ପର୍ଥ: ଚଳିତବର୍ଷର ସବୁଠୁ ଚର୍ଚ୍ଚିତ ଓ ପ୍ରତୀକ୍ଷିତ ଟେଷ୍ଟ୍ ଶୃଙ୍ଖଳା ‘ବର୍ଡର-ଗାଭାସ୍କର୍ ଟ୍ରଫି’ର ପ୍ରଥମ ଲଢ଼େଇ ଶୁକ୍ରବାରଠାରୁ ଆରମ୍ଭ ହେବ। ସ୍ଥାନୀୟ ଅପଟସ୍ ଷ୍ଟାଡିୟମ୍ରେ ଏହି ମହାଟକ୍କର ବିଶ୍ବ କ୍ରିକେଟ୍ର ଦୁଇ ଦୁର୍ଦ୍ଧର୍ଷ ତଥା ଲୋକପ୍ରିୟ ଦଳ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ। ମ୍ୟାଚ୍ ଭାରତୀୟ ସମୟ ସକାଳ ୭ଟା ୫୦ରୁ ଖେଳାଯିବ। ସଂଯୋଗବଶତଃ ଉଭୟ ବାହିନୀର ସେନାପତି ଦାୟିତ୍ବରେ ଦୁଇ ଦ୍ରୁତ ବୋଲର ରହିବେ। ନିଜ ଶାଣିତ ବୋଲିଂ ତଥା ସୁଦକ୍ଷ ନେତୃତ୍ବ ପାଇଁ ପରିଚିତ ପ୍ୟାଟ୍ କମିନ୍ସ ଘରୋଇ ଅଷ୍ଟ୍ରେଲିଆର ଅଧିନାୟକ ଏବଂ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ସାଂପ୍ରତିକ କ୍ରିକେଟ୍ର ସବୁଠାରୁ ଘାତକ ବୋଲର ଯଶପ୍ରୀତ ବୁମ୍ରା ଭାରତୀୟ ଦଳର ମଙ୍ଗ ଧରିବେ। ପର୍ଥ ପରୀକ୍ଷା ପୂର୍ବରୁ ଉଭୟ କମିନ୍ସ ଓ ବୁମ୍ରା ଗୁରୁବାର ସାମ୍ବାଦିକ ସମ୍ମିଳନୀ କରି ଏଭଳି ଏକ ହାଇଭୋଲ୍ଟେଜ୍ ମ୍ୟାଚ୍ର ଅଧିନାୟକ ଦାୟିତ୍ବ ତୁଲାଇବା ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି। ଦୁଇଜଣ ଯାକ ମଧ୍ୟ ନିଜ ନିଜ ଶୈଳୀରେ ପରସ୍ପରକୁ ଚେତାବନୀ ଦେଇଛନ୍ତି। ପ୍ରତିପକ୍ଷ ଦଳକୁ ହରାଇବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବେ ବୋଲି କହିଛନ୍ତି। ଏହା ପୂର୍ବରୁ ଗତବର୍ଷର ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ମ୍ୟାଚ୍ରେ ବିପକ୍ଷ ଖେଳାଳି ତଥା ଦ୍ରୁତ ବୋଲର ଟିମ୍ ସାଉଦି (ନ୍ୟୁଜିଲାଣ୍ଡ)ଙ୍କ ସହ ନିଜ ଦଳର ଅଧିନାୟକ ପଦ ସମ୍ଭାଳିଥିଲେ କମିନ୍ସ। ପର୍ଥ ଟେଷ୍ଟ୍କୁ ଏହାର ଏକ ପରିବର୍ଦ୍ଧିତ ରୂପ ଭାବେ ବର୍ଣ୍ଣନା କରିଛନ୍ତି ସେ। ଗତବର୍ଷର ନ୍ୟୁଜିଲାଣ୍ଡ ଶୃଙ୍ଖଳାରେ ସାଉଦିଙ୍କ ସହ ଭଲ ଲଢ଼େଇ ହୋଇଥିଲା। ଆପଣ ସମସ୍ତେ ଜାଣିଛନ୍ତି ମୁଁ ଦ୍ରୁତ ବୋଲିଂର ଜଣେ ବଡ଼ ପ୍ରଶଂସକ। ଏଣୁ ପ୍ରତିପକ୍ଷ ଦଳର ଅଧିନାୟକ ଜଣେ ଦ୍ରୁତ ବୋଲର ରହିବା ମୋତେ ବ୍ୟକ୍ତିଗତ ଭାବେ ସବୁବେଳେ ଉଲ୍ଲସିତ କରିଥାଏ ବୋଲି କହିଛନ୍ତି କମିନ୍ସ। ବୁମ୍ରା ମଧ୍ୟ ଏଥିନେଇ ନିଜ ଉତ୍ସାହ ଜାହିର କରିଥିଲେ। ସେ କହିଛନ୍ତି, ଦ୍ରୁତ ବୋଲରମାନେ କୁଶଳୀ ଅଧିନାୟକ ହେବାର ଅନେକ ଦୃଷ୍ଟାନ୍ତ ରହିଛି। ଏହା ଏକ ଭଲ, ନୂଆ ଓ ସ୍ବାଗତଯୋଗ୍ୟ ପରମ୍ପରା।
ସ୍ଥିର ଅଷ୍ଟ୍ରେଲିଆ ବନାମ ଅସ୍ଥିର ଭାରତ
ଗତ କିଛି ମାସ ହେବ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ସ୍ଥିର ପ୍ରଦର୍ଶନ ଦେଇଆସୁଛି। ଭାରତ କିନ୍ତୁ ଅସ୍ଥିରତା ଭିତରେ ଗତି କରୁଛି। ବାଂଲାଦେଶ ବିପକ୍ଷ ଶୃଙ୍ଖଳାକୁ ୨-୦ରେ ପୋଛିନେବା ପରେ ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡଠାରୁ ଲଜ୍ଜାଜନକ ଭାବେ ୦-୩ରେ ହାରିବା ଦଳର ଆତ୍ମବିଶ୍ବାସକୁ ଦୋହଲାଇ ଦେଇଛି। ନ୍ୟୁଜିଲାଣ୍ଡ ଶୃଙ୍ଖଳା ପୂର୍ବରୁ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ (ବିଡବ୍ଲ୍ୟୁସି) ଫାଇନାଲ୍ ଖେଳିବାର ଭାରତ ପ୍ରମୁଖ ଦାବିଦାର ଥିଲା। ଏବେ କିନ୍ତୁ ଏହି ସମ୍ଭାବନା ନେଇ ସଂଶୟ ସୃଷ୍ଟି ହୋଇଛି। ଡବ୍ଲ୍ୟୁଟିସି ଫାଇନାଲ୍ ଖେଳିବାକୁ ହେଲେ ଭାରତକୁ ଚଳିତ ବର୍ଡର-ଗାଭାସ୍କର ଟ୍ରଫିକୁ ୪-୦ରେ ଜିତିବାକୁ ହେବ। ଯାହା ଅସମ୍ଭବ ନହେଲେ ବି ଅତ୍ୟନ୍ତ କଷ୍ଟକର ମନେ ହେଉଛି। ଅଭିଜ୍ଞ ବ୍ୟାଟର୍ ବିରାଟ କୋହଲି ଓ ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ସହ ପୂରା ଶୀର୍ଷକ୍ରମ ନ୍ୟୁଜିଲାଣ୍ଡ ଶୃଙ୍ଖଳାରେ ସଂଘର୍ଷ କରିଥିବାରୁ ଅଷ୍ଟ୍ରେଲିଆରେ ମଧ୍ୟ ଏହି ଧାରା ବଜାୟ ରହିପାରେ ବୋଲି କ୍ରିକେଟ୍ ପଣ୍ଡିତମାନେ ଆଶଙ୍କା ଜାହିର କରିଛନ୍ତି। ଏହା ହେଲେ ଅଷ୍ଟ୍ରେଲିଆ ୧୬ବର୍ଷ ପରେ ବର୍ଡର-ଗାଭାସ୍କର ଟ୍ରଫି ଫେରି ପାଇବ। ଅନ୍ୟପକ୍ଷରେ ଭାରତର ଲଗାତାର ତୃତୀୟ ଥର ଡବ୍ଲ୍ୟୁଟିସି ଫାଇନାଲ୍ ଖେଳିବା ଆଶା ମଉଳିଯିବ। ତେବେ ମ୍ୟାଚ୍ରେ କେଏଲ୍ ରାହୁଲ, ବିରାଟ କୋହଲି, ଆର ଅଶ୍ବିନ, ଷ୍ଟିଭେନ୍ ସ୍ମିଥ୍, ମିଚେଲ ଷ୍ଟାର୍କ ଓ ନାଥନ ଲାୟନଙ୍କ ଭଳି ଖେଳାଳିଙ୍କ ପାଇଁ ନୂଆ କୀର୍ତ୍ତିମାନ କରିବାର ଭଲ ସୁଯୋଗ ରହିବ।
ବିଜିଟିରେ ଭାରତ ଭଲ, ପର୍ଥରେ ଖରାପ
୧୯୯୬ ମସିହାରୁ ଆରମ୍ଭ ହୋଇଥିବା ବର୍ଡର-ଗାଭାସ୍କର୍ ଟ୍ରଫି (ବିଜିଟି) କଥା ପଡ଼ିଲେ ଭାରତର ପଲା ଏଥିରେ ସବୁବେଳେ ଭାରୀ ରହିଆସିଛି। ଗତ ୨୭ବର୍ଷ ମଧ୍ୟରେ ଖେଳାଯାଇଥିବା ୧୬ ଶୃଙ୍ଖଳାରୁ ଭାରତ ୧୧ଥର ବିଜୟୀ ହୋଇଥିଲା ବେଳେ ଅଷ୍ଟ୍ରେଲିଆ ମାତ୍ର ୫ଥର ଜିତିଛି। ୨୦୦୩-୦୪ରେ ଖେଳାଯାଇଥିବା ୪ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଦୁଇଟି ମ୍ୟାଚ୍ ଅମୀମାଂସିତ ରହିଥିଲା। ସେଥିରେ ଅଷ୍ଟ୍ରେଲିଆ ଓ ଭାରତ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିଲେ। ଦୁଇଟି ମ୍ୟାଚ୍ ଡ୍ର’ ରହିଥିଲା। ତେବେ ପୂର୍ବ ସଂସ୍କରଣ ବିଜେତା ଭାବେ ଭାରତ ନିଜ ପାଖରେ ବର୍ଡର-ଗାଭାସ୍କର୍ ଟ୍ରଫି ରଖିଥିଲା। ଗତ ଚାରିଟି ଶୃଙ୍ଖଳାରେ ଭାରତ ପୂରା ଆଧିପତ୍ୟ ବିସ୍ତାର କରି ଆସିଛି। ୧୬ ବର୍ଷ ହେବ ବର୍ଡର-ଗାଭାସ୍କର୍ ଟ୍ରଫି ନିଜ ପାଖରେ ରଖିଛି। ଏଣୁ ଚଳିତବର୍ଷର ଶୃଙ୍ଖଳା ଜିତି ଅଷ୍ଟ୍ରେଲିଆ ଏହାର ପ୍ରତିଶୋଧ କଡ଼ା ଗଣ୍ଡାରେ ନେବାକୁ ଯୋଜନା କରିଛି। ତେବେ ଏଥରର ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲା ଖେଳାଯିବାକୁ ଥିବା ପର୍ଥର ଅପଟସ୍ ଷ୍ଟାଡିୟମ୍ରେ ଭାରତର ରେକର୍ଡ ସେତେଟା ଭଲ ନାହିଁ। ଏଠାରେ ଗୋଟିଏ ମ୍ୟାଚ୍ ଖେଳି, ତାକୁ ହାରିଛି ଟିମ୍ ଇଣ୍ଡିଆ। ପୁଣି ଏଠାକାର ଐତିହାସିକ ୱାକା ଷ୍ଟାଡିୟମ୍ରେ ଖେଳିଥିବା ଚାରିଟି ମ୍ୟାଚ୍ରୁ ମାତ୍ର ଗୋଟିକରେ ବିଜୟୀ ହୋଇଛି। ଏଣୁ ପର୍ଥରେ ଖେଳିଥିବା ସର୍ବମୋଟ ପାଞ୍ଚଟି ଟେଷ୍ଟ୍ରୁ ଭାରତ ଚାରିଟି ହାରିଥିଲା ବେଳେ ଗୋଟିକରେ ବିଜୟୀ ହୋଇଛି। ସେହି ଦୃଷ୍ଟିରୁ ପର୍ଥରେ ଭାରତର ସଫଳତା ହାର ମାତ୍ର ୨୦ ପ୍ରତିଶତ ରହିଛି।
ନୀତୀଶଙ୍କ ଉପରେ ନଜର
ଯଶପ୍ରୀତ୍ ବୁମ୍ରାଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ୍ ଦଳ ପର୍ଥ ଟେଷ୍ଟ୍ରେ ଗୋଟିଏ କିମ୍ବା ଦୁଇଟି ସାହସିକ ନିଷ୍ପତ୍ତି ନେଇପାରେ। ନୀତୀଶ କୁମାର ରେଡ୍ଡୀ ଚତୁର୍ଥ ସିମର୍ ଭାବେ ଶୁକ୍ରବାର ଟେଷ୍ଟ୍ ଜୀବନ ଆରମ୍ଭ କରିପାରନ୍ତି। ଅଷ୍ଟ୍ରେଲିଆ ‘ଏ’ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିବା ଧ୍ରୁବ ଜୁରେଲ ବାମହାତୀ ବ୍ୟାଟର୍ ସର୍ଫରାଜ ଖାନ୍ଙ୍କ ସ୍ଥାନ ନେଇ ପାରନ୍ତି। ଆକଳନ ଅନୁସାରେ ନିୟମିତ ଅଧିନାୟକ ରୋହିତ ଶର୍ମା ଖେଳୁ ନଥିବାରୁ କେଏଲ୍ ରାହୁଲ ଓ ଯଶସ୍ବୀ ଜୟସ୍ବାଲ ପାଳି ଆରମ୍ଭ କରିବେ। ଶୁବମନ୍ ଗିଲ୍ଙ୍କ ସ୍ଥାନରେ ଦେବଦତ୍ତ ପଡ଼ିକଲ ତୃତୀୟ ସ୍ଥାନରେ ବ୍ୟାଟିଂ କରିବେ। ବିରାଟ କୋହଲି ଚତୁର୍ଥ ଏବଂ ଜୁରେଲ ଓ ଋଷଭ ପନ୍ତ ପଞ୍ଚମ କିମ୍ବା ଷଷ୍ଠ ସ୍ଥାନରେ ଖେଳିବେ ନୀତୀଶ ଷଷ୍ଠ ସ୍ଥାନରେ ଆସିବେ। ତାଙ୍କ ପରେ ଆର ଅଶ୍ବିନ, ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ ଓ ଆକାଶଦୀପ ରହିବେ। ଜାଡ଼େଜାଙ୍କୁ ପଛରେ ପକାଇ ଅଶ୍ବିନ ଏକମାତ୍ର ବିଶେଷଜ୍ଞ ସ୍ପିନର ସ୍ଥାନ ନେବେ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ପାଇଁ ନବାଗତ ନାଥନ ମ୍ୟାକ୍ସ୍ବିନୀ ପାଳି ଆରମ୍ଭ କରିବେ। ଅଭିଜ୍ଞ ସ୍ପିନର ନାଥନ ଲାୟନ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ରହିବେ।
ସମ୍ଭାବ୍ୟ ଭାରତ: ଯଶସ୍ବୀ ଜୟସ୍ବାଲ, କେଏଲ୍ ରାହୁଲ, ଦେବଦତ୍ତ ପଡ଼ିକଲ, ବିରାଟ କୋହଲି, ଋଷଭ ପନ୍ତ, ଧ୍ରୁବ ଜୁରେଲ, ଆର୍ ଅଶ୍ବିନ. ନୀତୀଶ କୁମାର ରେଡ୍ଡୀ, ଯଶ୍ପ୍ରୀତ୍ ବୁମ୍ରା (ଅଧିନାୟକ), ମହମ୍ମଦ ସିରାଜ, ଆକାଶଦୀପ/ପ୍ରସିଦ୍ଧ କ୍ରିଷ୍ଣା।
ସମ୍ଭାବ୍ୟ ଅଷ୍ଟ୍ରେଲିଆ: ନାଥନ ମ୍ୟାକ୍ସ୍ବିନୀ, ଉସମାନ ଖୱାଜା, ମାର୍ନସ ଲବୁସେନ, ଷ୍ଟିଭେନ୍ ସ୍ମିଥ୍, ଟ୍ରାଭିସ୍ ହେଡ୍, ମିଚେଲ ମାର୍ସ, ଆଲେକ୍ସ କେରି, ପ୍ୟାଟ୍ କମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ନାଥନ ଲାୟନ, ଜୋସ୍ ହାଜଲେଉଡ୍।
ବଦଳିବନି ପିଚ୍ର ସ୍ବଭାବ
ପର୍ଥ ପିଚ୍ରେ ସାଧାରଣତଃ ଗତି ଓ ଉଚ୍ଛାଳ ରହିଥାଏ। ପାରମ୍ପରିକ ଭାବେ ଏଠାରେ ଦ୍ରୁତ ବୋଲରମାନେ ଆଧିପତ୍ୟ ବିସ୍ତାର କରିଥା’ନ୍ତି। ହେଲେ ଗତ କିଛି ଦିନ ହେବ ପର୍ଥରେ ଅଦିନିଆ ବର୍ଷା ଲାଗି ରହିଥିବାରୁ ପିଚ୍ ତା’ର ପାରମ୍ପରିକ ପ୍ରକୃତି ହରାଇବାର ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ଗତ ଦୁଇଦିନ ହେବ ଭଲ ଖରା ହୋଇଥିବାରୁ ପିଚ୍ କ୍ରମଶଃ କଠିନ ହେବାରେ ଲାଗିଛି। ଏଣୁ କ୍ୟୁରେଟର୍ ଆଇଜାକ୍ ମ୍ୟାକଡୋନାଲ୍ଡ ଢେର ଆଶାବାଦୀ ଅଛନ୍ତି। ଅପଟସ୍ ଷ୍ଟାଡିୟମ୍ରେ ବଲ୍ ଓ ବ୍ୟାଟ୍ ମଧ୍ୟରେ ଭଲ ଲଢ଼େଇ ହେବ ବୋଲି ସେ ପୂର୍ବାନୁମାନ ଲଗାଇଛନ୍ତି। ସେହିଭଳି ଆସନ୍ତା ୫-୬ ଦିନ ପର୍ଯ୍ୟନ୍ତ ବି ପର୍ଥ ପାଗ ପୂରା ଶୁଖିଲା ରହିବ ବୋଲି ସେଠାକାର ପାଣିପାଗ ବିଭାଗ କହିଛି।
ରବିବାର ପହଞ୍ଚିବେ ରୋହିତ
ପୁଅ ଜନ୍ମ ପାଇଁ ପର୍ଥ ଟେଷ୍ଟ୍ରୁ ଓହରି ଯାଇଥିବା ଭାରତୀୟ କ୍ରିକେଟ୍ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚ୍ର ତୃତୀୟ ଦିନ ଅର୍ଥାତ୍ ଆସନ୍ତା ରବିବାର ଦଳ ସହ ଯୋଗଦେବେ। ଦଳ ସହ ରହି ଖେଳାଳିଙ୍କ ପ୍ରଦର୍ଶନକୁ ଅନୁଧ୍ୟାନ କରିବେ। ଏହା ପରେ ଆଡିଲେଡ୍ରେ ଖେଳାଯିବାକୁ ଥିବା ଗୋଲାପି ବଲ୍ ଟେଷ୍ଟ୍ (ଦିବା-ରାତ୍ର) ସହ ଶୃଙ୍ଖଳାର ଅବଶିଷ୍ଟ ମ୍ୟାଚ୍ଗୁଡ଼ିକ ଖେଳିବେ। ଚଳିତ ନଭେମ୍ବର ୩୦ରୁ କାନବେରାର ମାନୁକା ଓଭାଲଠାରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏକାଦଶ ବିପକ୍ଷରେ ଏକ ଦୁଇ ଦିନିଆ ଅଭ୍ୟାସ ମ୍ୟାଚ୍ ଖେଳିବେ। ଏହି ଅଭ୍ୟାସ ମ୍ୟାଚ୍ ଆଡିଲେଡ୍ ଟେଷ୍ଟ୍ ଭଳି ଦିବା-ରାତ୍ର ଭିତ୍ତିରେ ଏବଂ ଗୋଲାପି ବଲ୍ରେ ଖେଳାଯିବ। ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳାର ୬ ପାଳିରୁ ମାତ୍ର ୯୧ ରନ୍ କରିବା ପରେ ଏହି ମ୍ୟାଚ୍ରେ ରୋହିତ ଫର୍ମକୁ ଫେରିବାକୁ ଚେଷ୍ଟା କରିବେ। ଶେଷ ଥର ପାଇଁ ଆଡିଲେଡ୍ରେ ଖେଳିଥିବା ଗୋଲାପି ବଲ୍ ଟେଷ୍ଟ୍ର ପ୍ରଥମ ପାଳିରେ ଭାରତ ମାତ୍ର ୩୬ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ କିନ୍ତୁ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ୨-୧ରେ ଶୃଙ୍ଖଳା ଜିତିଥିଲା।
ପୂର୍ବ ପରାଜୟର ପ୍ରତିଶୋଧ ନେବୁ: କମିନ୍ସ
ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ କହିଛନ୍ତି, ବର୍ଡର-ଗାଭାସ୍କର୍ ଟ୍ରଫିରେ ସବୁବେଳେ କଡ଼ା ଟକ୍କର ଦେଖିବାକୁ ମିଳିଥାଏ। ସବୁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଆପାତତଃ ଏହା ହୋଇଥାଏ। ଭାରତ ଏକ ପ୍ରତିଭାବାନ ଦଳ। ସେମାନେ ଭଲ କ୍ରିକେଟ୍ ଖେଳି ଆସୁଛନ୍ତି। ହେଲେ ଆମେ ଏଥର ଟ୍ରଫି ଜିତିବାକୁ ଲକ୍ଷ୍ୟ ରଖିଛୁ। ପୂର୍ବ ପରାଜୟର ପ୍ରତିଶୋଧ ନେବା ମଧ୍ୟ ଆମ ମନରେ ରହିଛି। ହେଲେ ଆମେ ଗୋଟିଏ, ଗୋଟିଏ ମ୍ୟାଚ୍କୁ ଆହ୍ବାନ ଭାବେ ନେବୁ। ତା’ ପରେ ପୂରା ଶୃଙ୍ଖଳା କଥା ଚିନ୍ତା କରିବୁ।
ନ୍ୟୁଜିଲାଣ୍ଡ ଶୃଙ୍ଖଳାର ବୋଝ ନାହିଁ: ବୁମ୍ରା
ଦୁଇବର୍ଷ ତଳେ ଏଜ୍ବାଷ୍ଟନରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଥର ଭାରତୀୟ ଟେଷ୍ଟ୍ ଦଳର ଅଧିନାୟକ ଦାୟିତ୍ବ ତୁଲାଇଥିଲେ ଯଶପ୍ରୀତ ବୁମ୍ରା। ଶୁକ୍ରବାର ପର୍ଥରେ ଏଭଳି ଦାୟିତ୍ବ ଦ୍ବିତୀୟଥର ତୁଲାଇବେ। ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଏକଥା ସତ ଯେ ଆମେ ନ୍ୟୁଜିଲାଣ୍ଡଠାରୁ ୦-୩ରେ ହାରିଛୁ। ହେଲେ ସେହି ଶୃଙ୍ଖଳାର ଭୂତ ଆମକୁ ଅନୁସରଣ କରୁଛି ବୋଲି ମୁଁ ଭାବୁନି। ନ୍ୟୁଜିଲାଣ୍ଡଠାରୁ ହାରିବାର ବୋଝ ଆମ କାନ୍ଧରେ ନାହିଁ। ଏହି ଶୃଙ୍ଖଳାରେ ଆମେ ନୂଆ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛୁ।