କଟକ: ଚେନ୍ନାଇରେ ଖେଳାଯାଇଥିବା ମହିଳା ଟେ୍ଵଣ୍ଟି-୨୦ ପ୍ଲେଟ୍ ଗ୍ରୁପ୍ ସି’ରେ ଓଡ଼ିଶା ବିଜେତା ହୋଇଛି। ପ୍ରଥମ ଥର ପାଇଁ ଓଡ଼ିଶା ଗ୍ରୁପ୍ ବିଜେତା ହୋଇଥିବା ବେଳେ ସିଧାସଳଖ ପ୍ଲେଟ୍ ଗ୍ରୁପ୍ର ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ଆସନ୍ତା ୨୫ ତାରିଖରେ ବାଙ୍ଗାଲୋରରେ ଓଡ଼ିଶା ସେମିଫାଇନାଲ୍ ଖେଳିବ। ବୁଧବାର ଓଡ଼ିଶା ଖେଳିଥିବା ଶେଷ ଲିଗ୍ ମ୍ୟାଚ୍ରେ ତାମିଲନାଡ଼ୁକୁ ସୁପର ଓଭରରେ ହରାଇ ଏହି ସଫଳତା ପାଇଛି। ପୂର୍ବରୁ ପଞ୍ଜାବ, ଜମ୍ମୁ କାଶ୍ମୀର, ତ୍ରିପୁରାକୁ ଓଡ଼ିଶା ହରାଇଥିଲା ବେଳେ ଛତିଶଗଡ଼ଠୁ ୧ ରନ୍ରେ ପରାସ୍ତ ହୋଇଥିଲା।
ବୁଧବାର ଶେଷ ଲିଗ୍ରେ ପ୍ରଥମେ ବ୍ୟାଟିଂ କରି ତାମିଲନାଡ଼ୁ ୮ ଓ୍ଵିକେଟ୍ ହରାଇ ୧୦୮ ରନ୍ କରିଥିଲା। ନିରଂଜନା ନାଗରାଜନ ୧୯, ଡି. ହେମଲତା ୨୮, ଭି ବିଳାସୀନି ୧୩ ଓ ନମିତା ଓଝା ୧୪ ରନ୍ କରିଥିଲେ। ଓଡ଼ିଶା ପକ୍ଷରୁ ସୁଶ୍ରୀ ଦିବ୍ୟଦର୍ଶିନୀ ୨, ରାଜଶ୍ରୀ ସ୍ୱାଇଁ ଓ ରୀମାଲକ୍ଷ୍ମୀ ଏକ୍କା ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ୧୦୯ ରନ୍ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଓଡ଼ିଶା ଆରମ୍ଭରୁ ଅଧିନାୟିକା ମଧୁସ୍ମିତା ବେହେରାଙ୍କ ରୂପରେ ପ୍ରଥମ ଝଟ୍କା ପାଇଥିଲା। ତଥାପି ମାଧୁରୀ ମେହେଟ୍ଟା ଓ ସରିତା ମେହେର୍ଙ୍କ ଯୋଡ଼ି ଦ୍ୱିତୀୟ ଓ୍ଵିକେଟରେ ୪୮ରନ୍ ଯୋଡ଼ିଥିଲେ। ହେଲେ ୧୬ ଓଭର ବେଳକୁ ସରିତା (୨୩) ଓ ମାଧୁରୀ (୩୭) ପାଭିଲିୟନ୍ ଫେରିଯିବାରୁ ଓଡ଼ିଶା ପୁଣି ସଂକଟରେ ପଡ଼ିଯାଇଥିଲା। ନିୟମିତ ଅନ୍ତରାଳରେ ଏପରିକି ଶେଷ ଓଭରରେ ୩ ଓ୍ଵିକେଟ ହରାଇ ଓଡ଼ିଶା ପରାଜୟ ମୁହାଁ ହୋଇଥିଲା। ଦଳୀୟ ସ୍କୋର୍ ୧୦୨ ହୋଇଥିବା ବେଳେ ଶେଷ ବଲ୍ରେ ପ୍ରଜ୍ଞା ପାରମିତା ମହାନ୍ତି (୧୭*) ଛକା ମାରି ମ୍ୟାଚ୍ ଟାଇ କରିଦେଇଥିଲେ। ଫଳରେ ସୁପର ଓଭରର ସହାୟତା ନେବାକୁ ପଡ଼ିଥିଲା। ସୁପର ଓଭରରେ ଓଡ଼ିଶା ୫ ରନ୍ କରିଥିଲା ବେଳେ ତାମିଲନାଡ଼ୁ ୪ ରନ୍ରେ ଅଟକି ଯାଇଥିଲା। ଓଡ଼ିଶା ପାଇଁ ପ୍ରଜ୍ଞା ପାରମିତା ମହାନ୍ତି ୩, ମାଧୁରୀ ମେହେଟ୍ଟା ୧ ଓ ଅଧିନାୟକ ମଧୁସ୍ମିତା ବେହେରା ୧* ରନ୍ କରିଥିଲେ। ତାମିଲନାଡ଼ୁର ଡି ହେମଲତା ୨ ଓ ନମିତା ଓଝା ଅପରାଜିତ ୨ ରନ୍ କରିଥିଲେ।
ପ୍ରାରମ୍ଭିକ ଯୋଡ଼ିର ସଫଳତାରୁ ଫାଇଦା ମିଳିଛି: ରଶ୍ମିତା
ସବୁ ବିଭାଗରେ ଓଡ଼ିଶା ଭଲ ଖେଳିଛି। ମ୍ୟାଚ୍ରେ ଆମେ ଅଲ୍ରାଉଣ୍ଡରଙ୍କୁ ମିଶାଇ ମୋଟ ୮ ଜଣ ବ୍ୟାଟିଂ ବିଶେଷଜ୍ଞଙ୍କୁ ଖେଳାଇଥିଲୁ। ତାହାର ଫାଇଦା ମିଳିଥିବା ଓଡ଼ିଶା ଦଳର ପ୍ରଶିକ୍ଷିକା ରଶ୍ମିତା ମହାନ୍ତି କହିଛନ୍ତି। ପ୍ରଥମ ଥର ପାଇଁ ଗ୍ରୁପ୍ ବିଜେତା ହୋଇଥିବାରୁ ଖେଳାଳିମାନଙ୍କ ମନୋବଳକୁ ମଧ୍ୟ ବଢାଇଛି। ପ୍ରତ୍ୟେକ ସମୟକୁ ଖେଳାଳିମାନେ ଉପଭୋଗ କରିଛନ୍ତି। ସବୁ ମ୍ୟାଚ୍ରେ ପ୍ରାରମ୍ଭିକ ଯୋଡ଼ି ରନ୍ ସଂଗ୍ରହ କରୁଥିବାରୁ ତାହାର ପ୍ରଭାବ ଅନ୍ୟ ଖେଳାଳିଙ୍କ ଉପରେ ପଡୁଥିଲା। ବୋଲିଂରେ ମଧ୍ୟ ଆମେ ଓ୍ଵିକେଟ୍ ବାହାର କରିବାରେ ସଫଳ ହେଉଥିଲୁ। ପୂର୍ବରୁ ଦିନିକିଆ ପ୍ରତିଯୋଗିତାରେ ଓଡ଼ିଶା ମାତ୍ର ଗୋଟିଏ ମ୍ୟାଚ୍ ଜିତିଥିବାରୁ ଟେଣ୍ଟି-୨୦ କ୍ରିକେଟରେ ସମସ୍ତେ ଚାପରେ ଥିଲେ। କିନ୍ତୁ ଦଳୀୟ ବୈଠକରେ ସବୁବେଳେ ମ୍ୟାଚ୍କୁ ଉପଭୋଗ କରିବାକୁ ପରାମର୍ଶ ଦିଆଯାଇଥିଲା। ତାହାର ଫାଇଦା ଆମେ ପାଇଛୁ। ଏବେ ସେମିଫାଇନାଲ୍କୁ ମଧ୍ୟ ଜିତି ଆଗକୁ ବଢିବା ଆମର ଲକ୍ଷ୍ୟ ରହିବ ବୋଲି ସେ କହିଛନ୍ତି।