ଖ୍ରିଷ୍ଟଚର୍ଚ ଟେଷ୍ଟ୍‌: ପ୍ରଥମ ଦିନ ୧୪ ୱିକେଟ୍‌ ପତନ

ସାଉଦି ଦେଲେ ନ୍ୟୁଜିଲାଣ୍ଡ୍‌କୁ ପ୍ରତ୍ୟାବର୍ତନ ସୁଯୋଗ

ଖ୍ରିଷ୍ଟଚର୍ଚ: ବକ୍ସିଂ ‌ଡେ’ରେ ଆରମ୍ଭ ହୋଇଥିବା ନ୍ୟୁଜିଲାଣ୍ଡ୍‌ ଓ ଶ୍ରୀଲଙ୍କା ଦ୍ବିତୀୟ ଟେଷ୍ଟ୍‌ର ପ୍ରଥମ ଦିବସ ବୋଲରଙ୍କ ଆଧିପତ୍ୟ ମଧ୍ୟରେ ଶେଷ ହୋଇଛି। ସିଂହଳୀ ଦ୍ରୁତ ବୋଲର ସୁରଙ୍ଗା ଲାକ୍‌ମଲ୍‌ଙ୍କ ୫ ୱିକେଟ୍‌ ଏବଂ ନ୍ୟୁଜିଲାଣ୍ଡ୍‌ ଦ୍ରୁତ ବୋଲର ଟିମ୍‌ ସାଉଦିଙ୍କ ଅର୍ଧଶତକ ପରେ ୩ ୱିକେଟ୍‌ ଦଖଲ ହିଁ ପ୍ରଥମ ଦିବସର ମୁଖ୍ୟ ଆକର୍ଷଣ ରହିଛି। ବୋଲରଙ୍କ ପ୍ରାଧାନ୍ୟ ଯୋଗୁଁ ପ୍ରଥମ ଦିନ ମୋଟ ୨୬୬ ରନ୍‌ ସଂଗ୍ରହ ହୋଇଥିଲା ବେଳେ ଉଭୟ ଦଳର ୧୪ ୱିକେଟ୍‌ ଛଡ଼ିଯାଇଛି। ସେଥିରୁ ଟସ୍‌ ହାରି ବ୍ୟାଟିଂ ପାଇଥିବା ଘାରୋଇ ନ୍ୟୁଜିଲାଣ୍ଡ୍‌ ତା’ ପ୍ରଥମ ପାଳିରେ ୧୭୮ ରନ୍‌ କରି ସମସ୍ତ ୱି‌କେଟ୍‌ ହରାଇଥିଲା ବେଳେ ଶ୍ରୀଲଙ୍କା ୮୮ ରନ୍‌ରେ ୪ ୱିକେଟ୍‌ ହରାଇସାରିଛି। ଲାକ୍‌ମଲ୍‌ (୫/୫୪)ଙ୍କ ଘାତକ ବୋଲିଂ ସାଙ୍ଗକୁ ଲାହିରୁ କୁମାରାଙ୍କ ୩ ୱିକେଟ୍‌ ଶ୍ରୀଲଙ୍କାକୁ ଭଲ ସ୍ଥିତି ଦେଇଥିଲା। ତେବେ ସାଉଦି ୬୫ ବଲ୍‌ରୁ ୬ ଚୌକା ଓ ୩ ଛକା ସହାୟତାରେ ୬୮ ରନ୍‌ କରି ନ୍ୟୁଜିଲାଣ୍ଡ୍‌କୁ ବଡ଼ ବିପର୍ଯ୍ୟୟରୁ ରକ୍ଷା‌ କରିଥିଲେ। ଏକ ସମୟରେ ୬୪ ରନ୍‌ରେ ୬ ୱିକେଟ୍‌ ହରାଇଥିବା ନ୍ୟୁଜିଲାଣ୍ଡକୁ ସାଉଦି ଓ ୱିକେଟ୍‌ରକ୍ଷକ ବିଜେ ୱାଟ୍‌ଲିଙ୍ଗ୍‌ (୪୬)ଙ୍କ ୧୦୮ ରନ୍‌ର ଷଷ୍ଠ ୱିକେଟ୍‌ ଭାଗୀଦାରି ହିଁ ୨୦୦ ପାରି କରିବାର ସୁଯୋଗ ଦେଇଥିଲା। ହେଲେ ଦଳୀୟ ସ୍କୋର୍‌ ୧୭୨ ବେଳେ ସାଉଦି ବିଦାୟ ନେବାରୁ ଅବଶିଷ୍ଟ ୩ ୱିକେଟ୍‌ ମାତ୍ର ୬ ରନ୍‌ ମଧ୍ୟରେ ଝଡ଼ିଯାଇଥିଲା। ଫଳରେ ୫୦ ଓଭରରେ ହିଁ ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳି ୧୭୮ ରନ୍‌ରେ ଶେଷ ହୋଇଯାଇଥିଲା। ଜବାବରେ ଶ୍ରୀଲଙ୍କା ପ୍ରଥମ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ୮୮/୪ କରି ୯୦ ରନ୍‌ ପଛରେ ରହିଛି। ହେଲେ ବ୍ୟାଟିଂରେ ବହୁମୂଲ୍ୟବାନ ଅର୍ଧଶତକ ହାସଲ କରିଥିବା ସାଉଦି ପାକିସ୍ତାନ ପ୍ରଥମ ପାଳିରେ ଚମତ୍କାର ବୋଲିଂ କରି ୩ ୱିକେଟ୍‌ ଅକ୍ତିଆର କରିନେଇଛନ୍ତି। ଫଳରେ ସାଉଦିଙ୍କ ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ନ୍ୟୁଜିଲାଣ୍ଡ୍‌କୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଛି।

ସଂକ୍ଷିପ୍ତ ସ୍କୋର୍‌: ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳି: ୫୦ ଓଭରରେ ୧୭୮ (ଟିମ୍‌ ସାଉଦି-୬୮, ବିଜେ ୱାଟ୍‌ଲିଙ୍ଗ୍‌-୪୬, ରସ୍‌ ଟେଲର-୨୭, ଟମ୍‌ ଲାଥାମ୍‌-୧୦, ସୁରଙ୍ଗା ଲାକ୍‌ମଲ-୫/୫୪, ଲାହିରୁ କୁମା‌ରା-୩/୪୯)। ଶ୍ରୀଲଙ୍କା ପ୍ରଥମ ପାଳି: ୩୨ ଓଭରରେ ୮୮/୪ (ଆଞ୍ଜେଲୋ ମାଥ୍ୟୁସ୍‌-୨୭*, କୁସାଲ ମେଣ୍ଡିସ୍‌-୧୫, ରୋସନ୍‌ ସିଲ୍‌ଭା-୧୫*, ଟିମ୍‌ ସାଉଦି-୩/୨୯, କଲିନ୍‌ ଡି ଗ୍ରାଣ୍ଡ୍‌ହୋମେ-୧/୧୯)।

ପେରେରାଙ୍କ ୧୫୦ ୱିକେଟ୍‌
ଟିମ୍‌ ସାଉଦିଙ୍କ ରୂପରେ ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳିର ଏକମାତ୍ର ୱିକେଟ୍‌ ପାଇଥିବା ଅଫ୍‌ସ୍ପିନର ଦିଲ୍‌ରୁୱାନ୍‌ ପେରେରା ସିଂହଳୀ ବୋଲର ଭାବେ ଟେଷ୍ଟ୍‌ରେ ଦ୍ରୁତତମ ୧୫୦ ୱିକେଟ୍‌ ଅକ୍ତିଆର କରିବାରେ ମୁଥେୟା ମୁରଲୀଧରନ୍‌ଙ୍କ ସହ ଯୁଗ୍ମ କୀର୍ତିମାନ ପାଇଛନ୍ତି। ପେରେରା ୩୬ ଟେଷ୍ଟ୍‌ ଖେଳି ଏହି ମାଇଲଖୁଣ୍ଟ୍‌ ଛୁଇଁଛନ୍ତି। ପୂର୍ବରୁ ମୁରଲୀଧରନ୍‌ ମଧ୍ୟ ସମାନ ୩୬ ଟେଷ୍ଟ୍‌ରୁ ୧୫୦ ୱିକେଟ୍‌ ପୂରଣ କରିଥିଲେ।

ସମ୍ବନ୍ଧିତ ଖବର