ଭୁବନେଶ୍ୱର: ପୂର୍ବାଞ୍ଚଳ ଆକାଉଣ୍ଟ୍ସ ଓ ଅଡିଟ୍ (ଏଜି) ହକି ପ୍ରତିଯୋଗିତା କଳିଙ୍ଗ ଷ୍ଟାଡିୟମରେ ଗୁରୁବାର ଏବଂ ଶୁକ୍ରବାର ଦୁଇଦିନ ଧରି ଆୟୋଜିତ ହେବ। ତିନିଟି ଦଳକୁ ନେଇ ୧୮ ତାରିଖରୁ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତାର ପ୍ରଥମ ଦିନ ଆୟୋଜକ ଓଡ଼ିଶା ଗତ ବର୍ଷର ଉପବିଜେତା ଝାଡ଼ଖଣ୍ଡକୁ ଭେଟିବ। ଏହି ମୁକାବିଲାର ବିଜେତା ଦଳ ଶୁକ୍ରବାର ଫାଇନାଲ୍ରେ ଗତ ବର୍ଷର ବିଜେତା ପଶ୍ଚିମବଙ୍ଗକୁ ଭେଟିବ। ମ୍ୟଚ୍ଗୁଡ଼ିକ ଅପରାହ୍ଣ ୩ଟାରେ କଳିଙ୍ଗ ଷ୍ଟାଡିୟମ ଦ୍ୱିତୀୟ ହକି ପଡ଼ିଆରେ ଖେଳାଯିବ।
ଉଦ୍ଘାଟନୀ ଉତ୍ସବରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ସାଂସଦ ଦିଲ୍ଲୀପ ତିର୍କି ଯୋଗଦେବେ। ଉଦ୍ଯାପନୀ ଉତ୍ସବରେ ଅତିଥି ଭାବେ ପ୍ରଧାନ ମହାଲେଖାଗାର ମଧୁମିତା ବସୁ, ଯଶୋଧାରା ରାୟ ଚୌଧୁରୀ ଏବଂ ମହାଲେଖାଗାର ଆର୍ ଅମ୍ବଲାଭାନନ୍ ଯୋଗଦେବାର ରହିଛି ବୋଲି ମଙ୍ଗଳବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆୟୋଜକ ସମିତିର ମୁଖ୍ୟ ତଥା ବରିଷ୍ଠ ଉପ ମହାଲେଖାଗାର ଅଶୋକ କୁମାର ଯୋଶୀ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଉପମହାଲେଖାଗାର ଡକ୍ଟର ନନ୍ଦ ଦୁଲାଲ ଦାସ, କଲ୍ୟାଣ ଅଧିକାରୀ ମାନସ ସିଂହ, ବରିଷ୍ଠ ଲେଖାଅଧିକାରୀ (କଲ୍ୟାଣ) ଗଗନ ଚନ୍ଦ୍ର ବେହେରା ଏବଂ ଅଶୋକ ପଣ୍ଡା ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। ଏଥିସହ ମଙ୍ଗଳବାର ଓଡ଼ିଶା ଦଳ ମଧ୍ୟ ଘୋଷିତ ହୋଇଥିଲା।
ଦଳ: ଅଭୟ କୁମାର ସାମନ୍ତରାୟ (ଅଧିନାୟକ), ଅମଲ ପାଲ, ଅୟୁବ କେର୍କେଟା, ମନୀଷ କୁମାର ଶର୍ମା, ଏନ୍ ଜିତେନ ସିଂହ, ଫିଲମୋନ୍ ଟେଟେ, ରାହୁଲ ଯାଦବ, ରଜତ କୁମାର ଖେସ୍, ସରୋଜ କୁମାର ଟପ୍ପୋ, ତେଜ କୁମାର ତିର୍କି, ବୀରେନ୍ଦ୍ର ଯାଦବ, ପ୍ରଶାନ୍ତ ତିର୍କି, ସତୀଶ ଯାଦବ, ତେଓଫିଲ୍ କୁଜୁର, ଟିକେଇ କୁଜୁର, ଅସିତ କୁମାର ଲାକ୍ରା, ଅଜୟ କୁମାର ସାହାଣୀ। ରାଜେଶ ଡୁଙ୍ଗ୍ ଡୁଙ୍ଗ୍ (ପ୍ରଶିକ୍ଷକ) ଏବଂ ତାପସ କୁମାର ଦାସ (ପ୍ରବନ୍ଧକ)।