ ଭଦ୍ରଲୋକଙ୍କ ଖେଳ କୁହାଯାଉଥିବା ବେଳେ ପାକ୍ ଖେଳାଳୀ ସବୁ ସୀମା ଟପି ଅଭଦ୍ରାମୀର ପରିଚୟ ଦେଇଛନ୍ତି । ଆଉ ସେହି ଆଚରଣ ପାଇଁ ସାରା ଦୁନିଆରେ ପାକ୍ ଖେଳାଳୀଙ୍କୁ ନିନ୍ଦା କରାଯିବ ସହ ଖୋଦ୍ ପାକିସ୍ତାନରେ ବି ସେମାନଙ୍କୁ ନିନ୍ଦା କରାଯାଉଛି । ତାସହ ଆନ୍ତର୍ଜାତୀୟ ସ୍ତରରେ କ୍ରିକେଟ ଖେଳିବାରୁ ପାକିସ୍ତାନକୁ ବ୍ୟାନ୍ କରାଯାଉ ବୋଲି ଦାବି ବି ହେଉଛି । 

ଗତକାଲି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ୍ ସୁପର-୦୪ ମ୍ୟାଚ୍ ସମୟରେ ପଡ଼ିଆରେ ଉତ୍ତେଜନା ଭଳି ସ୍ଥିତି ସୃଷ୍ଟି ହୋଇଥିଲା । ପାକିସ୍ତାନୀ ଦ୍ରୁତ ବୋଲର ହାରିସ୍ ରଉଫ୍ ଏବଂ ଶାହିନ୍ ଆଫ୍ରିଦି ଭାରତୀୟ କ୍ରିକେଟର ଅଭିଷେକ ବର୍ମା ଓ ଶୁଭମିନ୍ ଗିଲଙ୍କ ମଧ୍ୟରେ ମ୍ୟାଚ ଚାଲିଥିବା ବେଳେ ବାକ୍ ଯୁଦ୍ଧ ଭଳି ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା । 

ଭାରତୀୟ ଓପନର୍ ଶୁଭମନ ଗିଲ୍ ଏବଂ ଅଭିଷେକ ଶର୍ମା କ୍ରିଜକୁ ଆସିବା ସମୟରେ ପାକିସ୍ତାନୀ ଖେଳାଳିମାନେ ସେମାନଙ୍କୁ ଉସକାଇବାକୁ ଚେଷ୍ଟା କରିଥିଲେ । ଉଭୟ ଖେଳାଳି ଚୌକା ଏବଂ ଛକା ମାରି ପ୍ରତିପକ୍ଷକୁ ଜବାବ ଦେଇଥିଲେ । ତେବେ ଯେତେବେଳେ ପାକିସ୍ତାନୀ ଖେଳାଳିମାନେ ସୀମା ଅତିକ୍ରମ ସ୍ଲେଜିଂ କରିବା ଆରମ୍ଭ କଲେ, ବାକ୍ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଅମ୍ପାୟାର ଗାଜି ସୋହେଲଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ସେହିପରି ମ୍ୟାଚ୍ ଚାଲିଥିବା ବେଳେ ଶୁଭମନ୍ ଗିଲ୍ ଏବଂ ଶାହିନ ଆଫ୍ରିଦଙ୍କ ମଧ୍ୟରେ ମଧ୍ୟ ପାଟିତୁଣ୍ଡ ହୋଇଥିଲା । ସେପଟେ ଗତ ଥର ପରି ଏଥର ବି ଟସ୍ ପଡ଼ିବା ସମୟରେ ସୂର୍ଯ୍ୟକୁମାର ପାକିସ୍ତାନ ଅଧିନାୟକଙ୍କ ସହ ହାତ ମିଳାଇନଥିଲେ ।