ପ୍ରଥମ ମହିଳା ଟ୍ବେଣ୍ଟି-୨୦: ୱେଷ୍ଟଇଣ୍ଡିଜ୍କୁ ୮୪ ରନ୍ରେ ହରାଇଲା ଭାରତ
ସେଫାଳି ଓ ସ୍ମୃତିଙ୍କ କୀର୍ତ୍ତିମାନ ଭାଗୀଦାରି
ଗ୍ରସ୍ ଆଇଲଟ୍ (ସେଣ୍ଟ୍ ଲୁସିଆ): ଉଦୀୟମାନ ଯୁବ ତାରକା ସେଫାଳି ବର୍ମା ଓ ଅଭିଜ୍ଞ ସ୍ମୃତି ମନ୍ଧାନାଙ୍କ କୀର୍ତ୍ତିମାନଭରା ଭାଗୀଦାରି ବଳରେ ଭାରତୀୟ ମହିଳା କ୍ରିକେଟ ଦଳ ରବିବାର ପ୍ରଥମ ଟ୍ବେଣ୍ଟି-୨୦ ଆନ୍ତଜର୍ଜାତିକ ମ୍ୟାଚ୍ରେ ଘରୋଇ ୱେଷ୍ଟଇଣ୍ଡିଜ୍କୁ ୮୪ ରନ୍ରେ ପରାସ୍ତ କରିଛି। ଏଥି ସହ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଭ୍ରମଣକାରୀ ଭାରତ ୧-୦ର ଅଗ୍ରଣୀ ପାଇଛି। ବିସ୍ଫୋରକ ଅର୍ଧଶତକୀୟ ପାଳି ପାଇଁ ସେଫାଳି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ ପାଇଁ ଭାରତକୁ ଆହ୍ବାନ କରିଥିଲା। ଏହାର ଦୃଢ଼ ଜବାବ ମଧ୍ୟ ପ୍ରାରମ୍ଭିକ ଯୋଡ଼ି ଦେଇଥିଲେ। ସେଫାଳି ଓ ସ୍ମୃତି ପ୍ରଥମ ୱିକେଟ୍ରେ ୧୫.୩ ଓଭରରୁ ୧୪୩ ରନ୍ ଯୋଡ଼ି ଭାରତକୁ ଦୃଢ଼ ସ୍ଥିତି ଦେଇଥିଲେ। ୫ ବଲ୍ ମଧ୍ୟରେ ଉଭୟେ ପାଭିଲିୟନ୍ ଫେରି ଯାଇଥିଲେ। ଆଉଟ୍ ହେବା ପୂର୍ବରୁ ନିଜର ପଞ୍ଚମ ମ୍ୟାଚ୍ ଖେଳୁଥିବା ସେଫାଳି ୭୩ ରନ୍ (୪୯ ବଲ୍, ୬ ଚୌକା, ୪ ଛକା) ଏବଂ ସ୍ମୃତି ୬୭ ରନ୍ (୪୬ ବଲ୍, ୧୧ଚୌକା) କରିନେଇଥିଲେ। ଏଥି ସହିତ ଦୁହେଁ ମଧ୍ୟ ଟ୍ବେଣ୍ଟି-୨୦ରେ କୌଣସି ଵିକେଟ୍ ପାଇଁ ଭାରତ (ମହିଳା) ପକ୍ଷରୁ ସର୍ବାଧିକ ଭାଗୀଦାରି କୀର୍ତ୍ତିମାନ ରଚିଥିଲେ। କୀର୍ତ୍ତିମାନ ଥିରୁଷ କାମିନି ଓ ପୁନମ ରାଉତଙ୍କ (୧୩୦ ରନ୍, ୨୦୧୩ରେ ବାଂଲାଦେଶ ବିପକ୍ଷରେ) ନାମରେ ଥିଲା। ଭାରତ ୪ ୱିକେଟ୍ ବିନିମୟରେ ୧୮୫ ରନ୍ କରିନେଇଥିଲା। ୧୮୫ ରନ୍ ଭାରତର ତୃତୀୟ ସର୍ବାଧିକ ଥିଲାବେଳେ ଏହାମଧ୍ୟ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଯେକୌଣସି ଦଳ ପାଇଁ ସର୍ବାଧିକ ସ୍କୋର୍ ଥିଲା। ଜବାବରେ ବାମହାତୀ ସ୍ପିନର ରାଧା ଯାଦବ (୪-୧-୧୦-୨)ଙ୍କ ଯାଦୁ ସାଙ୍ଗକୁ ପୁନମ୍ ଯାଦବ (୪-୦-୨୪-୨), ଶିଖା ପାଣ୍ଡେ (୪-୦-୨୨-୨), ଦୀପ୍ତି ଶର୍ମା (୩-୧-୧୫-୧) ଏବଂ ପୂଜା ଭସ୍ତ୍ରକାର (୪-୦-୨୧-୧)ଙ୍କ ମାପଚୁପ ବୋଲିଂ ନିକଟରେ ତିଷ୍ଠିନପାରି ୱେଷ୍ଟଇଣ୍ଡିଜ୍ ୯ ୱିକେଟ୍ ବିନିମୟରେ ୧୦୧ ରନ୍ କରିପାରିଥିଲା। ଇଣ୍ଡିଜ୍ ପକ୍ଷରୁ ସେମାନି କ୍ୟାମ୍ପ୍ବେଲ୍ (୩୩), ହାଲେ ମାଥ୍ୟୁସ୍ (୧୩), କିସୋନା ନାଇଟ୍ (୧୨) ଓ କିଙ୍ଗ୍ (୧୩) କେବଳ ଦୁଇ ଅଙ୍କ ଛୁଇଁଥିଲେ।
ସଚିନ୍ଙ୍କ କୀର୍ତ୍ତିମାନ କାଟିଲେ ସେଫାଳି
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ପ୍ରାରମ୍ଭିକ ବ୍ୟାଟର୍ ସେଫାଳି ବର୍ମା ରବିବାର ସେଣ୍ଟ୍ ଲୁସିଆଠାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍ରେ ଅର୍ଧଶତକ ଜମାଇଛନ୍ତି। ଏଥି ସହିତ ୧୫ ବର୍ଷ ବୟସ୍କା ସେଫାଳି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ବହୁ ପୁରୁଣା କୀର୍ତ୍ତିମାନକୁ ଭାଙ୍ଗି ଆନ୍ତର୍ଜାତୀୟ ଅର୍ଧଶତକ ହାସଲ କରିବାରେ ସର୍ବକନିଷ୍ଠ ଭାରତୀୟ ଖେଳାଳି ହୋଇଛନ୍ତି। ୩୦ ବର୍ଷ ତଳେ ୧୬ ବର୍ଷ ଓ ୨୧୪ ଦିନ ବୟସରେ ସଚିନ ପ୍ରଥମ ଆନ୍ତର୍ଜାତିକ ଅର୍ଧଶତକ ହାସଲ କରିଥିଲେ। ରବିବାର ମାତ୍ର ୧୫ ବର୍ଷ ଓ ୨୮୫ ଦିନ ବୟସରେ ସେଫାଳି ଅର୍ଧଶତକ ଜମାଇ ୩୦ ବର୍ଷ ତଳର ପୁରୁଣା କୀର୍ତ୍ତିମାନକୁ ଟପି ଯାଇଛନ୍ତି। ଗତ ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୁରତରେ ଖେଳିଥିବା ନିଜ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ଜୀବନର ଦ୍ବିତୀୟ ମ୍ୟାଚ୍ରେ ସେଫାଳି ୪୬ ରନ୍ କରିଥିଲେ। କିନ୍ତୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ରବିବାର ପ୍ରଥମ ଟ୍ବେଣ୍ଟି-୨୦ରେ ସେ ଅର୍ଧଶତକ (୭୩ ରନ୍) ହାସଲ କରି ନିଜ ନାମରେ ଏକ କୀର୍ତ୍ତିମାନ ଯୋଡ଼ିଛନ୍ତି।