ବେଲ୍ଗମ୍: ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳାକୁ ୨-୦ରେ ମୂଳପୋଛ କରିନେଇଥିବା ଭାରତ-ଏ ଦଳ ଭ୍ରମଣକାରୀ ଶ୍ରୀଲଙ୍କା-ଏ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ବିଜୟରୁ ଆରମ୍ଭ କରିଛି। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଏକ୍ବାଡଙ୍କ ଧୂଆଁଧାର ଶତକ ବଳରେ ଗୁରୁବାର ପ୍ରଥମ ଦିନିକିଆକୁ ଘରୋଇ ଭାରତ ୪୮ ରନ୍ରେ ଜିତିନେଇଛି। ଅପରାଜିତ ଶତକୀୟ ପାଳି ପାଇଁ ଋତୁରାଜ ଗାଏକ୍ବାଡଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
ବର୍ଷା ଯୋଗୁଁ ବାଧାପ୍ରାପ୍ତ ଏହି ମ୍ୟାଚ୍ ୫୦ରୁ ୪୨ ଓଭରକୁ କମାଇ ଦିଆଯାଇଥିଲା। ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ ପାଇଁ ଭାରତକୁ ଆହ୍ବାନ କରିଥିଲା। ହେଲେ ଋତୁରାଜ ପାଳି ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିବାରୁ ସିଂହଳୀ ବୋଲର ହତାଶ ହୋଇଥିଲେ। ଋତୁରାଜ ୧୩୬ ବଲ୍ରୁ ୨୬ ଚୌକା ଓ ୨ ଛକା ସହାୟତାରେ ୧୮୭ ରନ୍ କରି ଅପରାଜିତ ରହିଥିଲା ବେଳେ ଭାରତ ୪ ୱିକେଟ୍ ବିନିମୟରେ ୩୧୭ ରନ୍ କରିଥିଲା। ଅନ୍ମୋଲ୍ପ୍ରୀତ୍ ସିଂହ (୬୫ ରନ୍, ୬୭ ବଲ୍, ୬ ଚୌକା) ଅର୍ଧଶତକ ଜମାଇଥିଲା ବେଳେ ଅଧିନାୟକ/ୱିକେଟ୍ରକ୍ଷକ ଈଶାନ୍ କୃଷ୍ଣନ୍ ୪୫ ରନ୍ର ଅବଦାନ ଛାଡ଼ିଥିଲେ। ଋତୁରାଜ ଦ୍ବିତୀୟ ୱିକେଟ୍ରେ ଅନ୍ମୋଲ୍ପ୍ରୀତ୍ଙ୍କ ସହ ୧୬୩ ଏବଂ ତୃତୀୟ ୱିକେଟ୍ରେ ଇଶାନ୍ଙ୍କ ସହ ୯୯ ରନ୍ ଯୋଡ଼ି ସ୍ଥିତି ଦୃଢ଼ କରିଥିଲେ। ଜବାବରେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ସେହାନ୍ ଜୟସୂରିଆ (୧୦୮*, ୧୨୦ ବଲ୍, ୮ ଚୌକା, ୨ ଛକା)ଙ୍କ ଅପରାଜିତ ଶତକ ସତ୍ତ୍ବେ ଶ୍ରୀଲଙ୍କା ୬ ୱିକେଟ୍ ବିନିମୟରେ ୨୬୯ ରନ୍ରେ ଅଟକିଗଲା। ଭାରତ ପକ୍ଷରୁ ମୟଙ୍କ ମାର୍କଣ୍ଡେ ୨, ଦେଶପାଣ୍ଡେ, ସନ୍ଦୀପ ୱାରିଅର, ଶିବମ୍ ଦୁବେ ଓ ଦୀପକ ହୁଦା ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/cricket-former-sa-bowler-tsotsobe-handed-eight-year-ban-for-match-fixing-696x434.jpg)