ପ୍ରଥମ ଦିନିକିଆ: ଭାରତ-ଏ’ଠୁ ୬୯ ରନ୍‌ରେ ହାରିଲା ଦକ୍ଷିଣ ଆଫ୍ରିକା-ଏ

ତିରୁବନନ୍ତପୁରମ୍‌: ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ‘ଏ’ ଦଳ ଭାରତ ଗସ୍ତରେ ଆରମ୍ଭରୁ ପରାଜୟର ସାମ୍‌ନା କରିଛି। ଉଭୟ ‘ଏ’ ଦଳ ମଧ୍ୟରେ ଗୁରୁବାର ଏଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌କୁ ସ୍ପିନରଙ୍କ ବଳରେ ୬୯ ରନ୍‌ରେ ଜିତି ନେଇ ଘରୋଇ ଭାରତ-ଏ ଦଳ ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୧-୦ର ଅଗ୍ରଣୀ ପାଇଯାଇଛି। ବିଶେଷକରି ୟୁଜ୍‌ବେନ୍ଦ୍ର ଚହଲ୍‌ (୫/୪୭) ଏବଂ ଅକ୍ଷର ପଟେଲ (୨/୩୯) ମିଳିତ ଭାବେ ୭ ୱିକେଟ୍‌ ବାଣ୍ଟିନେବାରୁ ଭ୍ରମଣକାରୀ ଦଳର ରିଜା ହେଣ୍ଡ୍ରିକ୍ସଙ୍କ ଦମ୍‌ଦାର ଶତକ ଫିକା ପଡ଼ିଯାଇଛି। ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ (ଅପରାଜିତ ୬୦ ରନ୍‌ ଓ ୨ ୱିକେଟ୍‌) ପାଇଁ ଅକ୍ଷର ପଟେଲ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।

ଏହି ମ୍ୟାଚ୍‌ରେ ଟସ୍‌ ଜିତି ଭ୍ରମଣକାରୀ ଦଳ ପ୍ରଥମେ କ୍ଷେତ୍ରରକ୍ଷଣ କରିଥିଲା। ଆରମ୍ଭରୁ ବର୍ଷା ଯୋଗୁଁ ମ୍ୟାଚ୍‌ କିଛି ସମୟ ବାଧାପ୍ରାପ୍ତ ହୋଇଥିଲା। ଯାହା ଫଳରେ ୫୦ ଓଭରରୁ ମ୍ୟାଚ୍‌କୁ ୪୭ ଓଭରକୁ କମାଇ ଦିଆଯାଇଥିଲା। ଏଥିରେ ବିଉରନ୍‌ ହେଣ୍ଡ୍ରିକ୍ସ (୨/୮୯), ଜନ୍‌ ଫର୍‌ଚୁନ୍‌ (୨/୪୦), ଜୁନିଅର୍‌ ଡାଲା (୧/୬୨) ଏବଂ ଅନ୍‌ରିକ୍‌ ନୁର୍‌ଜେ (୧/୬୪) ମିଳିତ ଭାବେ ୬ ୱିକେଟ ଦଖଲ କରିଥିଲା ବେଳେ ଭାରତ ୩୨୭ ରନ୍‌ କରିନେଇଥିଲା। ଋତୁରାଜ ଗାଏକ୍ବାଡ ୧୦, ଶୁଭମନ୍‌ ଗିଲ୍‌ ୪୬, ଅନ୍‌ମୋଲ୍‌ପ୍ରୀତ୍‌ ସିଂହ ୨୯, ଅଧିନାୟକ ମନୀଷ ପାଣ୍ଡେ ୩୯, ୱିକେଟ୍‌ରକ୍ଷକ ଈଶାନ କିଷନ୍‌ ୩୭ ଏବଂ କ୍ରୁନାଲ ପାଣ୍ଡ୍ୟା ୧୪ ରନ୍‌ କରି ଦଳୀୟ ସ୍କୋର୍‌ ୨୦୬ ବେଳକୁ ପାଭିଲୟନ୍‌ ଫେରିଯାଇଥିଲେ। ହେଲେ ଏହାପରେ ଶିବମ୍‌ ଦୁବେ (୭୯* ରନ୍‌, ୬୦ ବଲ୍‌, ୩ ଚୌକା, ୬ ଛକା) ଏବଂ ଅକ୍ଷର ପଟେଲ (୬୦* ରନ୍‌, ୩୬ ବଲ୍‌, ୬ ଚୌକା, ୩ ଛକା) ଧୂଆଁଧାର ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ନୟାନ୍ତ କରିଥିଲେ। ଛକା ଓ ଚୌକାର ବର୍ଷା କରି ଦୁହେଁ ଅସମାପ୍ତ ସପ୍ତମ ୱିକେଟ୍‌ରେ ୬୭ ବଲ୍‌ରୁ ୧୨୧ ରନ୍ ଆଦାୟ କରିଥିଲେ। ଫଳରେ ଭାରତ ୩୨୭/୬ ‌ସ୍କୋର୍‌ରେ ପାଳି ଶେଷ କରିଥିଲା।

ତେବେ ୩୨୮ ରନ୍‌ର ପିଛା କରିଥିବା ଦକ୍ଷିଣ ଆଫ୍ରିକା ପାଇଁ ହେଣ୍ଡ୍ରିକ୍ସ (୧୧୦) ଏବଂ ୱିକେଟ୍‌ରକ୍ଷକ ହେନ୍‌ରିକ୍‌ କ୍ଲାସେନ୍‌ (୫୮) ଲଢ଼ିଥିଲେ। ମାତ୍ର ଚହଲ୍‌ ଓ ପଟେଲଙ୍କ ସ୍ପିନ୍‌ ଜାଲରେ ଛନ୍ଦି ହୋଇ ପୂରା ଦଳ ୨ ଓଭର ପୂର୍ବରୁ ଆଉଟ୍‌ ହୋଇଗଲା। ଅନ୍ୟମାନଙ୍କ ମଧ୍ୟରେ ମଲାନ୍‌ (୧୮), ଜୋଣ୍ଡୋ (୩୦) ଓ ଫର୍‌ଚୁନ୍‌ (୧୨*) ଦୁଇ ଅଙ୍କ ଅତିକ୍ରମ କରିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ୪୫ ଓଭରରେ ୨୫୮ ରନ୍‌ରେ ସୀମିତ ରହିଗଲା। ଚହଲ୍‌ ଓ ପଟେଲଙ୍କ ବ୍ୟତୀତ ଦୀପକ ଚହର, ଖଲିଲ ଅହମ୍ମଦ ଏବଂ କ୍ରୁନାଲ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍‌ ଦଖଲ କରିଥିଲେ।

ସମ୍ବନ୍ଧିତ ଖବର