ପ୍ରଥମ ମହିଳା ସୁନ୍ଦରୀ ରେଫରି

ମସ୍କୋ: ବିଶ୍ୱକପ୍‌ରେ ପୁରୁଷ ରେଫରିଙ୍କ ପ୍ରାଧାନ୍ୟର ଅନ୍ତ ଘଟିଛି। ଚଳିତ ବିଶ୍ୱକପ୍‌ରେ ପ୍ରଥମ ମହିଳା ରେଫରି ଭାବେ ଅଛନ୍ତି ବ୍ରାଜିଲ୍‌ ସୁନ୍ଦରୀ ଫର୍ନାଣ୍ଡୋ କଲମ୍ବୋ। ଫିଫା ବିଶ୍ୱକପ୍‌ରେ ମହିଳା ଖେଳାଳିଙ୍କୁ ସିନା ଦେଖିବାକୁ ମିଳିବନି କିନ୍ତୁ ମହିଳା ରେଫରିଙ୍କ ବିଶ୍ୱକପ୍‌ ପଦାର୍ପଣ ଦେଖିବେ ଦର୍ଶକ। ଏହି ବ୍ରାଜିଲ୍‌ ସୁନ୍ଦରୀ ଫୁଟ୍‌ବଲ୍‌ ଦକ୍ଷତା ଅପେକ୍ଷା ତାଙ୍କ ଆକର୍ଷଣୀୟ ଚେହେରା ପାଇଁ ଅଧିକ ଚର୍ଚିତ। କିନ୍ତୁ ଫର୍ନାଣ୍ଡୋ କଲମ୍ବୋଙ୍କ ଚୟନକୁ ନେଇ ଅନେକ ବିବାଦ ହୋଇଥିଲା। ବ୍ରାଜିଲୀୟ ସିରି ଏ ପ୍ରତିଯୋଗିତାରେ ତାଙ୍କର ଏକ ତ୍ରୁଟିପୂର୍ଣ୍ଣ ଅଫ୍‌ସାଇଡ୍‌କୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ପ୍ରଶଂସକଙ୍କ ପାଇଁ ସେ ଜଣେ ସୁନ୍ଦରୀ ହୋଇପାରନ୍ତି କିନ୍ତୁ ଏହି ଦାୟିିତ୍ୱ ପାଇଁ ଠିକ୍‌ ବ୍ୟକ୍ତି ନୁହନ୍ତି ବୋଲି ପରାଜିତ କ୍ରୁଜିରୋର କ୍ରୀଡ଼ା ନିର୍ଦେଶକ କହିଥିଲେ। କିନ୍ତୁ ବ୍ରାଜିଲ୍‌ ଫୁଟ୍‌ବ୍‌ଲ ସଂଘ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା। ତଥାପି ଅନେକ ବଂଧୁର ପଥ ଦେଇ ଗତି କରି ଆସିଥିବା ଫର୍ନାଣ୍ଡୋ ସମଗ୍ର ମହିଳା ଫୁଟ୍‌ବଲ୍‌ ପାଇଁ ଏକ ଦୃଷ୍ଟାନ୍ତ ପାଲଟିଛନ୍ତି। କଲମ୍ବୋ ଏମିତି ବି କୌଣସି ଯାଦୁ ବଳରେ ପ୍ରଥମ ଡିଭିଜନରେ ପହଞ୍ଚିନଥିଲେ। ବ୍ରାଜିଲର ସି, ବି ପରେ ଏ ସ୍ତରରେ ପହଞ୍ଚିଥିଲେ ନିଜ ଦକ୍ଷତା ଓ ଅଭିଜ୍ଞତା ବଳରେ। ଗତବର୍ଷ ଭାରତରେ ଅନୁଷ୍ଠିତ ୧୭ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ମଧ୍ୟ ସେ ମ୍ୟାଚ୍‌ ପରିଚାଳନା କରିଥିଲେ। ୨୦୧୪ ବ୍ରାଜିଲ୍‌ ବିଶ୍ୱକପ୍‌ରେ ତାଙ୍କ ଖ୍ୟାତି ବଢ଼ିଥିଲା। ଦକ୍ଷିଣ ବ୍ରାଜିଲ୍‌ର ସାଣ୍ଟା କାଟାରିନାରେ ଜନ୍ମିତ ୨୬ ବର୍ଷୀୟା ଫର୍ନାଣ୍ଡୋ କଲମ୍ବୋ ଶାରୀରିକ ଶିକ୍ଷାରେ ଡିଗ୍ରି କରିଛନ୍ତି। ଏବେ ରୁଷିଆ ବିଶ୍ୱକପ୍‌ରେ ଭାର୍‌ (ଭିଡିଓ ଆସିଷ୍ଟାଣ୍ଟ ରେଫରି) ପ୍ରଥମ ଥର ପ୍ରୟୋଗ ହୋଇଛି। କଲମ୍ବୋଙ୍କୁ ପ୍ରଥମ ସୁଯୋଗ ମଧ୍ୟ ଏକ ସଂଯୋଗ ଭଳି ହୋଇଛି। ‘ମୁଁ ଏଠାକୁ ପହଞ୍ଚିବା ବାଟରେ ଅନେକ କଷ୍ଟ ସ୍ୱୀକାର କରିଛି। ଫୁଟ୍‌ବଲ୍‌କୁ ଭଲ ପାଏ। ଭଲ ଖେଳୁନଥିଲି କିନ୍ତୁ ଯେତେବେଳେ ଶାରୀରିକ ଶିକ୍ଷାରେ ପାଠ୍ୟକ୍ରମ କଲି ଏହା ଠିକ୍‌ ହୋଇଥିଲା। ଏହି ବାଟ ଏତେ ସହଜ ନଥିଲା’ ବୋଲି କଲମ୍ବୋ କହିଛନ୍ତି।

ସମ୍ବନ୍ଧିତ ଖବର