ପ୍ରଥମ ଥର ଆଇ-ଲିଗ୍‌ ଜିତିଲା ମିନର୍ଭା ପଞ୍ଜାବ

ପଞ୍ଚକୁଲା: ଆଇ-ଲିଗ୍‌ରେ ଇତିହାସ ରଚିଲା ମିନର୍ଭା ପଞ୍ଜାବ ଦଳ। ଗୁରୁବାର ଏହି ଦଳ ଚଚ୍ଚିଲ ବ୍ରଦର୍ସକୁ ୧-୦ ଗୋଲ୍‌ରେ ପରାସ୍ତ କରି ପ୍ରଥମ ଥର ଲାଗି ବିଜେତା ହୋଇଛି। ଏଥି ସହିତ ଉତ୍ତର ଭାରତର ପ୍ରଥମ ଦଳ ଭାବେ ଏହି ଟ୍ରଫି ଜିତିବାର ଇତିହାସ ରଚିଛି। ପୂର୍ବରୁ ଗତବର୍ଷ ଉତ୍ତର-ପୂର୍ବ ଭାରତର ପ୍ରଥମ ଦଳ ଭାବେ ଆଇଜଲ୍‌ ଏଫ୍‌ସି ବିଜେତା ହୋଇଥିଲା। ଚର୍ଚ୍ଚିଲ ବ୍ରଦର୍ସ ବିପକ୍ଷ ମ୍ୟାଚ୍‌ର ପଞ୍ଚଦଶ ମିନିଟ୍‌ରେ ଓ୍ଵିଲିୟମ୍‌ ଆସିଦୁ ଓପୋକୁଙ୍କ ଏକମାତ୍ର ଗୋଲ୍‌ ମିନର୍ଭା ପଞ୍ଜାବକୁ ଟ୍ରଫି ଜିତିବା ପାଇଁ ଯଥେଷ୍ଟ ଥିଲା। ବିଶେଷକରି ତିନି ରଥୀ ଚେଞ୍ଚୋ ଜେଲ୍‌ଓସେନ୍‌, ଓ୍ଵିଲିୟମ୍‌ ଏବଂ ଗିରିକ୍‌ ଖୋସ୍‌ଲା ହିଁ ଚର୍ଚ୍ଚିଲ ବ୍ରଦର୍ସର ରକ୍ଷଣଭାଗକୁ ବ୍ୟତିବ୍ୟସ୍ତ କରିଦେଇଥିଲେ। ମ୍ୟାଚ୍‌ର ଅଷ୍ଟମ ମିନିଟ୍‌ରେ ଚେଞ୍ଚୋ ଗୋଟିଏ ଗୋଲ୍‌ କରିବାରୁ ଅଳ୍ପକେ ବଞ୍ଚିତ ହୋଇଥିଲେ। ସେହିପରି ଚର୍ଚ୍ଚିଲ ବ୍ରଦର୍ସ ମଧ୍ୟ ୫୧ ମିନିଟ୍‌ରେ ଏକ ନିଶ୍ଚିତ ଗୋଲ୍‌ ସୁଯୋଗ ହରାଇବାରୁ ପରାଜୟ ପାଇଁ ବାଧ୍ୟ ହୋଇଥିଲା। ପ୍ରଥମାର୍ଧ ୧-୦ରେ ମିନର୍ଭା ସପକ୍ଷରେ ରହିଥିଲା ବେଳେ ଦ୍ୱିତୀୟାର୍ଧରେ ଉଭୟ ଦଳ ଅନେକ ଗୋଲ୍‌ ସୁଯୋଗ ସୃଷ୍ଟି କରି ମଧ୍ୟ ସଫଳ ହୋଇନଥିଲେ। ଫଳରେ ବିଜେତା ହେବାରୁ ବଞ୍ଚିତ ହୋଇଥିବା ଚର୍ଚ୍ଚିଲ ବ୍ରଦର୍ସ ଦ୍ୱିତରୟ ଡିଭିଜନ୍‌କୁ ଖସିଯାଇଛି।

ସମ୍ବନ୍ଧିତ ଖବର