ପ୍ରଥମ ଓଭରରେ ତାହିର ପ୍ରଥମ ସ୍ପିନର, ମଦନ ଲାଲଙ୍କ ନାଁରେ ସର୍ବପ୍ରଥମ ଓଭର

ମଦନ ଲାଲଙ୍କ ନାଁରେ ସର୍ବପ୍ରଥମ ଓଭର

ଦ୍ବାଦଶ କ୍ରିକେଟ୍ ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌ରେ ହିଁ ଦକ୍ଷିଣ ଆଫ୍ରିକା ବୋଲର ଇମ୍ରାନ ତାହିର ନୂଆ ବିଶ୍ବ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିଶ୍ବକପ୍‌ର ପ୍ରଥମ ଓଭର ବୋଲିଂ କରିବାରେ ସେ ବିଶ୍ବର ପ୍ରଥମ ସ୍ପିନର ହୋଇଛନ୍ତି। ଗୁରୁବାର ଉଦ୍‌ଘାଟନୀ ମୁକାବିଲାର ପ୍ରଥମ ଓଭର ବୋଲିଂ କରିବା ଲାଗି ଅଧିନାୟକ ଫାଫ୍ ଡୁ’ ପ୍ଲେସିସ୍ ତାଙ୍କ ଉପରେ ଯେଉଁ ଆସ୍ଥା ପ୍ରକଟ କରିଥିଲେ, ତାହିର ତା’ର ପୂରା ସମ୍ମାନ ରଖିଥିଲେ। ଶକ୍ତିଶାଳୀ ବ୍ୟାଟିଂକ୍ରମ ଥିବା ଆୟୋଜକ ଇଂଲଣ୍ଡ ବିପକ୍ଷରେ ସାହସର ସହ ବୋଲିଂ କରି ଦ୍ବିତୀୟ ବଲ୍‌ରେ ହିଁ ସେ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ସଫଳତା ଉପହାର ଦେଇଥିଲେ। ଜନି ବେୟାରଷ୍ଟୋଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରାଇବା ସହ ତାହିର ମଧ୍ୟ କୌଣସି ବିଶ୍ବକପ୍‌ର ପ୍ରଥମ ଓଭରରେ ୱିକେଟ୍ ନେଇଥିବା ହାତଗଣତି ବୋଲରଙ୍କ ତାଲିକାରେ ନିଜକୁ ସାମିଲ କରିଥିଲେ। ସେପଟେ ବେୟାରଷ୍ଟୋ ଚଳିତ ବିଶ୍ବକପ୍‌ର ପ୍ରଥମ ୱିକେଟ୍ ହୋଇଥିଲେ। ହଠାତ୍ ଘୂରିଥିବା ବଲ୍ ତାଙ୍କ ବ୍ୟାଟ୍ ଧାରକୁ ଛୁଇଁ କ୍ବିଣ୍ଟନ୍ ଡି’ କକ୍‌ଙ୍କ ହାତକୁ ଚାଲିଯିବା ସହ ନୂଆ ଇତିହାସ ଲେଖା ହୋଇଥିଲା। ଏହା ପରେ ତାହିର ତାଙ୍କ ଚିରାଚରିତ ଶୈଳୀରେ ପଡ଼ିଆ ଭିତରେ ଦୌଡ଼ି ଦୌଡ଼ି ଖୁସି ମନାଇଥିଲେ। ୪୦ ବର୍ଷୀୟ ତାହିର ଆଇପିଏଲ୍‌ରେ ସର୍ବାଧିକ ୨୬ ୱିକେଟ୍ ନେଇ ଗୋଲାପୀ ଟୋପି ଜିତିଥିଲେ।

ମଦନ ଲାଲଙ୍କ ନାଁରେ ସର୍ବପ୍ରଥମ ଓଭର
ବିଶ୍ବକପ୍‌ର ପ୍ରଥମ ଓଭର ବୋଲିଂ କରିବାର ଗୌରବ ଭାରତୀୟ ମଧ୍ୟମଗତି ବୋଲର ମଦନ ଲାଲ ହାସଲ କରିଥିଲେ। ୧୯୭୫ ମସିହାରେ ଆୟୋଜିତ ପ୍ରଥମ ବିଶ୍ବକପ୍‌ର ପ୍ରଥମ ଓଭର ସେ ଇଂଲଣ୍ଡ ବିପକ୍ଷରେ ବୋଲିଂ କରିଥିଲେ। ସେହି ବିଶ୍ବକପ୍ ମଧ୍ୟ ଇଂଲଣ୍ଡରେ ଆୟୋଜିତ ହୋଇଥିଲା। ୧୯୭୯ ବିଶ୍ବକପ୍‌ର ପ୍ରଥମ ଓଭର ୱେଷ୍ଟଇଣ୍ଡିଜର ଆଣ୍ଡି ରବର୍ଟସ (ଭାରତ ବିପକ୍ଷରେ) ଏବଂ ୧୯୮୩ ବିଶ୍ବକପ୍‌ର ପ୍ରଥମ ଓଭର ନ୍ୟୁଜିଲାଣ୍ଡର ରିଚାର୍ଡ ହାଡଲି (ଇଂଲଣ୍ଡ ବିପକ୍ଷରେ) ବୋଲିଂ କରିଥିଲେ। ୧୯୮୭ରେ ଶ୍ରୀଲଙ୍କାର ଭିନୋଥେନ ଜନ୍ (ପାକିସ୍ତାନ ବିପକ୍ଷରେ), ୧୯୯୨ରେ ଅଷ୍ଟ୍ରେଲିଆର କ୍ରେଗ୍ ମ୍ୟାକଡରମଣ୍ଟ (ନ୍ୟୁଜିଲାଣ୍ଡ ବିପକ୍ଷରେ), ୧୯୯୬ରେ ଇଂଲଣ୍ଡର ଡୋମିନିକ କର୍କ (ନ୍ୟୁଜିଲାଣ୍ଡ ବିପକ୍ଷରେ), ୧୯୯୯ରେ ଇଂଲଣ୍ଡର ଡାରେନ ଗଫ୍ (ଶ୍ରୀଲଙ୍କା ବିପକ୍ଷରେ), ୨୦୦୩ରେ ଦକ୍ଷିଣ ଆଫ୍ରିକାର ସନ୍ ପୋଲକ (ୱେଷ୍ଟଇଣ୍ଡିଜ୍ ବିପକ୍ଷରେ), ୨୦୦୭ରେ ବାଂଲାଦେଶର ସଫିଉଲ ଇସଲାମ (ଭାରତ ବିପକ୍ଷରେ) ଏବଂ ୨୦୧୫ରେ ଶ୍ରୀଲଙ୍କାର ନୁଆନ କୁଳସେକରା (ନ୍ୟୁଜିଲାଣ୍ଡ ବିପକ୍ଷରେ) ପ୍ରଥମ ଓଭର ବୋଲିଂ କରିଥିଲେ।

ସମ୍ବନ୍ଧିତ ଖବର