ପ୍ରଥମ ମହିଳା ଦିନିକିଆ, ଭାରତର ଶୋଚନୀୟ ପରାଜୟ

ସବୁ ଫର୍ମାଟ୍‌ ପଦାର୍ପଣରେ ଶେଫାଳି ସର୍ବକନିଷ୍ଠ

ବ୍ରିଷ୍ଟଲ: ଇଂଲଣ୍ଡ ବିପକ୍ଷ ପ୍ରଥମ ମହିଳା ଦିନିକିଆରେ ଭାରତୀୟ ଦଳ ଶୋଚନୀୟ ଭାବେ ପରାଜୟ ବରଣ କରିଛି। ୨୦୨ ରନ୍‌ର ବିଜୟ ଲକ୍ଷ୍ୟକୁ ଘରୋଇ ଦଳ ତାମି ବିଉମଣ୍ଟ୍ (୮୭*, ୮୭ ବଲ୍‌) ଏବଂ ନାଟ୍ ସିଭର୍ (୭୪*, ୭୪ ବଲ୍‌)ଙ୍କ ଶତକୀୟ ଭାଗୀଦାରି ବଳରେ ବିଜୟୀ ହୋଇଥିଲା। ଅତୁଟ ତୃତୀୟ ୱିକେଟ୍ ପାଇଁ ଏହି ଯୋଡ଼ି ୧୯ ଓଭର‌ରେ ୧୧୯ ରନ୍‌ ଯୋଡ଼ି ମ୍ୟାଚ୍‌କୁ ଏକତରଫା କରି ଦେଇଥିଲେ। ୧୫.୧ ଓଭର ବଳକା ଥାଇ ଇଂଲଣ୍ଡ ୮ ୱିକେଟ୍‌ରେ ବିଜୟୀ ହୋଇଥିଲା। ଭାରତ ପକ୍ଷରୁ ଝୁଲନ ଗୋସ୍ବାମୀ ଏବଂ ଏକତା ବିଷ୍ଟ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଏହି ବିଜୟ ସହ ସହିତ ଇଂଲଣ୍ଡ ୩ ମ୍ୟାଚ୍‌ ଶୃଙ୍ଖଳାରେ ୧-୦ରେ ଆଗୁ‌ଆ ହୋଇଛି।

ପୂର୍ବରୁ ଟସ୍‌ ହାରି ବ୍ୟାଟିଂ ପାଇଥିବା ଭାରତୀୟ ଦଳ ୮ ୱିକେଟ୍‌ ବିନିମୟରେ ୨୦୧ ରନ୍‌ କରିଥିଲା। ଅଧିନାୟିକା ମିତାଲି ରାଜ୍‌ (୭୨ ରନ୍‌, ୧୦୮ ବଲ୍‌, ୭ ଚୌକା) ଲଢ଼ୁଆ ଅଦ୍ଧର୍ଶତକ ହାସଲ କରିଥିଲା ବେଳେ ପୁନମ ରାଉତ (୩୨, ୬୧ ବଲ୍‌, ୪ ଚୌକା), ଦୀପ୍ତି ଶର୍ମା (୩୦, ୪୬ ବଲ୍‌, ୩ ଚୌକା), ପଦାର୍ପଣକାରୀ ଶେଫାଳି ବର୍ମା (୧୫, ୧୪ ବଲ୍‌, ୩ ଚୌକା), ପୂଜା ବସ୍ତ୍ରକାର (୧୫, ୧୭ ବଲ୍‌, ୨ ଚୌକା) ଏବଂ ସ୍ମୃତି ମନ୍ଧାନା (୧୦, ୨୫ ବଲ୍‌, ୧ ଚୌକା) ଦୁଇ ଅଙ୍କ ଟପିଥିଲେ। ଇଂଲଣ୍ଡ ପକ୍ଷରୁ ସୋଫି ଏକ୍‌ଲେଷ୍ଟୋନ୍‌ ୩, କାଥେରିନ୍‌ ବ୍ରଣ୍ଟ୍‌ ଓ ଆନ୍ୟା ସ୍ରବ୍‌ସୋଲେ ୨-୨ ୱିକେଟ୍‌ ଅକ୍ତିଆର କରିଥିଲେ। ଓପ୍‌ନରଙ୍କ ବିଦାୟ ପରେ ପୁନମ୍‌ଙ୍କ ସହ ମିତାଲି ତୃତୀୟ ୱିକେଟ୍‌ରେ ୫୬ ରନ୍ ଏବଂ ଦୀପ୍ତିଙ୍କ ସହ ପଞ୍ଚମ ୱିକେଟ୍‌ରେ ୬୫ ରନ୍‌ ଯୋଡ଼ିବା ଭାରତୀୟ ପାଳିର ଉଲ୍ଲେଖନୀୟ ଥିଲା।

ବ୍ରିଷ୍ଟଲ: ଇଂଲଣ୍ଡ ଓ ଭାରତୀୟ ମହିଳା ଦଳ ମଧ୍ୟରେ ରବିବାର ଖେଳାଯାଇଥିଲା ପ୍ରଥମ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌। ଏହି ମ୍ୟାଚ୍‌ରେ ଭାରତ ପକ୍ଷରୁ ଓପ୍‌ନର ଶେଫାଳି ବର୍ମା ପଦାର୍ପଣ କରିଥିଲେ। ଅଧିନାୟିକା ମିତାଲି ରାଜ ମ୍ୟାଚ୍‌ ପୂର୍ବରୁ ତାଙ୍କୁ ଭାରତୀୟ ‌ଟୋପି ପ୍ରଦାନ କରିଥିଲେ। ଏହା ଥିଲା ଭାରତୀୟ ମହିଳାଙ୍କ ୧୩୧ତମ ଟୋପି। ତେବେ ଚୂଡାନ୍ତ ଏକାଦଶରେ ତାଙ୍କ ନାମ ଯୋଡ଼ି ହେବା ପରେ ଶେଫାଳି ଆନ୍ତର୍ଜାତିକ କ୍ରିକେଟ୍‌ର ସବୁ ଫର୍ମାଟ୍‌ (ଟି-୨୦, ଟେଷ୍ଟ୍‌ ଓ ଦିନିକିଆ)ରେ ପଦାର୍ପଣ କରିବାରେ ସର୍ବକନିଷ୍ଠ ଭାରତୀୟ ହୋଇଛନ୍ତି। ପୂର୍ବରୁ ଟି-୨୦ ଖେଳିସାରିଥିବା

ଶେଫାଳି ଗତ ସପ୍ତାହରେ ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ୍‌ରେ ମଧ୍ୟ ପଦାର୍ପଣ କରିଥିଲେ। ରବିବାର ଏହି ୧୭ ବର୍ଷ ୧୫୦ ଦିନ ବୟସ୍କା ରୋହତକ ଜନ୍ମିତ ଶେଫାଳି ଦିନିକିଆରେ ବି ପଦାର୍ପଣ କଲେ। ଆନ୍ତର୍ଜାତିକ କ୍ଷେତ୍ରରେ ସେ ମଧ୍ୟ ପଞ୍ଚମ ସର୍ବକନିଷ୍ଠ ଖେଳାଳି ହେଲେ। ତାଙ୍କ ପୂର୍ବରୁ ଆଫ୍‌ଗାନିସ୍ତାନ ପୁରୁଷ ଦଳର ମୁଜୀବ ଉର୍‌ ରହମନ୍‌ (୧୭ ବର୍ଷ ୭୮ ଦିନ), ଇଂଲଣ୍ଡ ମହିଳାର ସାରା ଟେଲର (୧୭ ବର୍ଷ ୮୬ ଦିନ), ଅଷ୍ଟ୍ରେଲିଆ ମହିଳା ଦଳର ଏଲିସେ ପେରି (୧୭ ବର୍ଷ ୧୦୪ ଦିନ) ଏବଂ ପାକିସ୍ତାନ ପୁରୁଷ ଦଳର ମହମ୍ମଦ ଆମିର (୧୭ ବର୍ଷ ୧୦୮ ଦିନ) ହିଁ ସବୁ ଫର୍ମାଟ୍‌ରେ ପଦାର୍ପଣ କରିବାରେ ୪ ସର୍ବକନିଷ୍ଠ ଖେଳାଳି ରହିଥିଲେ। ଶେଫାଳି ପଦାର୍ପଣ ଟେଷ୍ଟ୍‌ର ପ୍ରଥମ ପାଳିରେ ୯୬ ଓ ଦ୍ବିତୀୟ ପାଳିରେ ୬୩ ରନ୍‌ କରିଥିଲା ବେଳେ ରବିବାର ପଦାର୍ପଣ ଦିନିକିଆରେ ୧୫ ରନ୍‌ କରିଥିଲେ।

ସମ୍ବନ୍ଧିତ ଖବର