ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରୁ ବାଦ ପଡ଼ିଲେ ରୋହିତ, ଜସପ୍ରୀତ ବୁମରା ଅଧିନାୟକ

ନୂଆଦିିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରୁ ବାଦ ପଡ଼ିଲେ କ୍ରିକେଟର ରୋହିତ ଶର୍ମା। କରୋନାରେ ଆକ୍ରାନ୍ତ ହେବା ପରେ ରୋହିତଙ୍କୁ ଟେଷ୍ଟ ମ୍ୟାଚରୁ ବାଦ ଦିଆଯାଇଥିବା ଜଣାପଡ଼ିଛି। ତାଙ୍କ ସ୍ଥାନରେ ଦ୍ରୁତ ବୋଲର ଜସପ୍ରୀତ ବୁମରାଙ୍କୁ ଟେଷ୍ଟ ଦଳର ଅଧିନାୟକ କରାଯାଇଛି। ବୁମରା ଭାରତୀୟ ଟେଷ୍ଟ ଦଳର ୩୬ତମ ଅଧିନାୟକ ହେବେ। ଏଥିସହ, ୧୯୮୩ବିଶ୍ୱକପ ବିଜେତା ତଥା ପୂର୍ବତନ ଅଧିନାୟକ କପିଲ ଦେବଙ୍କ ପରେ ସେ ପ୍ରଥମ ଦ୍ରୁତ ବୋଲର ହେବେ, ଯିଏ ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ। ବୁମରାଙ୍କ ପାଇଁ ଏହା ଏକ ବଡ଼ ସଫଳତା ବୋଲି ଚର୍ଚ୍ଚା ହେଉଛି।

ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ରୋହିତ ଶର୍ମା ଭାରତୀୟ ଦଳର ଅଧିନାୟକ ଥିଲେ। କିନ୍ତୁ ଲେସ୍‌ଟୁସାୟାର୍‌ କାଉଣ୍ଟି କ୍ଲବ୍‌ ବିପକ୍ଷରେ ଚାଲିଥିବା ୱାର୍ମ-ଅପ୍ ମ୍ୟାଚ୍ ସମୟରେ ସେ କରୋନା ସଂକ୍ରମିତ ହେବାରୁ ତାଙ୍କୁ ମ୍ୟାଚରୁ ବାଦ ଦିଆଯାଇଛି। ତେଣୁ ତାଙ୍କ ସ୍ଥାନରେ ଜସପ୍ରୀତ ବୁମରା ଇଂଲଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟ ମ୍ୟାଚ୍ ପାଇଁ ଦଳର ଅଧିନାୟକ ହେବେ।

ସୂଚନାଯୋଗ୍ୟ, ୨୦୨୧ ମସିହାରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ୍ କୋଭିଡ-୧୯ କାରଣରୁ ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ ଏହି ମ୍ୟାଚ ଜୁଲାଇ ୧ରୁ ଖେଳାଯିବ। ଏହି ସିରିଜରେ ଟିମ୍ ଇଣ୍ଡିଆ ବର୍ତ୍ତମାନ ୨-୧ରେ ଆଗୁଆ ରହିଛି। ଇଂଲଣ୍ଡ ବିପକ୍ଷ ସ୍ଥଗିତ ଟେଷ୍ଟ ସିରିଜରେ ରୋହିତ ଶର୍ମା ଭାରତ ପାଇଁ ଅଗ୍ରଣୀ ରନ୍ ସ୍କୋରର ଥିଲେ। ସେ ଗୋଟିଏ ଶତକ ଏବଂ ୨ଟି ଅର୍ଦ୍ଧଶତକ ସହିତ ମୋଟ ୩୬୮ରନ୍ ସ୍କୋର କରିଥିଲେ।

ସମ୍ବନ୍ଧିତ ଖବର