ସେଣ୍ଟ୍ ଲୁସିଆ: ଟମ୍ କରନ୍ଙ୍କ ଦମ୍ଦାର ବୋଲିଂ ପରେ ଜନି ବେୟାରଷ୍ଟୋଙ୍କ ଦ୍ରୁତ ଅର୍ଧଶତକ ବଳରେ ଇଂଲଣ୍ଡ୍ ପ୍ରଥମ ଟ୍ବେଣ୍ଟି-୨୦ରେ ଘରୋଇ ୱେଷ୍ଟଇଣ୍ଡିଜ୍ ଦଳକୁ ୪ ୱିକେଟରେ ପରାସ୍ତ କରିଦେଇଛି। କରନ୍ଙ୍କ ୪ ୱିକେଟ୍ ଦଖଲ ଯୋଗୁଁ ୱେଷ୍ଟଇଣ୍ଡିଜ୍ ୧୬୦/୮ କରିବା ପରେ ବେୟାରଷ୍ଟୋଙ୍କ ୪୦ ବଲ୍ରୁ ୬୮ ରନ୍ ବଳରେ ଇଂଲଣ୍ଡ୍ ୭ ବଲ୍ ପୂର୍ବରୁ ୬ ୱିକେଟ୍ ହରାଇ ବିଜୟ ହାସଲ କରିଥିଲା। ଏଥି ସହିତ ଭ୍ରମଣକାରୀ ଇଂଲଣ୍ଡ୍ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ର ଅଗ୍ରଣୀ ମଧ୍ୟ ପାଇଯାଇଛି। ବେୟାରଷ୍ଟୋ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।ମଙ୍ଗଳବାର ରାତିରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଇଂଲଣ୍ଡ୍ କ୍ଷେତ୍ରରକ୍ଷଣ କରିଥିଲା। ନିକୋଲାସ୍ ପୂରନ୍ (୫୮ ରନ୍, ୩୭ ବଲ୍, ୩ ଚୌକା, ୪ ଛକା)ଙ୍କ ଦ୍ରୁତ ଅର୍ଧଶତକ ସତ୍ତ୍ବେ ଟମ୍ କରନ୍ (୪/୩୬), କ୍ରିସ୍ ଜୋର୍ଡାନ୍ (୨/୧୬) ପ୍ରଭାବୀ ବୋଲିଂ ଯୋଗୁଁ ୱେଷ୍ଟଇଣ୍ଡିଜ୍ ୨୦ ଓଭରରେ ୮ ୱିକେଟ୍ ହରାଇ କରିଥିଲା ୧୬୦ ରନ୍। ପୂରନ୍ଙ୍କ ବ୍ୟତୀତ ଡାରେନ୍ ବ୍ରାଭୋ (୨୮), କ୍ରିସ୍ ଗେଲ୍ (୧୫), ସିମ୍ରନ୍ ହେଟ୍ମେୟର (୧୪) ଓ ଆସ୍ଲେ ନର୍ସ (୧୩*) ଦୁଇ ଅଙ୍କ ଅତିକ୍ରମ କରିଥିଲେ। ପୂରନ୍ ଓ ବ୍ରାଭୋ ମଧ୍ୟ ୬୪ ରନ୍ର ଭାଗୀଦାରି କରି ସ୍ଥିତି ସୁଧାରି ନେଇଥିଲେ। ଜବାବରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ବେୟାରଷ୍ଟୋ (୬୮ ରନ୍, ୪୦ ବଲ୍, ୯ ଚୌକା, ୨ ଛକା)ଙ୍କ ଦ୍ରୁତ ଅର୍ଧଶତକ ସାଙ୍ଗକୁ ଜୋଏ ଡେନ୍ଲି (୩୦), ସାମ୍ ବିଲିଙ୍ଗସ (୧୮) ଓ ଆଲେକ୍ସ ହେଲ୍ସ (୧୧)ଙ୍କ ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍ ବଳରେ ଇଂଲଣ୍ଡ ୧୮.୫ ଓଭରରେ ୬ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ୧୬୧ ରନ୍ରେ ପହଞ୍ଚି ଯାଇଥିଲା। ସେଲ୍ଟନ୍ କୋଟ୍ରେଲ ୩ ୱିକେଟ୍ ଦଖଲ କରିଥିଲେ ମଧ୍ୟ ନିଜର ଶେଷ ତଥା ୧୯ତମ ଓଭରରେ ୪ ବାଇ ରନ୍ ବ୍ୟୟ କରିବାରୁ ଇଂଲଣ୍ଡ୍ ୭ ବଲ୍ ପୂର୍ବରୁ ବିଜୟ ହାସଲ କରିନେଇଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp