ପ୍ରଥମ ଦିନିକିଆ: ମଲାନ୍‌ଙ୍କ ଶତକ ବ୍ୟର୍ଥ, ଅଷ୍ଟ୍ରେଲିଆଠୁ ହାରିଲା ବିଶ୍ବବିଜେତା ଇଂଲଣ୍ଡ

ଆଡିଲେଡ୍‌: ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପୂର୍ବରୁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଥିବା ଦ୍ବିପାକ୍ଷିକ ସୀମିତ ଓଭର (ଟ୍ବେଣ୍ଟି-୨୦ ଓ ଦିନିକିଆ) ଶୃଙ୍ଖଳାର ଦ୍ବିତୀୟ ଚରଣ ଗୁରୁବାରଠୁ ଆରମ୍ଭ ହୋଇଛି। ବିଶ୍ବ ବିଜେତା ଇଂଲଣ୍ଡ ୫୦ ଓଭରିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ପରାସ୍ତ ହୋଇଛି। ଦାୱିଦ ମଲାନଙ୍କ ଶତକୀୟ ସଫଳତାକୁ ବ୍ୟର୍ଥ କରି ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆକୁ ୬ ୱିକେଟ୍‌ରେ ଜିତି ୧-୦ରେ ଶୃଙ୍ଖଳା ଆଗୁଆ ରହିଛି। ଏହି ଶୃଙ୍ଖଳାର ଦ୍ବିତୀୟ ଓ ତୃତୀୟ ମ୍ୟାଚ୍‌ ଯଥାକ୍ରମେ ୧୯ ତାରିଖ (ସିଡ୍‌ନି) ଓ ୨୨ ତାରିଖ (ମେଲ୍‌ବର୍ଣ୍ଣ)ରେ ଖେଳାଯିବ।

ଗୁରୁବାର ଆଡିଲେଡ୍‌ ଓଭାଲରେ ଟସ୍‌ ଜିତି ଘ‌ରୋଇ ଦଳ ପ୍ରଥମେ ବ୍ୟାଟିଂ ପାଇଁ ଇଂଲଣ୍ଡକୁ ଆମନ୍ତ୍ରଣ କରିଥିଲା। ପ୍ରାରମ୍ଭିକ ବିପର୍ଯ୍ୟୟ ସାଙ୍ଗକୁ ମଧ୍ୟକ୍ରମରେ ମଧ୍ୟ କିଛିଟା ନିରାଶ ସତ୍ତ୍ବେ ଇଂଲଣ୍ଡ ୨୮୭/୯ରେ ପହଞ୍ଚି ଯାଇଥିଲା। ଅଷ୍ଟ୍ରେଲିଆ ବୋଲରଙ୍କ ବିପକ୍ଷରେ ମଲାନ ଏକାକୀ ଲଢ଼ିଥିଲେ। ସେ ୧୨୮ ବଲ୍‌ରୁ ୧୨ ଚୌକା ଓ ୪ ଛକା ସହାୟତାରେ ୧୩୪ ରନ୍‌ କରିଥିଲେ। ତାଙ୍କ ବ୍ୟତୀତ ନିମ୍ନକ୍ରମରେ ଡେଭିଡ୍‌ ୱିଲି ଅପରାଜିତ ୩୪ ଏବଂ ଜୋସ୍‌ ବଟଲର୍‌ ୨୯ ରନ୍‌ କରିଥିଲେ। ଘରୋଇ ଦଳ ପକ୍ଷରୁ ଅଧିନାୟକ ପ୍ୟାଟ୍‌ କମିନ୍ସ (୧୦-୦-୬୨-୩) ଏବଂ ଆଦାମ ଜାମ୍ପା (୧୦-୦-୫୫-୩) ସଫଳ ବୋଲର ରହିଥିଲେ।
ଜବାବ‌ରେ ପ୍ରଥମ ତିନି ବ୍ୟାଟର୍‌ଙ୍କ ଦମ୍‌ଦାର ଅର୍ଦ୍ଧଶତକ ବଳରେ ହିଁ ଅଷ୍ଟ୍ରେଲିଆ ୧୯ ବଲ୍‌ ପୂର୍ବରୁ ୪ ୱିକେଟ୍‌ ବିନିମୟରେ ମ୍ୟାଚ୍‌ ଜିତି ନେଇଥିଲା। ଡେଭିଡ୍‌ ୱର୍ଣ୍ଣର (୮୬ ରନ୍‌, ୮୪ ବଲ୍‌, ୧୦ ଚୌକା, ୧ ଛକା), ଟ୍ରାଭିସ୍‌ ହେଡ୍‌ (୬୯ ରନ୍‌, ୫୭ ବଲ୍‌, ୧୦ ଚୌକା, ୧ ଛକା) ଏବଂ ଷ୍ଟିଭ୍‌ ସ୍ମିଥ୍‌ (୮୦*, ୭୮ ବଲ୍‌, ୯ ଚୌକା, ୧ ଛକା)ଙ୍କ ପାଳି ହିଁ ଅଷ୍ଟ୍ରେଲିଆ ବିଜୟ ପାଇଁ ଯଥେଷ୍ଟ ହୋଇଥିଲା। ବିଶେଷକରି ୱର୍ଣ୍ଣର ଓ ହେଡ୍‌ ପ୍ରଥମ ୱିକେଟ୍‌ରେ ୧୯.୪ ଓଭରରେ ୧୪୭ ରନ୍‌ ଯୋଡ଼ି ବିଜୟ ସମ୍ଭାବନା ଦେଇଥିଲେ। ତେବେ ୪୭ତମ ଓଭରର ପଞ୍ଚମ ବଲ୍‌ରେ ଦାୱିନ ମଲାନଙ୍କୁ ଛକା ମାରି ସ୍ମିଥ୍‌ ବିଜୟ ମୁଣ୍ଡି ମାରିଥିଲେ। ପରାଜୟ ସତ୍ତ୍ବେ ଶତକୀୟ ପାଳି ପାଇଁ ମଲାନ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସଂକ୍ଷିପ୍ତ ସ୍କୋର୍‌: ଇଂଲଣ୍ଡ ପାଳି ୫୦ ଓଭରରେ ୨୮୭/୯ (ଦାୱିଦ ମଲାନ-୧୩୪, ଡେଭିଡ୍‌ ୱିଲି-୩୪*, ଜୋସ୍‌ ବଟଲର୍‌-୨୯, ପ୍ୟାଟ୍‌ କମିନ୍ସ-୩/୬୨, ଆଦାମ ଜାମ୍ପା-୩/୫୫)। ଅଷ୍ଟ୍ରେଲିଆ ୪୬.୫ ଓଭରରେ ୨୯୧/୪ (ଡେଭିଡ୍‌ ୱର୍ଣ୍ଣର-୮୬, ଟ୍ରାଭିସ୍‌ ହେଡ୍‌-୬୯, ଷ୍ଟିଭ୍‌ ସ୍ମିଥ୍‌-୮୦*, କା‌ମେରନ ଗ୍ରିନ୍‌-୨୦*, ଆଲେକ୍ସ କାରି-୨୧, ଡେଭିଡ୍‌ ୱିଲି-୨/୫୧)।

ସମ୍ବନ୍ଧିତ ଖବର