ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, କହୁଣି ମିଳାଇଲେ ଫିଞ୍ଚ୍‌-ୱିଲିୟମ୍‌ସନ୍‌

ସିଡନି: ଡେଭିଡ୍ ୱାର୍ନର, ଆରୋନ୍‌ ଫିଞ୍ଚ୍‌ ଓ ମାର୍ନସ ଲବୁସାନ୍‌ଙ୍କ ଅର୍ଧଶତକ ପରେ ବୋଲରଙ୍କ ବଢ଼ିଆ ପ୍ରଦର୍ଶନ ବଳରେ ଶୁକ୍ରବାର ଖେଳାଯାଇଥିବା ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ
ଭ୍ରମଣକାରୀ ନ୍ୟୁଜିଲାଣ୍ଡ୍‌କୁ ୭୧ ରନ୍‌ରେ ଶୋଚନୀୟ ଭାବେ ପରାସ୍ତ କରିଛି। ଏଥି ସହିତ ଆରୋନ୍‌ ଫିଞ୍ଚ୍‌ଙ୍କ ଦଳ ମଧ୍ୟ ୩ ମ୍ୟାଚ୍‌ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ବନ୍ଦ ଫାଟକ ପଛପଟେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରାରମ୍ଭିକ ଯୋଡ଼ି ଡେଭିଡ୍ ୱାର୍ନର (୬୭, ୮୮ ବଲ୍, ୯ ଚୌକା) ଏବଂ ଆରୋନ୍‌ ଫିଞ୍ଚ୍‌ (୬୦, ୭୫ ବଲ୍‌, ୩ ଚୌକା, ୨ ଛକା) ପ୍ରଥମ ୱିକେଟ୍ ପାଇଁ ୨୪ ଓଭରରେ ୧୨୪ ରନ୍ ସଂଗ୍ରହ କରିଥିଲେ। ଏହା ପରେ ଷ୍ଟିଭେନ୍‌ ସ୍ମିଥ୍‌ (୧୪), ଡାଏର୍କି ସର୍ଟ (୫) ବିଫଳ ହେବାରୁ ଅଷ୍ଟ୍ରେଲିଆ ୧୬୫ ରନ୍‌ରେ ୪ ୱିକେଟ୍ ହରାଇ ଦେଇଥିଲା। ଶେଷ ଭାଗରେ କିନ୍ତୁ ମାର୍ନସ ଲବୁସାନ୍ (୫୬, ୫୨ ବଲ୍‌, ୨ ଚୌକା), ମିଚେଲ୍ ମାର୍ସ (୨୭, ୩୪ ବଲ୍‌, ୨ ଚୌକା), ପ୍ୟାଟ୍ କମିନ୍ସ (୧୪*, ୧୧ ବଲ୍‌) ଏବଂ ମିଚେଲ୍ ଷ୍ଟାର୍କ (୯*, ୪ ବଲ୍‌) ଭଲ ବ୍ୟାଟିଂ କରିଥିଲେ। ଅଷ୍ଟ୍ରେଲିଆ ନିର୍ଧାରିତ ୫୦ ଓଭରରେ ୭ ୱିକେଟ୍‌ ବିନିମୟରେ ୨୫୮ ରନ୍ କରିଥିଲା। ନ୍ୟୁଜିଲାଣ୍ଡ୍ ପକ୍ଷରୁ ଈଶ ସୋଢ଼ି ୩ ଏବଂ ଲୋକି ଫର୍ଗୁସନ୍‌, ମିଚେଲ୍ ସାଣ୍ଟନର୍‌ ୨ ଲେଖାଏଁ ୱିକେଟ୍ ନେଇଥିଲେ।

ଜବାବରେ ନ୍ୟୁଜିଲାଣ୍ଡ୍‌ ୪୧ ଓଭରରେ ୧୮୭ ରନ୍‌ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ମାତ୍ର ୩ ଜଣ ମାର୍ଟିନ ଗପ୍ଟିଲ୍ (୪୦, ୭୩ ବଲ୍‌), ଟମ୍ ଲଥାମ୍ (୩୮, ୪୦ ବଲ୍‌), ମିଚେଲ ସାଣ୍ଟନର୍ (୨୫, ୨୬ ବଲ୍‌) ୨୦ ରନ୍‌ ଅତିକ୍ରମ କରିପାରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍ କମିନ୍ସ (୮-୨-୨୫-୩), ମିଚେଲ୍ ମାର୍ସ (୭-୦-୨୯-୩), ଜୋସ୍ ହାଜେଲ୍‌ଉଡ୍ (୧୦-୦-୨୭-୨) ଏବଂ ଆଦାମ ଜାମ୍ପା (୮-୦-୫୦-୨) ୱିକେଟ୍ ବାଣ୍ଟି ନେଇଥିଲେ। ଅଲରାଉଣ୍ଡ୍ ପ୍ରଦର୍ଶନ ପାଇଁ ମିଚେଲ୍ ମାର୍ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର