ଜୋହାନେସ୍ବର୍ଗ:ଖେଳାଳି ବଦଳିଲେ ବି ଭାରତର ଭାଗ୍ୟ ବଦଳିବାର ନା ଗନ୍ଧ ଧରିନାହିଁ। ଅଜିଙ୍କ୍ୟ ରାହାଣେଙ୍କ ପ୍ରତ୍ୟାବର୍ତନ ବି ନିଷ୍ଫଳ ରହିଲା। ଶୃଙ୍ଖଳାରେ ତୃତୀୟ ଥର ଭାରତ ୨୦୦ ରନ୍ ତଳେ ଅଲଆଉଟ୍ ହୋଇଛି। ଟେଷ୍ଟ୍ କ୍ରିକେଟ୍ ଇତିହାସ ଦେଖିଲେ ଦକ୍ଷିଣ ଆଫ୍ରିକା ଗସ୍ତରେ ପ୍ରଥମ ଥର ଏକ ଟେଷ୍ଟ୍ ମ୍ୟାଚ୍ର ପ୍ରଥମ ଦିନରେ ହିଁ ଅଲଆଉଟ୍ ହେବାର ଆଲୋଡ଼ା କୀର୍ତିମାନ କଲା କୋହଲି ଦଳ। ୭୬.୪ ଓଭରରେ ଭାରତ ସମସ୍ତ ଓ୍ଵିକେଟ୍ ହରାଇ ପ୍ରଥମ ପାଳିରେ କରିଛି ୧୮୭ ରନ୍। ଜବାବରେ ଘରୋଇ ଦକ୍ଷିଣ ଆଫ୍ରିକା ୬ ଓଭରରେ ୬ ରନ୍ କରି ଗୋଟିଏ ଓ୍ଵିକେଟ୍ ହରାଇଛି। ଏକମାତ୍ର ଓ୍ଵିକେଟ୍ ଭାବେ ଐଦେନ୍ ମର୍କରାମଙ୍କ ଓ୍ଵିକେଟ୍ ନେଇଛନ୍ତି ଭୁବନେଶ୍ୱର କୁମାର।
ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍ ଜିତିବା ଓ୍ଵଣ୍ଡରର୍ସରେ ଏକମାତ୍ର ବ୍ୟତିକ୍ରମ ଥିଲା। ପ୍ରଥମେ ବ୍ୟାଟିଂ କରିବାର ସାହସିକ ନିଷ୍ପତ୍ତି କୋହଲିଙ୍କ ପାଇଁ ବୁମେରାଂ ହୋଇଥିଲା। ସବୁଜ ପିଚ୍ରେ ଭାରତୀୟ ବ୍ୟାଟର୍ ସଂଘର୍ଷ କରିଥିଲେ ପ୍ରଥମରୁ। ନବମ ଓଭର ନ ସରୁଣୁ ଭାରତର ପ୍ରାରମ୍ଭିକ ଯୋଡ଼ି ମୁରଲୀ ବିଜୟ (୮) ଏବଂ ଲୋକେଶ ରାହୁଲ (୦) ପ୍ୟାଭିଲିଅନ୍ ଫେରି ଯାଇଥିଲେ। କାଗିସୋ ରବାଦା ଏବଂ ଭର୍ନାନ୍ ଫିଲାଣ୍ଡର୍ ଉଭୟଙ୍କୁ ଓ୍ଵିକେଟ୍ ପଛପଟେ କ୍ୱିଣ୍ଟନ୍ ଡି’କକ୍ଙ୍କ ଗ୍ଲୋଭ୍ସରେ କ୍ୟାଚ୍ କରାଇଥିଲେ। ଭାରତ ୧୩/୨ରେ ପହଞ୍ଚିଯିବା ପରେ ପୁରୁଣା ରୋଗର ଅଭ୍ୟାସରେ ପଡ଼ିଥିଲେ। ଅଧିନାୟକ ବିରାଟ କୋହଲି ଏବଂ ଚେତେଶ୍ୱର ପୂଜାରାଙ୍କ ମଧ୍ୟରେ ତୃତୀୟ ଓ୍ଵିକେଟ୍ ପାଇଁ ୮୪ ରନ୍ ଭାଗୀଦାରି ହୋଇଥିଲା। କୋହଲି (୫୪, ୧୦୬ ବଲ୍, ୯ ଚୌକା) ଅର୍ଧଶତକ ହାସଲ କରିବା ପରେ ନବାଗତ ଲୁଙ୍ଗି ଏନ୍ଗିଡ଼ିଙ୍କ ବୋଲିଂରେ ତୃତୀୟ ସ୍ଲିପ୍ରେ ତାଙ୍କ ବାଙ୍ଗାଲୋର୍ ରୟାଲ୍ ଚାଲେଞ୍ଜର୍ସ ସାଥୀ ଏବି ଡି’ଭିଲିୟର୍ସଙ୍କ ହାତରେ ଧରାପଡ଼ିଥିଲେ। ଲଗାତାର ଟେଷ୍ଟ୍ରେ ଏନ୍ଗିଡ଼ି ଭାରତୀୟ ଅଧିନାୟକଙ୍କ ଓ୍ଵିକେଟ୍ ନେବାର ପୁରସ୍କାର ପାଇଥିଲେ। ଏହା ପରେ ଅନେକ ବିତର୍କ ପରେ ରୋହିତ ଶର୍ମାଙ୍କ ବଦଳରେ ଖେଳିଥିବା ଅଜିଙ୍କ୍ୟ ରାହାଣେଙ୍କ ପାଳି ମାତ୍ର ୨୭ ବଲ୍ ୯ ରନ୍ ଏବଂ ଗୋଟିଏ ଚୌକାରେ ସୀମିତ ରହିଥିଲା। ମର୍ନି ମର୍କେଲ୍ ତାଙ୍କୁ ଲେଗ୍ ବିଫୋର ଓ୍ଵିକେଟ୍ କରାଇବାରେ ସଫଳ ହୋଇଥିଲେ। ରାହାଣେ ଏହାର ରିଭ୍ୟୁ କରିଥିଲେ ମଧ୍ୟ ଡିଆର୍ଏସ୍ ନିଷ୍ପତି ଲେଉଟାଇ ଦେଇଥିଲା। କୋହଲି ଏବଂ ପୂଜାରା ଦେଖାଇଥିବା ଅସୀମ ଧୈର୍ଯ୍ୟର ସୁଫଳ କିନ୍ତୁ ନା ସେମାନେ ଉଠାଇଥିଲେ ନା ଅନ୍ୟମାନେ। ଓ୍ଵିକେଟରକ୍ଷକ ପାର୍ଥିବ ପଟେଲ୍ (୨, ୨୨ ବଲ୍), ହାର୍ଦିକ ପାଣ୍ଡ୍ୟା (୦), ମହମ୍ମଦ ସାମି (୮), ଈଶାନ୍ତ ଶର୍ମା (୦)ଙ୍କ ଲେଉଟାଣୀ ପର୍ବ ଭାରତୀୟ ଶିବିରକୁ ନତମସ୍ତକ କରି ଦେଇଥିଲା। ପଞ୍ଚମ ଓ୍ଵିକେଟ୍ ରୂପରେ ପୂଜାରା (୫୦, ୧୭୯ ବଲ୍, ୮ ଚୌକା) ପେଲୁକ୍ୱାୟୋଙ୍କ ବୋଲିଂରେ ଓ୍ଵିକେଟ୍ ପଛପଟେ ଧରାପଡ଼ିଥିଲେ। ଦଳୀୟ ସ୍କୋର୍ ୧୪୪ ରନରେ ୩ ଓ୍ଵିକେଟ୍ ହରାଇଥିବା ଭାରତ ୪୩ ରନ୍ରେ ହିଁ ଶେଷ ୬ ଓ୍ଵିକେଟ୍ ହରାଇ ୧୮୭ ରନ୍ରେ ଆତ୍ମସମର୍ପଣ କରିଥିଲା। ଶେଷ ଭାଗରେ ଭୁବନେଶ୍ୱର କୁମାର (୩୦, ୪୯ ବଲ୍, ୪ ଚୌକା)ଙ୍କ ପାଳି ହିଁ ଦଳକୁ ଅଧିକ ଲଜ୍ଜାରୁ ବଞ୍ଚାଇଥିଲା। ୫ ଜଣିଆ ଦ୍ରୁତ ବୋଲିଂ ବାହିନୀ ନେଇ ଖେଳିଥିବା ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରବାଦା ସର୍ବାଧିକ ୩ ଓ୍ଵିକେଟ୍ ନେଇଥିବାବେଳେ ମର୍ନି ମର୍କେଲ, ଭର୍ନାନ୍ ଫିଲାଣ୍ଡର୍, ଆନ୍ଦିଲ୍ ଫେଲୁକ୍ୱାୟୋ ୨ ଲେଖାଏଁ ଏବଂ ଲୁଙ୍ଗି ଏନ୍ଗିଡି ଗୋଟିଏ ଦଖଲ କରିଥିଲେ। ଭାରତୀୟମାନେ କିନ୍ତୁ ପୁଣି ଥରେ ଖରାପ ସଟ୍ ଚୟନ କରି ଓ୍ଵିକେଟ୍ ଫିଙ୍ଗିବାର ଏକାଧିକ ଉଦାହରଣ ଛାଡ଼ିଥିଲେ।
ଖାତା ଖୋଲିବା ପୂର୍ବରୁ ୫୩ ବଲ୍
ଭାରତୀୟ ଦଳର ଏକମାତ୍ର ନିର୍ଭରଯୋଗ୍ୟ ରକ୍ଷଣାତ୍ମକ ବ୍ୟାଟସ୍ମ୍ୟାନ୍ ଚେତେଶ୍ୱର ପୂଜାରା ବୁଧବାର ଦକ୍ଷିଣ ଆଫ୍ରିକା ବୋଲରଙ୍କ ଢ଼େର ପରୀକ୍ଷା ନେଇଥିଲେ। ଅସୀମ ଧୈର୍ଯ୍ୟ, ସାହସ ଓ ସଂଜମତା ଦେଖାଇଥିବା ପୂଜାରାଙ୍କ ରକ୍ଷଣଭାଗକୁ ଭେଦିବାକୁ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଥିଲା। ପୂଜାରା କିନ୍ତୁ ଖାତା ଖୋଲିବା ପୂର୍ବରୁ ୫୩ ଡଟ୍ ବଲ୍ ଖେଳିଥିଲେ। କ୍ରମେ ରନ୍ ହାର ବଢ଼ାଇ ଅର୍ଧଶତକ ପୂର୍ଣ୍ଣ କରିଥିଲେ। ୧୭୩ ବଲ୍ରୁ ଅର୍ଧଶତକ ହାସଲ କରିବାର ମାତ୍ର ୬ ବଲ୍ ପରେ କିନ୍ତୁ ଆଉଟ୍ ହୋଇଯାଇଥିଲେ। ତାଙ୍କ ପାଳିରେ ୯ ଚୌକା ସାମିଲ ଥିଲା।
୬୦ ଭାଗ ବାଉଣ୍ଡରିରୁ
ଭାରତର ୧୮୭ ରନ୍ ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ରନ୍ (୫୯.୮୯) ବାଉଣ୍ଡରିରୁ ମିଳିଥିଲା। ୧୧୨ ରନ୍ ଏଭଳି ରୂପରେ ଆସିଥିଲା। ୨୪ ଚୌକା ବ୍ୟାଟ୍ରୁ, ଗୋଟିଏ ଓ୍ଵାଇଡ୍ ଚୌକା, ଗୋଟିଏ ଲେଗ୍ ବାଇ ଚୌକା, ଦୁଇଟି ବାଇ ଚୌକାରୁ ଆସିଥିଲା ଏହି ୧୧୨ ରନ୍।
ଭାଗ୍ୟବାନ କୋହଲି-ପୂଜାରା
ଭାରତ ପାଳିରେ ମାତ୍ର ଦୁଇଟି ଅର୍ଧଶତକ ମାରିଥିଲେ ବିରାଟ କୋହଲି ଏବଂ ଚେତେଶ୍ୱର ପୂଜାରା। କିନ୍ତୁ ଉଭୟ ଭାଗ୍ୟ ବଳରେ ହିଁ ଏହି ବ୍ୟକ୍ତିଗତ ସଫଳତା ପାଇଥିଲେ। କୋହଲି ଦୁଇ ଥର କ୍ୟାଚ୍ ଡ୍ରପ୍ କାରଣରୁ ଜୀବନଦାନ ପାଇଥିଲେ। ମଧ୍ୟ ଏହାର ଫାଇଦା ଉଠାଇ ପାରିନଥିଲେ।
ଅନ୍ୟୁନ ୨ ଅର୍ଧଶତକରେ ଚତୁର୍ଥ ସର୍ବନିମ୍ନ
ଭାରତ ପାଳିରେ ଥିଲା ୨ଟି ଅର୍ଧଶତକ। କୌଣସି ଟେଷ୍ଟ୍ ମ୍ୟାଚର ଏକ ପାଳିରେ ଅନ୍ୟୁନ ୨ ଅର୍ଧଶତକ ସାମିଲ ଥିବାବେଳେ ଭାରତର ୧୮୭ ରନ୍ ହୋଇଥିଲା ଦେଶ ପାଇଁ ମିଳିତ ଚତୁର୍ଥ ସର୍ବନିମ୍ନ ସ୍କୋର୍। ୧୯୫୨ରେ ଲିଡ୍ସରେ ଇଂଲଣ୍ଡ ବିପକ୍ଷରେ ୧୬୫, ୧୯୬୯-୭୦ରେ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୭୧ ରନ୍, ୧୯୭୪ରେ ମଞ୍ଚେଷ୍ଟରରେ ଇଂଲଣ୍ଡ ବିପକ୍ଷରେ ୧୮୨ ରନ୍ ରହିଛି ଆଗରେ। ୧୯୬୧-୬୨ରେ ବ୍ରିଜ୍ଟାଉନ୍ରେ େଓ୍ଵଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ମଧ୍ୟ ସମାନ ୧୮୭ ରନ୍ କରିଥିଲା।