ପ୍ରଥମ ଦିବସରେ ଭାରତ ୩୪୭/୬

ଧାଓ୍ଵନ-ବିଜୟ ଶତକ ପରେ ଆଫଗାନିସ୍ତାନ ଲେଉଟିଲା

ବେଙ୍ଗାଲୁରୁ: ଟେଷ୍ଟ୍‍ କ୍ରିକେଟ୍‌କୁ ନିଆରା ଢଙ୍ଗରେ ପଦାର୍ପଣ କରିଛି ଅନ୍ୟତମ ଏସୀୟ ଦେଶ ଆଫଗାନିସ୍ତାନ। ପ୍ରଥମ ଦିବସରେ ୫୨ ଚୌକା, ୪ ଛକା ବରଣ କରିବା, ଆଗୁଆ ଡିଆର୍‌ଏସ୍‌ ନେଇ ଭାଣ୍ଡିଆ ହେବା, କ୍ୟାଚ୍‌ ଛାଡ଼ିବା, ଦୁଇଟି ଭିନ୍ନ ଶତକକୁ ଆଗକୁ ବଢ଼ିବାକୁ ନ ଦେବା ପରେ ଶେଷ ଅଧିବେଶନରେ ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିଛି ଏହି ଉଦୀୟମାନ ଦେଶ। ଚା’ପାନ ବିରତି ପରେ ୫ ଓ୍ଵିକେଟ୍‌ ଦଖଲ କରି ନେଇ ମ୍ୟାଚ୍‌କୁ ପ୍ରତ୍ୟାବର୍ତନ କରିଛି। କିନ୍ତୁ ଏହା ପୂର୍ବରୁ ଶିଖର ଧାଓ୍ଵନ ଏବଂ ମୁରଲୀ ବିଜୟଙ୍କ ଅଲଗା ଶୈଳୀର ଶତକ ବଳରେ ଭାରତ ଦୃଢ଼ ମୂଆଦୁଆ ପକାଇ ସାରଥିଲା। ଫଳରେ ପ୍ରଥମ ଦିନକୁ ୬ ଓ୍ଵିକେଟ୍‌ରେ ୩୪୬ ରନ୍‌ରେ ଶେଷ କରିଛି।

ବାଙ୍ଗାଲୋର୍‌ର ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଗୁରୁବାର ସକାଳେ ଭାରତୀୟ ଅଧିନାୟକ ଅଜିଙ୍କ୍ୟ ରାହାଣେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବାଙ୍ଗାଲୋର୍‌ ପରିବେଶରେ ଆଫଗାନିସ୍ତାନର ଦୁଇ ଦ୍ରୁତ ବୋଲର୍‌ ବଫାଦାର ଏବଂ ୟାମିନ୍‌ ଅହମ୍ମଦଜାଇ ଭଲ ବୋଲିଂ କରିଥିଲେ ମଧ୍ୟ ଭାରତୀୟ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ଙ୍କ ଉପରେ ପ୍ରଭାବ ପକାଇ ପାରିନଥିଲେ। ବିଶେଷ କରି ଶିଖର ଧାଓ୍ଵନ ତାଙ୍କ ଆକ୍ରାମକ ଟେ୍ଵଣ୍ଟି-୨୦ ରୂପକୁ ଟେଷ୍ଟ୍‍ରେ ମଧ୍ୟ ଜାରି ରଖିଥିଲେ। ତାଙ୍କ ନିକଟକୁ ଆସିଥିବା ସର୍ଟ ପିଚ୍‌ ବଲ୍‌କୁ ସେ ପ୍ରତି ଥର ସୀମା ସେପାଖକୁ ପଠାଇ ଦେଉଥିଲେ। ଫଳରେ ପ୍ରଥମ ଭାରତୀୟ ଭାବେ କୌଣସି ଏକ ଟେଷ୍ଟ୍‍ର ମଧ୍ୟାହ୍ନ ଭୋଜନ ପୂର୍ବରୁ ଶତକ ହାସଲ କରି ନେଇଥିଲେ। ୪୭ ବଲ୍‌ରୁ ୫୦ ଏବଂ ୮୭ ବଲ୍‌ରୁ ୧୦୦ ଅତିକ୍ରମ କରିଯାଇଥିଲେ। ଭାରତର ୧୫୦ ରନ୍‌ ଭାଗୀଦାରିରେ ଧାଓ୍ଵନଙ୍କ ଅବଦାନ ୧୦୦ ଥିବା ବେଳେ ବିଜୟ ୪୦ ରନ୍‌ ଯୋଗଦାନ ରଖିଥିଲେ। ମଧ୍ୟାହ୍ନ ଭୋଜନ ବେଳକୁ ଭାରତ ୧୫୮/୦ରେ ରହିଥିଲା। ମଧ୍ୟାହ୍ନ ଭୋଜନ ପରେ ଧାଓ୍ଵନ (୧୦୭, ୯୬ ବଲ୍‌, ୧୯ ଚୌକା, ୩ ଛକା) ବିଶେଷ ଆଗକୁ ବଢ଼ି ପାରିନଥିଲେ। ୟାମିନ୍‌ ଅହମ୍ମଦଜାଇଙ୍କ ବୋଲିଂରେ ସେ ମହମ୍ମଦ ନବିଙ୍କୁ କ୍ୟାଚ୍‌ ଦେଇ ଫେରିଥିଲେ। ଦ୍ୱିତୀୟ ସ୍ଲିପ୍‌ରେ ରହମତ୍‌ ସାହାଙ୍କ ହାତକୁ କ୍ୟାଚ୍‌ ଯାଇଥିଲେ ମଧ୍ୟ ସେ ଏହାକୁ ଧରି ପାରିନଥିଲେ କିନ୍ତୁ ପ୍ରଥମ ସ୍ଳିପ୍‌ରେ ନବି ଏହାକୁ ହାତଛଡ଼ା ହେବାକୁ ଦେଇନଥିଲେ। ଧାଓ୍ଵନଙ୍କ ପାଲଟା ପାଳି ଖେଳି ମୁରଲୀ ବିଜୟ ୮୦ ବଲ୍‌ରୁ ୫୦ ଏବଂ ୧୪୩ ବଲ୍‌ରୁ ଶତକ ପୂର୍ଣ୍ଣ କରିଥିଲେ। ଧାଓ୍ଵନ ନିଜର ସପ୍ତମ ଟେଷ୍ଟ୍‍ ଶତକ ହାସଲ କରିଥିବା ବେଳେ ବିଜୟଙ୍କର ଏହା ଥିଲା ଦ୍ୱାଦଶ। ଚା’ପାନ ବିରତିର ପୂର୍ବ ଓ ପରବର୍ତୀ ସମୟରେ ବର୍ଷା କାରଣରୁ ମ୍ୟାଚ୍‌ ବାଧାପ୍ରାପ୍ତ ହୋଇଥିଲା। ଦ୍ୱିତୀୟ ଅଧିବେଶନରେ ୧୮.୧ ଓଭରରେ ଭାରତ ଗୋଟିଏ ଓ୍ଵିକେଟ୍‌ ହରାଇ ୯୦ ରନ୍‌ ଯୋଡ଼ିଥିଲା। କିନ୍ତୁ ପାଗ ପରିବର୍ତନ ସହିତ ଶେଷ ଅଧିବେଶନରେ ଆଫଗାନିସ୍ତାନର ଭାଗ୍ୟ ବଦଳି ଯାଇଥିଲା। ୬୩ ରନ୍‌ ଭିତରେ ୫ ଓ୍ଵିକେଟ୍‌ ନେଇ ଅସଗର ଷ୍ଟାନିକ୍‌ଜାଇଙ୍କ ଦଳ ଭାରତକୁ ଝଟ୍‌କା ପରେ ଝଟ୍‌କା ଦେଇ ମ୍ୟାଚ୍‌କୁ ଫେରିଥିଲା। ପ୍ରଥମ ୩ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଧାଓ୍ଵନ-୧୦୭, ବିଜୟ-୧୦୫, ରାହୁଲ-୫୪ଙ୍କ ପରେ ଚେତେଶ୍ୱର ପୂଜାରା (୩୫), ଅଧିନାୟକ ଅଜିଙ୍କ୍ୟ ରାହାଣେ (୧୦), ଓ୍ଵିକେଟରକ୍ଷକ ଦୀନେଶ କାର୍ତିକ (୪) ସୀମିତ ରହିଥିଲେ। ୮ ବର୍ଷ ଓ ୮୭ ଟେଷ୍ଟ୍‍ ପରେ କ୍ରିକେଟ୍‌କୁ ଫେରିଥିବା କାର୍ତିକ ରନ୍‌ ଆଉଟ୍‌ ହୋଇଥିଲେ। ଶେଷ ଅଧିବେସନରେ ଭାରତ ୩୨.୫ ଓଭରରେ ୯୯ ରନ୍‌ ଯୋଡ଼ି ୫ ଓ୍ଵିକେଟ୍‌ ହରାଇବା ଆଫଗାନିସ୍ତାନକୁ ଆଶ୍ୱସ୍ତିର ସହ ପଡ଼ିଆରୁ ଯିବାକୁ ଦେଇଥିଲା।

ସମ୍ବନ୍ଧିତ ଖବର