କୋଲକାତାରେ ପ୍ରଥମ ଦିବା-ରାତ୍ର ଟେଷ୍ଟ୍‌, ବାଂଲାଦେଶର ସବୁଜ ସଙ୍କେତକୁ ଅପେକ୍ଷା

କୋଲକାତା: କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମରେ ଭାରତୀୟ କ୍ରିକେଟ୍ ଦଳ ତା’ର ପ୍ରଥମ ଦିବା-ରାତ୍ର ଟେଷ୍ଟ୍‌ ଖେଳିବ। ବାଂଲାଦେଶର ଭାରତ ଗସ୍ତରେ ହିଁ ଏହି ମାଇଲଖୁଣ୍ଟ ମ୍ୟାଚ୍ ଆୟୋଜିତ ହେବ। ତେବେ ଏଥି ନେଇ ଚୂଡ଼ାନ୍ତ ଏବଂ ଆନୁଷ୍ଠାନିକ ଘୋଷଣା ଆସନ୍ତା‌ କିଛି ଦିନ ଭିତରେ ହେବ। ଆସନ୍ତାମାସର ଭାରତ ଗସ୍ତରେ ବାଂଲାଦେଶ ତିନିଟି ଟ୍ବେଣ୍ଟି-୨୦ ଏବଂ ଦୁଇଟି ଟେଷ୍ଟ୍‌ ଖେଳିବାର ଅଛି। ନଭେମ୍ବର ୨୨ରୁ ୨୬ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ୍‌କୁ ଦିବା-ରାତ୍ର ଭିତ୍ତିରେ ଖେଳିବାକୁ ବିସିସିଆଇ ଯୋଜନା କରୁଛି। ଏଥିନେଇ ଆନୁଷ୍ଠାନିକ ପ୍ରସ୍ତାବ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି)କୁ ପଠାଯାଇ ସାରିଛି। ବିସିବି ସବୁଜ ସଙ୍କେତ ଦେଲେ ଭାରତୀୟ କ୍ରିକେଟ୍ ପ୍ରେମୀ ନଭେମ୍ବରରେ ହିଁ ସ୍ବଦେଶରେ ଦିବା-ରାତ୍ର ଟେଷ୍ଟ୍‌ କ୍ରିକେଟ୍‌ର ମଜା ନେଇ ପାରିବେ। ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ସୋମବାର ଏହି ସୂଚନା ଦେଇଛନ୍ତି।

ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିସିସିଆଇର ସଭାପତି ପଦ ଗ୍ରହଣ କରିବା ପରେ ଭାରତରେ ଦିବା-ରାତ୍ର ଟେଷ୍ଟ୍‌ ଆୟୋଜନ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଏଥିନେଇ ଗାଙ୍ଗୁଲି ଅଧିନାୟକ କୋହଲିଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। କୋହଲି ବି ଦିବା-ରାତ୍ର ଟେଷ୍ଟ୍‌ ଖେଳିବାକୁ ସମ୍ମତି ଦେଇଥିବା ଜଣାପଡ଼ିଛି। ଗାଙ୍ଗୁଲି-କୋହଲି ରାଜି ହେବା ପରେ ହିଁ ଦୁଇଟି ବିଶ୍ବକପ୍ ଫାଇନାଲ୍ ଆୟୋଜନ କରିଥିବା ଇଡେନ୍ ଗାର୍ଡେନ୍ସକୁ ପ୍ରଥମ ଦିବା-ରାତ୍ର ଟେଷ୍ଟ୍‌ ପାଇଁ ବଛା ଯାଇଥିବା ସଂପୃକ୍ତ ଅଧିକାରୀ ସୂଚନା ଦେଇଛନ୍ତି। ଏହି ବିଷୟରେ ପ୍ରତିକ୍ରିୟା ପ୍ରକାଶ କରି ବିସିବିର କ୍ରିକେଟ୍ ପରିଚାଳନା ଅଧ୍ୟକ୍ଷ ଆକ୍ରମ ଖାନ୍ କହିଛନ୍ତି ଯେ ବିସିସିଆଇ ଆମକୁ ଏଥିନେଇ ପ୍ରସ୍ତାବ ଦେଇଛି। ଦିନେ ଦୁଇ ଦିନ ଭିତରେ ଆମେ ସେମାନଙ୍କୁ ଆମ ନିଷ୍ପତ୍ତି ଜଣାଇବୁ। ଏବେ ଏଥିନେଇ ଆଲୋଚନା ପର୍ଯ୍ୟାନୁଲୋଚନା ଚାଲିଛି। ଅନ୍ୟପକ୍ଷରେ ଖେଳାଳି ଏବଂ ଦଳୀୟ ଅଧିକାରୀଙ୍କ ଅନୁମତି ମିଳିଲେ ହିଁ ଆମେ ଏଥିନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ପାରିବୁ ବୋଲି ବିସିବିର ମୁଖ୍ୟ କାର୍ଯ୍ୟନିର୍ବାହୀ ନିଜାମୁଦ୍ଦିନ ଚୌଧୁରୀ କହିଛନ୍ତି। ଏହା ପୂର୍ବରୁ ଗତବର୍ଷ ଡିସେମ୍ବରରେ ‘ପିଙ୍କ ବଲ୍ ଟେଷ୍ଟ୍‌’କୁ ଦିବା-ରାତ୍ର ଭିତ୍ତିରେ ଖେଳିବାକୁ ଭାରତକୁ ଅଷ୍ଟ୍ରେଲିଆ ପ୍ରସ୍ତାବ ଦେଇଥିଲା। ଏହି ପ୍ରସ୍ତାବକୁ କିନ୍ତୁ ବିସିସିଆଇ ଗ୍ରହଣ କରି ନଥିଲା। ସେହି ସମୟରେ ରାଜକୋଟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦିବା-ରାତ୍ର ଟେଷ୍ଟ୍‌ ଖେଳିବାକୁ ମଧ୍ୟ କୋହଲି ଏବଂ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଯୋଜନା କରିଥିଲେ। ହେଲେ କୌଣସି କାରଣରୁ ଏହା ସମ୍ଭବ ହୋଇ ନଥିଲା। ପ୍ରଥମ ଦିବା-ରାତ୍ର ଟେଷ୍ଟ୍‌ ୨୦୧୫ରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଇଥିଲା। ଏହି ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ୩ ୱିକେଟ୍‌ରେ ଜିତି ନେଇଥିଲା।

ସମ୍ବନ୍ଧିତ ଖବର