ଲବୁସାନଙ୍କ ପ୍ରଥମ ଦ୍ବିଶତକ: ଅଷ୍ଟ୍ରେଲିଆ ୪୫୪

ସିଡ୍‌ନି: ମାର୍ନସ ଲବୁସାନ୍‌ଙ୍କ ପ୍ରଥମ ଟେଷ୍ଟ୍ ଦ୍ବିଶତକ (୨୧୫, ୩୬୩ ବଲ୍‌, ୧୯ ଚୌକା, ୧ ଛକା) ବଳରେ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୪୫୪ ରନ୍ କରିନେଇଛି। ଜବାବରେ ନ୍ୟୁଜିଲାଣ୍ଡ୍‌ ପ୍ରାରମ୍ଭିକ ଯୋଡ଼ି ଦଳକୁ ବିନା କ୍ଷତିରେ ଦ୍ବିତୀୟ ଦିନ ଶେଷ କରି ୬୩ ରନ୍ କରିଛନ୍ତି।

ଅଷ୍ଟ୍ରେଲିଆ ଶନିବାର ୨୮୩/୩ରୁ ଖେଳି ପ୍ରଥମ ଦୁଇ ଅଧିବେଶନ ବ୍ୟାଟିଂ କରିଥିଲା। ଲବୁସାନଙ୍କୁ କେହି ସାଥ୍‌ ଦେଇନଥିଲେ ମଧ୍ୟ ଟିମ୍ ପେନ୍‌ (୩୫)ଙ୍କ ସହ ଏକ ଅର୍ଧଶତକୀୟ ଭାଗୀଦାରି ହୋଇଥିଲା। ମିଚେଲ ଷ୍ଟାର୍କ (୨୨) ଶେଷ ଭାଗରେ ଭଲ ବ୍ୟାଟିଂ କରିଥିଲେ। ତଥାପି ଅଷ୍ଟ୍ରେଲିଆ ସମ୍ଭାବ୍ୟ ୫୦୦ ରନ୍‌ ଲକ୍ଷ୍ୟରେ ପହଞ୍ଚି ପାରିନଥିଲା। କଲିନ୍ ଗ୍ରାଣ୍ଡହୋମ୍‌ ଓ ନିଲ୍ ୱାଗନର୍‌ ପ୍ରତ୍ୟେକ ୩-୩ ୱିକେଟ୍ ନେଇଥିଲେ। ନିଜ ପ୍ରଥମ ଦ୍ବିଶତକ ପୂର୍ଣ୍ଣ କରିବାକୁ ୨୦ ମିନିଟ୍‌ ଧରି ଅପେକ୍ଷା କରିଥିବା ଲବୁସାନ ୧୯ ଚୌକା ବଳରେ ଏହି ସ୍ମରଣୀୟ ସଂଖ୍ୟା ଛୁଇଁଥିଲେ। ଦ୍ବିଶତକ ପୂର୍ଣ୍ଣ କରିବା ଏବଂ ଆଉଟ୍ ହେବା ପରେ ଦର୍ଶକମାନେ ତାଙ୍କୁ ଛିଡ଼ା ହୋଇ ସାମୁହିକ ସଲାମ ଜଣାଇଥିଲେ। ଶେଷକୁ ସ୍ପିନର୍‌ ଟଡ୍ ଆସଲେଙ୍କ ବୋଲିଂରେ ଫେରନ୍ତା ‌କ୍ୟାଚ୍‌ ଦେଇ ଫେରିଥିଲେ ଲବୁସାନ୍‌। କିନ୍ତୁ ୨୦୧୯ ବର୍ଷାନ୍ତରେ ତିନିଟି ଲଗାତାର ମ୍ୟାଚ୍‌ରେ (୧୮୫, ୧୬୨, ୧୪୩) ଶତକ ଜମାଇଥିଲେ ମଧ୍ୟ ଦ୍ବିଶତକରୁ ବଞ୍ଚିତ ରହିଥିଲେ। ହେଲେ ନୂଆ ବ‌ର୍ଷ ପ୍ରଥମ ପାଳିରେ ଦ୍ବିଶତକ ସ୍ବପ୍ନକୁ ସାକାର କରି‌ ନେଇଥିଲେ। ୨୫ ବର୍ଷୀୟ ଏହି ଡାହାଣହାତୀ ବ୍ୟାଟ୍‌ସମ୍ୟାନ୍ ଚଳିତ ଘରୋଇ ଋତୁରେ ୫ ଟେଷ୍ଟରୁ ୧୧୯.୫୭ ହାରରେ ମୋଟ ୮୩୭ ରନ୍ ସଂଗ୍ରହ କରିନେଇଛନ୍ତି। ନିଜ ପ୍ରଥମ ୧୪ ଟେଷ୍ଟ୍‌ରୁ ୧୪,୦୦ ରନ୍‌ ସଂଗ୍ରହ‌ କରି ଚର୍ଚାକୁ ମଧ୍ୟ ଆସିଛନ୍ତି।

ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୧୫୦.୧ ଓଭରରେ ୪୫୪ (‌ମାର୍ନସ ଲବୁସାନ୍‌-୨୧୫, ‌ଷ୍ଟିଭେନ୍ ସ୍ମିଥ୍‌-୬୩, ଟିମ୍ ପେନ୍‌-୩୫, ନିଲ୍ ୱାଗ୍‌ନର୍‌-୩/୬୬, କଲିନ୍ ଗ୍ରାଣ୍ଡ୍‌ହୋମ୍‌-୩/୭୮, ଟଡ୍ ଆସଲେ-୨/୧୧୧)। ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳି: ୨୯ ଓଭରରେ ୬୩/୦ (ଟମ୍ ଲଥାମ୍‌-୨୬, ‌ଟମ୍‌ ବ୍ଲଣ୍ଡେଲ୍‌-୩୪*)।

ସମ୍ବନ୍ଧିତ ଖବର