ଖ୍ରିଷ୍ଟଚର୍ଚ: ଜେମ୍ସ ଭିନ୍ସେ (୫୯ ରନ୍, ୩୮ ବଲ୍, ୭ ଚୌକା, ୨ ଛକା)ଙ୍କ ପ୍ରଥମ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ଅର୍ଧଶତକ ବଳରେ ନୂଆ ରୂପର ଇଂଲଣ୍ଡ ଦଳ ଶୁକ୍ରବାର ଏଠାରେ ଖେଳାଯାଇଥିବା ପ୍ରଥମ ମାଚ୍ରେ ଘରୋଇ ନ୍ୟୁଜିଲାଣ୍ଡକୁ ୭ ୱିକେଟ୍ରେ ପରାସ୍ତ କରିଦେଇଛି। ଭିନ୍ସେଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଏଥି ସହିତ ଭ୍ରମଣକାରୀ ଇଂଲଣ୍ଡ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ର ଅଗ୍ରଣୀ ପାଇଯାଇଛି।
ଟସ୍ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିବା ଇଂଲଣ୍ଡ ଏହି ମ୍ୟାଚ୍ରେ ୩ ଜଣ (ସାମ୍ କରନ୍, ପାଟ୍ ବ୍ରାଉନ୍ ଓ ଲୁଇସ୍ ଗ୍ରିଗୋରି)ଙ୍କୁ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ପଦାର୍ପଣ ସୁଯୋଗ ଦେଇଥିଲା। ସେମାନଙ୍କ ମଧ୍ୟରୁ ସାମ୍ କରନ୍ ଓ ବ୍ରାଉନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ତାଙ୍କ ବ୍ୟତୀତ କ୍ରିସ୍ ଜୋର୍ଡାନ୍ ୨ ଓ ଆଦିଲ ରସିଦ୍ ଗୋଟିଏ ୱିକେଟ୍ ପାଇଥିଲା ବେଳେ ଟମ୍ କରନ୍ ୱିକେଟ୍ ଶୂନ୍ୟ ରହିଥିଲେ। ତଥାପି ଘରୋଇ ନ୍ୟୁଜିଲାଣ୍ଡ ୫ ୱିକେଟ୍ ବିନିମୟରେ ୧୫୩ ରନ୍ କରିଥିଲା। ଅଭିଜ୍ଞ ରସ୍ ଟେଲର ୪୪, ୱିକେଟ୍ରକ୍ଷକ ଟିମ୍ ସିଫର୍ଟ ୩୨, ଡାରିଲ ମିଚେଲ ଅପରାଜିତ ୩୦, କଲିନ୍ ମୁନ୍ରୋ ୨୧ ଓ କଲିନ୍ ଗ୍ରାଣ୍ଡହୋମେ ୧୯ ରନ୍ କରିଥିଲେ। ଜବାବରେ ଜନି ବୟୋରଷ୍ଟୋ (୩୫), ଭିନ୍ସେ (୫୯) ଓ ଅଧିନାୟକ ଇୱିନ୍ ମୋର୍ଗାନ୍ (୩୪)ଙ୍କ ବଳରେ ଇଂଲଣ୍ଡ ୯ ବଲ୍ ପୂର୍ବରୁ (୧୮.୩ ଓଭର) ୩ ୱିକେଟ୍ ବିନିମୟରେ ବିଜୟ ଲକ୍ଷ୍ୟ ୧୫୪ ରନ୍ରେ ପହଞ୍ଚି ଯାଇଥିଲା। ସ୍ପିନର ମିଚେଲ ସାଣ୍ଟନର୍ ଇଂଲଣ୍ଡର ୩ଟିଯାକ ୱିକେଟ୍ ଅକ୍ତିଆର କରିଥିଲେ।