ପ୍ରଥମ ଟେଷ୍ଟ ଜିତିଲା ବାଂଲାଦେଶ

ଚିଟାଗଙ୍ଗ: ବଂଲାଦେଶ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ୍‌ ମାତ୍ର ୩ ଦିନରେ ଶେଷ ହୋଇଯାଇଛି। ଏଥିରେ ଘରୋଇ ବାଂଲାଦେଶ ୬୪ ରନ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରି ୨ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୧-୦ର ଅଗ୍ରଣୀ ପାଇଛି। ଚତୁର୍ଥ ପାଳିରେ ୱେଷ୍ଟଇଣ୍ଡିଜ୍‌ ସମ୍ମୁଖରେ ୨୦୪ ରନ୍‌ର ଲକ୍ଷ୍ୟ ରହିଥିଲା ବେଳେ ଭ୍ରମଣକାରୀ ଦଳ ୧୩୯ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ଦ୍ବିତୀୟ ପାଳିରେ ତାଇଜୁଲ୍‌ ଇସ୍‌ଲାମ ୩୩ ରନ୍‌ରେ ୬ ୱିକେଟ୍‌ ନେଇଥିଲା ବେଳେ ସାକିବ୍‌ ଅଲ୍‌ ହାସନ୍‌ (୨/୩୦) ଓ ମେହେଦି ହାସନ୍‌ ମିରାଜ୍‌ (୨/୨୭) ଅବଶିଷ୍ଟ ୪ ୱିକେଟ୍‌ ବ‌ାଣ୍ଟି ନେଇଥିଲେ। ଏହା ପୂର୍ବରୁ ଘରୋଇ ମାଟିରେ ୫୨ ଟେଷ୍ଟ୍‌ ଖେଳି ମାତ୍ର ୪ ବିଜୟ ପାଇଥିବା ବାଂଲାଦେଶ ଦଳ ଶେଷ ୮ ଟେଷ୍ଟ୍‌ରୁ ଚତୁର୍ଥ ବିଜୟ ପାଇଛି। ଆଗରୁ ଇଂଲଣ୍ଡ୍‌, ଅଷ୍ଟ୍ରେଲିଆ ଓ ଜିମ୍ବାୱେକୁ ପରାସ୍ତ କରିଥିବା ବାଂଲାଦେଶ ଏବେ ୱେଷ୍ଟଇଣ୍ଡିଜ୍‌କୁ ହରାଇଲା। ପୁଣି ଶେଷ ଥର ପାଇଁ ୨୦୦୯ରେ ୱେଷ୍ଟଇଣ୍ଡିଜ୍‌କୁ ତା’ ଘରୋଇ ମାଟିରେ ବାଂଲାଦେଶ ପରାସ୍ତ କରିଥିଲା। କାରବୀୟ ଗସ୍ତରେ ସେହି ୨-୦ର ବିଜୟ ପରଠୁ ଏବଂ ଶନିବାର ଚିଟାଗଙ୍ଗରେ ୬୪ ରନ୍‌ରେ ଜିତିବା ପୂର୍ବରୁ ୱେଷ୍ଟ୍‌ଇଣ୍ଡିଜ୍‌ ସହ ୮ ଥର ଟେଷ୍ଟ୍‌ ଖେଳିଥିବା ବାଂଲାଦେଶ ୭ ପରାଜୟ ବରଣ କରିଥିଲା ବେଳେ ଗୋଟିଏ ଅମୀମାଂସିତ ରଖିଥିଲା। ମୋମିନୁଲ୍‌ ହକ୍‌ (୧୨୦ ରନ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଲେ।

ସଂକ୍ଷିପ୍ତ ସ୍କୋର୍‌: ବାଂଲାଦେଶ ପ୍ରଥମ ପାଳି-୯୨.୪ ଓଭରରେ ୩୨୪ ଏବଂ ଦ୍ବିତୀୟ ପାଳି-୩୫.୫ ଓଭରରେ ୧୨୫। (ୱେଷ୍ଟଇଣ୍ଡିଜ୍‌ ପ୍ରଥମ ପାଳି-୬୪ ଓଭରରେ ୨୪୬ ଏବଂ ଦ୍ବିତୀୟ ପାଳି-୩୫.୨ ଓଭରରେ ୧୩୯।

୩୦୦୦ ରନ୍‌ ଓ ୨୦୦ ୱିକେଟ୍‌ରେ ସାକିବ୍‌ ଦ୍ରୁତତମ
ବାଂଲାଦେଶ ଅଧିନାୟକ ସାକିବ୍‌ ଅଲ୍‌ ହାସନ୍‌ ଟେଷ୍ଟ୍‌ରେ ୩୦୦୦ ରନ୍‌ ଏବଂ ୨୦୦ ୱିକେଟ୍‌ ପୂରଣ କରିଛନ୍ତି। ଯାହାକି ବିଶ୍ବର ଯେକୌଣସି ଖେଳାଳିଙ୍କ ପାଇଁ ଦ୍ରୁତତମ। ଏକ୍ଷେତ୍ରରେ ସାକିବ୍‌ ବାଂଲାଦେଶର ପ୍ରଥମ ଏବଂ ବିଶ୍ବର ଚତୁର୍ଦଶ ଖେଳାଳି ହୋଇଥିଲା ବେଳେ ୫୪ ଟେଷ୍ଟ୍‌ରୁ ଏହି ସଫଳତା ହାତେଇ ଇଂଲଣ୍ଡର ସାର୍‌ ଇଆନ୍‌ ବୋଥାମ୍‌ (୫୫ ଟେଷ୍ଟ୍‌)ଙ୍କ ନାମରେ ଥିବା ଦ୍ରୁତତମ କୀର୍ତିମାନକୁ ନିଜ ନାମକୁ ନେଇଯାଇଛନ୍ତି।

ସମ୍ବନ୍ଧିତ ଖବର