ପ୍ରଥମ ଥର ଈରାନୀ କପ୍‌ ଜିତିଲା ବିଦର୍ଭ

ନାଗପୁର: ଗୋଟିଏ ଦ୍ୱିଶତକ, ଦୁଇଟି ଶତକ ଏବଂ ଦୁଇଟି ଅର୍ଧଶତକ ବଳରେ କୀର୍ତିମାନ ଭରା ପ୍ରଥମ ପାଳି ଦଳୀୟ ସ୍କୋର୍‌ (୮୦୦/୭ରେ ଘୋଷିତ) ଭିତ୍ତିରେ ରଣଜୀ ଟ୍ରଫି ବିଜେତା ବିଦର୍ଭ ଚଳିତ ବର୍ଷର ଈରାନୀ କପ୍‌ ମଧ୍ୟ ହାସଲ କଲା। ଏହି ଦଳ ସବୁଠୁ ଅଧିକ ୨୭ ଥର ବିଜେତା ଅବଶିଷ୍ଟ ଭାରତକୁ ଧୂଳି ଚଟେଇ ପ୍ରଥମ ଥର ପାଇଁ ମଧ୍ୟ ବିଜେତା ହେବାର ଗୌରବ ବହନ କଲା। ଗୋଟିଏ ଋତୁରେ ଦୁଇଟି ଟ୍ରଫି କରାୟତ କରି ବିଦର୍ଭ ମଧ୍ୟ ଘରୋଇ କ୍ରିକେଟ୍‌ରେ ନିଜର ଆଧିପତ୍ୟ ଜାହିର କରିଛି। ଏଠାରେ ଚଳିତ ବର୍ଷର ପ୍ରତିଯୋଗିତାରେ ବିଦର୍ଭ ପ୍ରଥମ ପାଳିରେ ୭ ଓ୍ଵିକେଟ୍‌ ବିନିମୟରେ ୮୦୦ ରନ୍‌ (ଘୋଷିତ) କରିଥିଲା। ଯାହାକି ଈରାନୀ କପ୍‌ ଇତିହାସରେ ସର୍ବୋଚ୍ଚ ଦଳୀୟ ସ୍କୋର୍‌ ଥିଲା। ୧୯୯୦-୯୧ ଋତୁରେ ବେଙ୍ଗଲ ବିପକ୍ଷ ମ୍ୟାଚ୍‌ରେ ୭୫୭/୭ (ଘୋଷିତ) କରିଥିବା ଅବଶିଷ୍ଟ ଭାରତ ନାମରେ ସର୍ବୋଚ୍ଚ ଦଳୀୟ ସ୍କୋର୍‌ କୀର୍ତିମାନ ଏପର୍ଯ୍ୟନ୍ତ ଅତୁଟ ରହିଥିଲା। ଆଉ ୨୮ ବର୍ଷ ଧରି ଅତୁଟ ରହିଥିବା ଏହି କୀର୍ତିମାନକୁ ବିଦର୍ଭ ଏଥର ଭାଙ୍ଗି ଦେଲା। ବିଶେଷକରି ଓ୍ଵାସିମ୍‌ ଜାଫରଙ୍କ ୨୮୬, ଅପୂର୍ବ ଓ୍ଵାଙ୍ଖାଡେଙ୍କ ଅପରାଜିତ ୧୫୭, ସତୀଶ ଗଣେଶଙ୍କ ୧୨୦, ଅଧିନାୟକ ଫୈଜ୍‌ ଫଜଲ୍‌ଙ୍କ ୮୯ ଓ ସଞ୍ଜୟ ରାମାସ୍ୱାମୀଙ୍କ ୫୩ ରନ୍‌ ହିଁ ବିଦର୍ଭକୁ କୀର୍ତିମାନଭରା ପାଳି ଦେବାରେ ପ୍ରମୁଖ ଭୂମିକା ନେଇଥିଲା। ପୁଣି ଜାଫରଙ୍କ ୨୮୬ ରନ୍‌ ମଧ୍ୟ ଈରାନୀ କପ୍‌ ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ କୀର୍ତିମାନ ପାଇଥିଲା। ଏହା ପୂର୍ବରୁ ୧୯୯୦-୯୧ରେ ଅବଶିଷ୍ଟ ଭାରତ ପକ୍ଷରୁ ପ୍ରବୀଣ ଆମ୍ରେ କରିଥିବା ୨୪୬ ରନ୍‌ ମଧ୍ୟ ୨୮ ବର୍ଷ ଧରି ସର୍ବାଧିକ ବ୍ୟକ୍ତିଗତ ରନ୍‌ ଭାବେ ଅତୁଟ ରହିଥିଲା। ଯାହାକୁ କି ଜାଫର ଏଥର ଅବଶିଷ୍ଟ ଭାରତ ବିପକ୍ଷ ମ୍ୟାଚ୍‌ରେ ଭାଙ୍ଗି ଦେଇଛନ୍ତି।

ବିଦର୍ଭର ବିଶାଳ ପ୍ରଥମ ପାଳି ସ୍କୋର୍‌ ଜବାବରେ ଅବଶିଷ୍ଟ ଭାରତ ହନୁମା ବିହାରୀ (୧୮୩ ରନ୍‌)ଙ୍କ ଲଢ଼ୁଆ ଶତକ, ଜୟନ୍ତ ଯାଦବ (୯୬)ଏବଂ ପୃଥ୍ଵୀ ସ (୫୧ ରନ୍‌)ଙ୍କ ଚମତ୍କାର ଅର୍ଧଶତକ ସତ୍ତ୍ୱେ ପଞ୍ଚମ ତଥା ଶେଷ ଦିନ ପ୍ରଥମ ପାଳିରେ ୩୯୦ ରନ୍‌ରେ ସୀମିତ ରହିଯାଇଥିଲା। ବିହାରୀ ଓ ଯାଦବଙ୍କ ସପ୍ତମ ଓ୍ଵିକେଟ୍‌ରେ ୨୧୬ ରନ୍‌ର ଭାଗୀଦାରି ହିଁ ଅବଶିଷ୍ଟ ଭାରତ ପାଳିର ଉଲ୍ଲେଖନୀୟ ଥିଲା। ବିଦର୍ଭ ପକ୍ଷରୁ ଦ୍ରୁତ ବୋଲର ରଜନୀଶ ଗୁରୁବାଣୀ ୭୦ ରନ୍‌ରେ ୪, ଆଦିତ୍ୟ ସର୍‌ଓ୍ଵତେ ୯୭ ରନ୍‌ରେ ଏବଂ ଉମେଶ ଯାଦବ ୭୨ ରନ୍‌ରେ ୨ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଫଳରେ ବିଦର୍ଭ ୪୧୦ ରନ୍‌ର ପ୍ରଥମ ପାଳି ଅଗ୍ରଣୀ ପାଇଥିଲା। ଯାହାକି ବିଦର୍ଭକୁ ମ୍ୟାଚ୍‌ ଜିତିବା ପାଇଁ ଯଥେଷ୍ଟ ଥିଲା। ତଥାପି ଅବଶିଷ୍ଟ ଭାରତକୁ ଫଲୋଅନ୍‌ ନଡାକି ବିଦର୍ଭ ଦ୍ୱିତୀୟ ପାଳି ଖେଳିଥିଲା। ଶେଷ ଦିନର ଷ୍ଟମ୍ପ୍‌ସ ପ୍ରତ୍ୟାହାର ତଥା ମ୍ୟାଚ୍‌ ଅମୀମାଂସିତ ଘୋଷଣା ବେଳକୁ ବିଦର୍ଭ ଦ୍ୱିତୀୟ ପାଳିରେ କୌଣସି ଓ୍ଵିକେଟ୍‌ ନହରାଇ ୭୯ ରନ୍‌ କରିଥିଲା। ସଞ୍ଜୟ ରାମାସ୍ୱାମୀ ୨୭ ଓ ଓ୍ଵିକେଟ୍‌ରକ୍ଷକ ଅକ୍ଷୟ ଓ୍ଵାଦ୍‌କର ୫୦ ରନ୍‌ରେ ଅପରାଜିତ ରହିଥିଲେ। କୀର୍ତିମାନ ଭରା ପ୍ରଥମ ପାଳିରେ ତ୍ରିଶତକରୁ ମାତ୍ର ୧୪ ରନ୍‌ ପାଇଁ ବଞ୍ଚିତ ହୋଇଥିବା ବିଜେତା ଦଳର ଓ୍ଵାସିମ୍‌ ଜାଫର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସଂକ୍ଷିପ୍ତ ସ୍କୋର୍‌: ବିଦର୍ଭ ପ୍ରଥମ ପାଳି-୨୨୬.୩ ଓଭରରେ ୮୦୦/୭ ଘୋଷିତ (ଓ୍ଵାସିମ୍‌ ଜାଫର ୨୮୬, ଓ୍ଵାଙ୍ଖାଡେ ୧୫୭*, ଗଣେଶ ସତୀଶ ୧୨୦, ସିଦ୍ଧାର୍ଥ କୌଲ ୨/୯୧)। ବିଦର୍ଭ ପ୍ରଥମ ପାଳି-୧୨୯.୧ ଓଭରରେ ୩୯୦ (ହନୁମା ବିହାରୀ ୧୮୩, ଜୟନ୍ତ ଯାଦବ ୯୬, ଗୁରୁବାଣୀ ୪/୭୦, ସରଓ୍ଵତେ ୩/୯୭, ଉମେଶ ଯାଦବ ୨/୭୨)। ବିଦର୍ଭ ଦ୍ୱିତୀୟ ପାଳି-୨୬ ଓଭରରେ ୭୯/୦ (ଓ୍ଵାଙ୍ଖାଡେ ୫୦*, ସଞ୍ଜୟ ୨୭*)।

ସମ୍ବନ୍ଧିତ ଖବର