କାଠମାଣ୍ଡୁ: ଟି-୨୦ କ୍ରିକେଟର ଦ୍ରୁତତମ ଶତକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି ନାମିବ୍ୟାର ବ୍ୟାଟ୍ସମ୍ୟାନ ଜାନ ନିକୋଲ ଲୋଫଟି ଇଟନ୍ । ନେପାଳ ବିରୋଧରେ ଖେଳାଯାଉଥିବା ଏକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ସେ ମାତ୍ର ୩୩ଟି ବଲରେ ଶତକ ଅର୍ଜନ କରିଛନ୍ତି । ତେବେ ନିଜର ୧୦୧ ରନର ଇନିଂସରେ ସେ ମୋଟ ୩୬ଟି ବଲ ଖେଳିଥିଲେ । ଏହି ଇନିଂସରେ ସେ ୧୧ ଚୌକା ଓ ୮ ଛକା ମାରିଥିଲେ।

Advertisment

ଇଟନଙ୍କ ଏହି ବିସ୍ଫୋରକ ଶତକୀୟ ଇନିଂସ ବଳରେ  ନାମିବ୍ୟା ଦଳ ନେପାଳ ସମ୍ମୁଖରେ ୪ ୱିକେଟ୍ ହରାଇ ୨୦୬ ରନ୍ କରିଥିଲା। ଏହି ଟାର୍ଗେଟକୁ ପିଛା କରି ଆୟୋଜକ ଦଳ ୧୮୬ ରନ୍ ରେ ଅଲଆଉଟ୍ ହୋଇଯାଇଥିଲା। ଫଳରେ ନାମିବ୍ୟା ୨୦ ରନରେ ବିଜୟ ହାସଲ କରିଥିଲା । ନେପାଳରେ ଖେଳାଯାଉଥିବା ଏହି ତ୍ରିରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ନେଦରଲାଣ୍ଡ ମଧ୍ୟ ଖେଳୁଛି ।

ରୋଚକ କଥା ହେଉଛି ଏପର୍ଯ୍ୟନ୍ତ ଦ୍ରୁତତମ ଟି-୨୦ ଶତକ ନେପାଳ ନାଁରେ ଥିଲା । ନେପାଳର କୁଶଲ ମଲ୍ଲା ୩୪ଟି ବଲରୁ ଶତକ ଅର୍ଜନ କରିଥିଲେ । ଏଣୁ ନେପାଳ ବିରୋଧରେ ଖେଳି ନେପାଳର ରେକର୍ଡ ଭାଙ୍ଗିଛନ୍ତି ଇଟନ୍ । ଅନ୍ୟପକ୍ଷରେ ୩ୟ ଦ୍ରୁତତମ ଟି-୨୦ ଶତକ ଦକ୍ଷିଣ ଆଫ୍ରିକାର ଡେଭିଡ ମିଲର( ୩୫ ବଲ) ଓ ଭାରତର ରୋହିତ ଶର୍ମା (୩୫ ବଲ) ଙ୍କ ନାମରେ ରହିଛି ।