ଭୁବନେଶ୍ୱର: ଜୁନ୍‍ ୯ ତାରିଖରୁ ୪ଦିନ ଧରି କିଟ୍‍ ବିଶ୍ୱବିଦ୍ୟାଳୟରେ ଚାଲିଥିବା ପ୍ରଥମ ଜନଜାତି ଖେଳ ମହୋତ୍ସବ ସୋମବାର ଉଦ୍‍ଯାପିତ ହୋଇଯାଇଛି। ଓଡ଼ିଶା ଦଳଗତ ଭାବେ ଉଭୟ ବାଳକ ଓ ବାଳିକା ବର୍ଗରେ ବିଜେତା ହୋଇଛି। ସେହିପରି କର୍ଣ୍ଣାଟକର ପ୍ରଥମ ରନର୍ସ ହୋଇଥିବା ବେଳେ ଝାଡ଼ଖଣ୍ଡ ଦ୍ୱିତୀୟ ରନର୍ସ ଅପ୍‍ ହୋଇଛି। ରଗ୍‍ବି ବାଳକ ବର୍ଗରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଝାଡ଼ଖଣ୍ଡ ରୌପ୍ୟ ଓ ମହାରାଷ୍ଟ୍ର କାଂସ୍ୟ ପଦକ ହାସଲ କରିଛନ୍ତି । ରଗ୍‍ବି ବାଳିକା ବର୍ଗରେ ଓଡ଼ିଶା ଦଳ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଛନ୍ତି । ହକି ପୁରୁଷ ବର୍ଗରେ ଓଡ଼ିଶା ବିଜେତା, ଝାଡ଼ଖଣ୍ଡ ଦ୍ବିତୀୟ ଏବଂ ମଧ୍ୟପ୍ରଦେଶ ତୃତୀୟ ସ୍ଥାନ ପାଇଛି। ବାଳିକା ହକିରେ ଓଡ଼ିଶା ବିଜେତା ହୋଇଥିବା ବେଳେ ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନ ପାଇଛନ୍ତି। କବାଡ଼ି ପୁରୁଷ ବର୍ଗରେ ଓଡ଼ିଶା ପ୍ରଥମ, ତାମିଲନାଡ଼ୁ, କର୍ଣ୍ଣାଟକ ଯଥାକ୍ରମେ ପ୍ରଥମରୁ ତୃତୀୟ ସ୍ଥାନ ପାଇଥି‌ଲେ। ମହିଳା ବର୍ଗରେ କର୍ଣ୍ଣାଟକ ପ୍ରଥମ ସ୍ଥାନରେ ରହିଥିବା ବେଳେ ଓଡ଼ିଶା ଓ ଛତିଶଗଡ଼ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ। ଖୋ ଖୋ ବାଳକ ବର୍ଗରେ ଓଡ଼ିଶା ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ କର୍ଣ୍ଣାଟକ ରନର୍ସ ଅପ୍‍ ଓ ଗୁଜୁରାଟ ଓ ମଧ୍ୟପ୍ରଦେଶ ଉଭୟ ତୃତୀୟ ଏବଂ ବାଳିକାରେ ଓଡ଼ିଶା ମଧ୍ୟ ପ୍ରଥମ ବିଜେତା, ଗୁଜରାଟ ଉପ ବିଜେତା ଏବଂ ଛତିଶଗଡ଼ ଓ କର୍ଣ୍ଣାଟକ ତୃତୀୟ ସ୍ଥାନରେ ରହିଛନ୍ତି । ଫୁଟବଲ ବାଳକ ବର୍ଗରେ ଓଡ଼ିଶା, ବିହାର, ଝାଡ଼ଖଣ୍ଡ ଏବଂ ବାଳିକାରେ ଛତିଶଗଡ଼, ଝାଡ଼ଖଣ୍ଡ, ତ୍ରିପୁରା ଶୀର୍ଷ ୩ ସ୍ଥାନ ପାଇଥିଲେ। ଭଲିବଲ୍‍ ବାଳକ ବର୍ଗରେ କର୍ଣ୍ଣାଟକ, ଉତ୍ତରାଖଣ୍ଡ, ଓଡ଼ିଶା ଏବଂ ବାଳିକାରେ କର୍ଣ୍ଣାଟକ, ଓଡ଼ିଶା ଓ ଗୁଜରାଟ ଯଥାକ୍ରମେ ପ୍ରଥମରୁ ତୃତୀୟରେ ରହିଥିଲେ।

Advertisment

publive-image

ଉଦ୍‍ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତଥି ଭାବେ ଯୋଗ ଦେଇଥିବା ବେଳେ ରାଜ୍ୟ ସ୍କୁଲ୍‍ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଅନୁସୂଚୀତ ଜାତି ଓ ଜନଜାତି କଲ୍ୟାଣ, ସଂଖ୍ୟାଲଘୁ, ପଛୁଆବର୍ଗ କଲ୍ୟାଣ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, କେନ୍ଦ୍ର ସଂସ୍କୃତି ବିଭାଗ ଯୁଗ୍ମ ସଚିବ ସଂଯୁକ୍ତା ମୁଦ୍‍ଗଲ ଏବଂ ରଗ୍‍ବି ଇଣ୍ଡିଆ ସଭାପତି ରାହୁଲ ବୋଷ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡ଼ିଶା ବାଳକ ଓ ବାଳିକା ଦଳକୁ ଟ୍ରଫି ପ୍ରଦାନ କରିବା ସହ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେଲେ, ଓଡ଼ିଶାର ଯେତେ ଖେଳାଳି ଅନ୍ତର୍ଜାତୀୟ ଓ ଜାତୀୟସ୍ତରରେ ଓଡ଼ିଶାକୁ ସୁନାମ ଆଣୁଛନ୍ତି, ସେମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଜନଜାତି ବର୍ଗର। ଜନଜାତି ସମ୍ପ୍ରଦାୟ ପିଲାଙ୍କ ମଧ୍ୟରେ ବହୁ ପ୍ରତିଭା ଅଛନ୍ତି। ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସୁନାମ ଅର୍ଜନ ପାଇଁ ରାଜ୍ୟ ସରକାର ସମସ୍ତ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଇଆସୁଥିବା ଅବଗତ କରାଇଥିଲେ। ସେହିପରି ପ୍ରବଳ ଖରା ଓ ଗରମ ସତ୍ତ୍ୱେ ୫ହଜାର ଖେଳାଳି, କୋଚ ଓ ଅଫିସିଆଲ୍‌ଙ୍କୁ ନେଇ ପ୍ରଥମ ଜନଜାତି ଖେଳ ମହୋତ୍ସବ ଆୟୋଜିତ ହେବା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି। କେନ୍ଦ୍ର ସରକାର, କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଓ ଓଡ଼ିଶା ସରକାରଙ୍କ ସହଯୋଗ ପାଇଁ ଡକ୍ଟର ସାମନ୍ତ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ପୂର୍ବରୁ କିଟ୍‍ ମଧ୍ୟ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ସଫଳତାର ଆୟୋଜନ କରିଥିଲା।