ପ୍ରଥମ ଶ୍ରେଣୀ କ୍ରିକେଟ ଆରମ୍ଭ ସମୟରେ ସ୍ଲେଜିଂର ସାମ୍ନା କରିଥିଲେ ତନ୍ମୟ ଶ୍ରୀବାସ୍ତବ

ନୂଆଦିଲ୍ଲୀ, ୧୩|୯: ୨୦୦୮ରେ ଖେଳାଯାଇଥିବା ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ବକପ୍‌ର ସର୍ବାଧିକ ରନ୍‌ ସଂଗ୍ରହକାରୀ ତନ୍ମୟ ଶ୍ରୀବାସ୍ତବଙ୍କ ପ୍ରଥମ ଶ୍ରେଣୀ କ୍ରିକେଟ ଯାତ୍ରା ଅତ୍ୟନ୍ତ କଠିନ ସମୟ ଦେଇ ଆରମ୍ଭ ହୋଇଥିଲା। ବିରାଟ କୋହଲିଙ୍କ ନେତୃତ୍ବାଧୀନ ଭାରତୀୟ ଦଳର ପ୍ରମୁଖ ଅସ୍ତ୍ର ପାଲଟିଥିବା ତନ୍ମୟଙ୍କୁ ପ୍ରଥମ ଶ୍ରେଣୀ କ୍ରିକେଟ ବେଳେ ଅନେକ ‌ଥର ସ୍ଲେଜିଂର ସାମ୍ନା କରିବାକୁ ପଡ଼ିଥିବା ସେ ଏକ ସାକ୍ଷାତକାରରେ କହିଛନ୍ତି। ଉକ୍ତ ବିଶ୍ବକପ୍‌ରେ ତନ୍ମୟ ୫ ମ୍ୟାଚରୁ ୫୨.୪୦ ହାରରେ ୨୬୨ ରନ୍‌ ସଂଗ୍ରହ କରିଥିଲେ।

ବର୍ତ୍ତମାନ ପ୍ରଥମଶ୍ରେଣୀ କ୍ରିକେଟରେ ବରିଷ୍ଠ ଖେଳାଳି ହୋଇସାରିଥିବା ବାମହାତୀ ବ୍ୟାଟ୍ସମ୍ୟାନ ତନ୍ମୟଙ୍କ କହିବାନୁସାରେ, ବିଶ୍ବକପ୍‌ରେ ବିଜେତା ହୋଇ ଆସିବା ପରେ ଯେତେବେଳେ ରଣଜୀ ଟ୍ରଫି ଖେଳିବାକୁ ଗଲି, ସେତେବେଳେ ତାଙ୍କୁ ଥଟ୍ଟା କରାଯାଉଥିଲା। କ୍ରି‌ଜ୍‌ରେ ଗାର୍ଡ ନେଉଥିବା ବେଳେ ‘ଇଏ ୧୯ ବର୍ଷରୁ କମ୍‌ କ୍ରିକେଟ ନୁହେଁ କି ପିଲାମାନଙ୍କ ଖେଳ ନୁହେଁ’ ବୋଲି ବାରମ୍ବାର ସ୍ଲିପ୍‌ ଅଞ୍ଚଳରୁ କୁହାଯାଉଥିଲା। କିନ୍ତୁ ଖେଳାଳିମାନେ ଏମିତି କାହିଁକି କହୁଛନ୍ତି ବୋଲି ମୁଁ ପ୍ରଥମରୁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ସମୟକ୍ରମେ ମୁଁ ବୁଝିଯାଇଥିଲି ଯେ ପ୍ରଥମ ଶ୍ରେଣୀ କ୍ରିକେଟ ହେଉଛି ପ୍ରକୃତ ପରୀକ୍ଷା। ଯେତେବେଳେ ତୁମେ ୧୯ ବର୍ଷରୁ କମ୍‌ କ୍ରିକେଟ ଖେଳିକି ଆସୁଛ, ସେତେବେଳେ ଅନେକ ଲୋକ ତୁମର ପ୍ରଦର୍ଶନକୁ ଅନୁକରଣ କରିବେ। ତେଣୁ ପ୍ରଥମ କିଛି ମ୍ୟାଚ ଗୁରୁତ୍ବବହନ କରୁଥିଲା। ଯଦି ସେଠାରେ ଭଲ ପ୍ରଦର୍ଶନ କରିବ, ତାହେଲେ ଦଳରେ ତୁମର ସ୍ଥାନ ପକ୍କା ହୋଇପାରିବ। କିନ୍ତୁ ଯଦି ଖରାପ ପ୍ରଦର୍ଶନ ହୁଏ, ତାହେଲେ ପୁଣି ଥରେ ବୟସ ଭିତ୍ତିକ କ୍ରିକେଟକୁ ଫେରିଯିବାକୁ ପଡ଼ିବ। ସେଠାରେ ଆଉଥରେ ଅଧିକରୁ ଅଧିକ ରନ୍‌ ସଂଗ୍ରହ କରି ସୁଯୋଗ ଅପେକ୍ଷାରେ ରହିବାକୁ ହେବ। ତେଣୁ ଯେତେବେଳେ ୧୯ ବର୍ଷରୁ କମ୍‌ ସ୍ତରରୁ ଖେଳିକି ପ୍ରଥମ ଶ୍ରେଣୀରେ ପ୍ରବେଶ କରୁଛେ, ସେତେବେଳେ ଆମ ପାଖରେ ବହୁତ କିଛି ଫାଇଦା ମିଳୁଛି। ତଥାପି ଏହି ସମୟରେ ଆମର ଦାୟିତ୍ବ ମଧ୍ୟ ବଢିଯାଉଥିବା ତନ୍ମୟ କହିଛନ୍ତି। ତନ୍ମୟ ବର୍ତ୍ତମାନ ଉତ୍ତରାଖଣ୍ଡ ପାଇଁ ପ୍ରଥମ‌ ଶ୍ରେଣୀ କ୍ରିକେଟ ଖେଳୁଛନ୍ତି। ଗତ ଋତୁର ଅଧାରୁ ଉନ୍ମୁକ୍ତ ଚାନ୍ଦ ଅଧିନାୟକତ୍ବରୁ ଓହରିଯିବାରୁ ତନ୍ମୟ ଦଳର ନେତୃତ୍ବ ନେଉଛନ୍ତି। ସେ ୯୦ଟି ପ୍ରଥମ ଶ୍ରେଣୀ ମ୍ୟାଚରୁ ୪୯୧୮ ରନ୍‌ସଂଗ୍ରହ କରିଛନ୍ତି।

କୋହଲିଙ୍କ ବିଷୟରେ ସେ କହିଛନ୍ତି ଯେ ତାଙ୍କ ସହିତ ଯେତେବେଳେ କୋହଲି ଖେଳୁୁଥିଲେ, ସେତେବେଳେ ସେ ସର୍ବଦା ଶ୍ରେଷ୍ଠ ହେବା ପାଇଁ ଚେଷ୍ଟା କରୁଥିଲେ। ସେ ବ୍ୟାଟିଂ କରୁଥିଲା ବେଳେ ସବୁଠୁ ଅଧିକ ରନ୍‌ କରିବାକୁ ଚାହୁଁଥିଲେ, କ୍ଷେତ୍ରରକ୍ଷଣ ବେଳେ ନିଜକୁ ଶ୍ରେଷ୍ଠ ଭାବେ ପ୍ରମାଣିତ କରୁଥିଲେ ଏବଂ ଯେତେବେଳେ ବି ଯାହା ଖେଳନ୍ତୁ ସବୁଥିରେ ସେ ଜିତିବା ଲକ୍ଷ୍ୟନେଇ ଖେଳୁଥିଲେ। ତେଣୁ ସେ ସବୁ ସମୟରେ ନିଜକୁ କିଛି ପ୍ରମାଣିତ କରିବାକୁ ଚାହୁଁଥିଲେ। କିଛି ବର୍ଷଧରି ‌କୋହଲି ତାଙ୍କ ଖେଳକୁ ଏକ ଅଲଗାସ୍ତରକୁ ନେଇପାରିଛନ୍ତି। ଯଦି ତାଙ୍କର ବ୍ୟାଟିଂ, କ୍ଷେତ୍ରରକ୍ଷଣ କିମ୍ବା ଶାରୀରିକ ଦକ୍ଷତାକୁ ନଜର ପକାଯାଏ, ତାହେଲେ ସମଗ୍ର ବିଶ୍ବ ତାଙ୍କର ପ୍ରଶଂସକ ପାଲଟିଯାଇଛି। ତାଙ୍କ ଖେଳରେ ଯାହା ପରିବର୍ତ୍ତନ ଆସିଛି ଏବଂ ସେ ଯାହା ବଳିଦାନ ଦେଇଛନ୍ତି, ସେଥିପାଇଁ‌ ସେ ଏବେ ବିଶ୍ବରେ ଶ୍ରେଷ୍ଠ ଖେଳାଳିର ମାନ୍ୟତା ପାଇପାରିଥିବା ତନ୍ମୟ କହିଛନ୍ତି।

ସମ୍ବନ୍ଧିତ ଖବର