ସେଞ୍ଚୁରିଅନ୍: ବିଳମ୍ବିତ ପ୍ରତ୍ୟାବର୍ତନ ସହିତ ସେଞ୍ଚୁରିଅନ୍ ଟେଷ୍ଟ୍ର ପ୍ରଥମ ଦିନ ସମ୍ମାନରେ ସମାନ ଭାଗ ପକାଇଛି ଭାରତ। ଚା’ପାନ ବେଳକୁ ୧୮୨/୨ରେ ପହଞ୍ଚି ପ୍ରାଧାନ୍ୟ ବିସ୍ତାର କରିଥିବା ଦକ୍ଷିଣ ଆଫ୍ରିକା ଦଳ ପ୍ରଥମ ଦିନ ଖେଳ ଶେଷ ବେଳକୁ ୬ ଓ୍ଵିକେଟ୍ରେ ୨୬୯ ରନ୍ କରିଛି। ପ୍ରାରମ୍ଭିକ ସଫଳତା ସହିତ ଅଶ୍ୱିନ୍ ୩ ଓ୍ଵିକେଟ୍ ନେବା ଏବଂ ହାର୍ଦିକ ପାଣ୍ଡ୍ୟା ଦୁଇ ଦୁଇଟି ରନ୍ ଆଉଟ୍ରେ ନିଜ ସମ୍ପୃକ୍ତି ରଖିବା ହିଁ ଭାରତକୁ ଶିର ଉଚ୍ଚା କରି ଫେରିବାର ସୁଯୋଗ ଦେଇଥିଲା।
ସୁପର ସ୍ପୋର୍ଟସ ପାର୍କରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। କେଉଁ ଦଳ କିଭଳି ପରିବର୍ତନ ସହ ଖେଳିବାକୁ ଆସିବା ବଡ଼ ଚର୍ଚାରେ ରହିଥିଲା। ଭାରତ ୩ଟି ପରିବର୍ତନ କରିଥିଲା କେପ୍ ଟାଉନ୍ ଟେଷ୍ଟ୍ ଦଳରେ। ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ଶିଖର ଧାଓ୍ଵନ, ଓ୍ଵିକେଟ୍ ରକ୍ଷକ ରିଦ୍ଧିମାନ ସାହା ଏବଂ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ବଦଳରେ ଭାରତ ଯଥାକ୍ରମେ ଲୋକେଶ ରାହୁଲ, ପାର୍ଥିବ ପଟେଲ୍ ଏବଂ ଈଶାନ୍ତ ଶର୍ମାଙ୍କୁ ଖେଳାଇଥିଲା। ଦକ୍ଷିଣ ଆଫ୍ରିକା ଦଳରେ ଆହତ ଡେଲ୍ ଷ୍ଟେନ୍ଙ୍କ ବଦଳରେ ଖେଳିଥିଲେ ଯୁବ ବୋଲର ଲୁଙ୍ଗୀ ଏନ୍ଗିଡ଼ି। ଦକ୍ଷିଣ ଆଫ୍ରିକାକୁ ପ୍ରାରମ୍ଭିକ ଓ୍ଵିକେଟ୍ରେ ମିଳିଥିଲା ୮୫ ରନ୍। ଡିନ୍ ଏଲଗାର ଏବଂ ଐଦେନ କାଏଲ ମର୍କରାମ ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ କୌଣସି କ୍ଷତି ପହଞ୍ଚାଇବାକୁ ଦେଇ ନ ଥିଲେ। ଅଫସ୍ପିନର୍ ରବିଚନ୍ଦ୍ରନ ଅଶ୍ୱିନଙ୍କ ଆଗମନ ପରେ ଭାରତୀୟ ବୋଲର ଚାପ ପକାଇବାରେ ସକ୍ଷମ ହୋଇଥିଲେ। ମର୍କରାମ ୭୧ ବଲ୍ରୁ ତାଙ୍କ ଅର୍ଧଶତକ ପୂର୍ଣ୍ଣ କରିଥିଲେ। ତେବେ ମଧ୍ୟାହ୍ନ ଭୋଜନ ବିରତି ପରବର୍ତୀ ତୃତୀୟ ଓଭରରେ ଏଲଗାର (୩୧, ୮୩ ବଲ୍, ୪ ଚୌକା) ଅଶ୍ୱିନ୍ ବିଦାୟ ରାସ୍ତା ଦେଖାଇଥିଲେ। ସର୍ଟ ଲେଗ୍ ବଦଳରେ ସିଲି ପଏଣ୍ଟ୍ରେ ଥିବା ମୁରଲୀ ବିଜୟଙ୍କ ଛାତିରେ ବଲ୍ ବାଜିବା ପରେ ସେ ଏହାକୁ ଶରୀର ସହାୟତାରେ ନିୟନ୍ତ୍ରଣକୁ ନେଇ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଅନ୍ୟତମ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ମର୍କରାମ (୯୪, ୧୫୦ ବଲ୍, ୧୫ ଚୌକା)ଙ୍କୁ କିନ୍ତୁ ଶତକରୁ ବଞ୍ଚିତ ରଖିଥିଲେ ଏହି ଅଭିଜ୍ଞ ସ୍ପିନର୍। ଅଫଷ୍ଟମ୍ପ୍ ବାହାରକୁ ଯାଉଥିବା ବଲ୍ ମର୍କରାମଙ୍କ ବ୍ୟାଟ୍ ଧାର ଛୁଇଁ ପାର୍ଥିବ ପଟେଲଙ୍କ ଗ୍ଲୋଭ୍ସକୁ ଯାଇଥିଲା। ମର୍କରାମ ଏହାକୁ ରିଭ୍ୟୁ କରିଥିଲେ ମଧ୍ୟ ବର୍ତିପାରି ନ ଥିଲେ। ନିଜର ତୃତୀୟ ଟେଷ୍ଟ୍ ଶତକରୁ ବଞ୍ଚିତ ରହିଥିଲେ।
ଚା’ପାନ ବିରତି ପରେ ଭାରତ ୪ ଓ୍ଵିକେଟ୍ ବାହାର କରିବାରେ ସକ୍ଷମ ହୋଇଥିଲା। ବିପଜ୍ଜନକ ଏବି ଡି’ଭିଲିାୟର୍ସ (୨୦, ୪୮ ବଲ୍, ୨ ଚୌକା)ଙ୍କୁ ଈଶାନ୍ତ ଶର୍ମା ପ୍ଲେଡ୍ ଅନ୍ କରାଇଥିଲେ। କିନ୍ତୁ ହାସିମ୍ ଆମଲା (୮୨, ୧୫୩ ବଲ୍, ୧୪ ଚୌକା)ଙ୍କୁ ହାର୍ଦିକ ପାଣ୍ଡ୍ୟା ରନ୍ ଆଉଟ୍ କରିବା ଭାରତକୁ ବଡ଼ ଉନ୍ମାଦନା ଦେଇଥିଲା। ନିଜ ବୋଲିଂରେ ପରେ ସର୍ଟ ଲେଗ୍ ଅଞ୍ଚଳରୁ ବଲ୍ ଉଠାଇଥିବା ପାଣ୍ଡ୍ୟାଙ୍କ ସିଧାସଳଖ ଥ୍ରୋରେ ଆମଲା ସିଧା ପ୍ୟାଭିଲିଅନ୍ ବାହୁଡ଼ିଥିଲେ। ପରବର୍ତୀ ଓଭରରେ କ୍ୱିଣ୍ଟନ୍ ଡି’କକ୍ଙ୍କୁ ନିଜ ଖେଳ ଜୀବନର ପ୍ରଥମ ଘରୋଇ ଶୂନରେ ଆଉଟ୍ କରିଥିଲେ ଅଶ୍ୱିନ୍। ସ୍ଲିପ୍ରେ ନିଜ ବାମ ପାର୍ଶ୍ୱକୁ ଢ଼ଳି କ୍ୟାଚ୍ କାବୁ କରିଥିଲେ କୋହଲି। ଏହାର ପରବର୍ତୀ ଓଭରରେ ଅଧିନାୟକ ଫାପ୍ ଡୁ ପ୍ଲେସିସ୍ଙ୍କ ବାରଣକୁ ନ ଶୁଣି ନିର୍ବୋଧତା ଭଳି ଦୌଡ଼ିଥିବା ଭର୍ନାନ୍ ଫିଲାଣ୍ଡର୍ ରନ୍ ଆଉଟ୍ ହୋଇଥିଲେ। ଦକ୍ଷିଣ ଆଫ୍ରିକା ୨୫୧/୬ରେ ପହଞ୍ଚିଥିଲା। ସ୍ପିନର୍ କେଶବ ମହରାଜ (୧୦*)ଙ୍କୁ ସାଥୀ କରି ଫାପ୍ ଡୁ ପ୍ଲେସିସ୍ (୨୪*, ୭୭ ବଲ୍, ୩ ଚୌକା) ଶନିବାରର ଶେଷ ୭ ଓଭର ହାତେଇ ନେଇଥିଲେ। କିନ୍ତୁ ଭାରତ ଭଲରେ ଦିନ ଶେଷ କରିଥିଲା। ଶେଷ ଘଣ୍ଟାକରେ ୩ ଓ୍ଵିକେଟ୍ ନେଇ ଭାରତ ପ୍ରତ୍ୟାବର୍ତନ କରିବାରେ ସକ୍ଷମ ହୋଇଛି ସୁପର ସ୍ପୋର୍ଟସ ପାର୍କରେ।
କ୍ୟାଚ୍ ଛଡ଼ା ଚର୍ଚା
ସେଞ୍ଚୁରିଅନ୍ ଟେଷ୍ଟ୍ରେ ଭାରତୀୟ ଖେଳାଳି ଏକାଧିକ କ୍ୟାଚ୍ ସୁଯୋଗ ହାତଛଡ଼ା କରିବା ଚର୍ଚାରେ ରହିଥିଲା। ଏସବୁ ହାତକୁ ଆସିଥିଲେ ଭାରତ ହୁଏତ ଦୃଢ଼ ସ୍ଥିତରେ ରହିପାରିଥାନ୍ତା। ସବୁଠାରୁ ବଡ଼ ସୁଯୋଗ ଛାଡ଼ିଥିଲେ ଗସ୍ତରେ ପ୍ରଥମ ସୁଯୋଗ ପାଇଥିବା ଓ୍ଵିକେଟରକ୍ଷକ ପାର୍ଥିବ ପଟେଲ୍। ହାସିମ୍ ଆମଲା ବ୍ୟକ୍ତିଗତ ଭାବେ ୩୦ ରନ୍ କରିଥିବାବେଳେ ଈଶାନ୍ତ ଶର୍ମାଙ୍କ ଏକ ଲେଗ୍ ସାଇଡ୍ ବଲ୍ ତାଙ୍କ ବ୍ୟାଟ୍ରୁ ବାହାରିଯାଉଥିଲା। ପାର୍ଥିବ ବାମକୁ ଲମ୍ବା ଡାଇଭ୍ ମାରିଥିଲେ ମଧ୍ୟ ବଲ୍କୁ ନିୟନ୍ତ୍ରଣକୁ ନେଇ ପାରିନଥିଲେ। ଆମଲା ଶେଷକୁ ୮୨ ରନ୍ କରି ପାଣ୍ଡ୍ୟାଙ୍କ ସିଧାସଳଖ ଥ୍ରୋରେ ରନ୍ ଆଉଟ୍ ହୋଇଥିଲେ। ଏହା ବ୍ୟତୀତ ଏକାଧିକ ଆଧା ସୁଯୋଗ କ୍ୟାଚ୍ ମଧ୍ୟ ହାତଛଡ଼ା ହୋଇଥିଲା। ଆମଲାଙ୍କ କ୍ୟାଚ୍ ପାଇଁ କିନ୍ତୁ ପ୍ରତ୍ୟାବର୍ତନକାରୀ ପାର୍ଥିବ ସବୁଠୁ ଅଧିକ ନିରାଶ ହେବେ ବୋଲି କହିଛନ୍ତି ଅଗରକର।
କ୍ୱିଣ୍ଟନ୍ଙ୍କ ପ୍ରଥମ ଶୂନ
ବିଦେଶ ମାଟିରେ ୭ ଥର ଶୂନରେ ଆଉଟ୍ ହୋଇଥିବା କ୍ୱିଣ୍ଟନ୍ ଡି’କକ୍ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଥର ଶୂନରେ ଆଉଟ୍ ହୋଇଥିଲେ ଶନିବାର। ଅନ୍ୟପକ୍ଷରେ ୭୬ ପାଳି ପରେ ରନ୍ ଆଉଟ୍ର ଶିକାର ହୋଇଥିଲେ ହାସିମ୍ ଆମଲା। ଶେଷ ଥର ପାଇଁ ସେ ୨୦୧୨ ମସିହାରେ ପର୍ଥ ଟେଷ୍ଟରେ ରନ୍ ଆଉଟ୍ ହୋଇଥିଲେ। ନିଜର ଅର୍ଧଶତକ ପାଳି ଅବସରରେ ସୁପରସ୍ପୋର୍ଟସ ପାର୍କରେ ଥିବା ଜ୍ୟାକ୍ କାଲିସ୍ଙ୍କ ସର୍ବାଧିକ ରନ୍ କୀର୍ତିମାନ (୧୨୬୭)କୁ କାଟିଥିଲେ ଆମଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/8-Ashwin-delivered-India-the-first-breakthrough-in-the-form-of-Dean-Elgar.jpeg)