ଦ୍ରୁତତମ ଟେଷ୍ଟ୍‌ ଅର୍ଦ୍ଧଶତକ: କପିଳଙ୍କ ୪୦ ବର୍ଷର କୀର୍ତ୍ତିକୁ ଟପିଲେ ପନ୍ତ୍‌

ବେଙ୍ଗାଲୁରୁ: କିଂବଦନ୍ତି ଅଲରାଉଣ୍ଡର୍‌ କପିଳ ଦେବଙ୍କ ନାମରେ ଥିବା ୪୦ ବର୍ଷ ତଳର ଏକ କୀର୍ତ୍ତିମାନକୁ ଟପି ଯାଇଛନ୍ତି ଯୁବ ୱିକେଟରକ୍ଷକ ବ୍ୟାଟର୍ ଋଷଭ ପନ୍ତ୍‌। ଶ୍ରୀଲଙ୍କା ବିପକ୍ଷ ଚଳିତ ଦ୍ବିତୀୟ ଟେଷ୍ଟର ଦ୍ବିତୀୟ ଦିବସରେ ପନ୍ତ୍‌ ମାତ୍ର ୨୮ ବଲ୍‌ରୁ ୫୦ ରନ୍‌ ପୂର୍ଣ୍ଣ କରିଥିଲେ। ଏଥି ସହ ଦ୍ରୁତତମ ଭାରତୀୟ ଟେଷ୍ଟ୍ ଅର୍ଦ୍ଧଶତକ କୀର୍ତ୍ତିମାନକୁ ନିଜ ନାମରେ କରି ନେଇଥିଲେ। ୧୯୮୨ ମସିହାରେ ପାକିସ୍ତାନ ବିପକ୍ଷ କରାଚୀ ଟେଷ୍ଟରେ କପିଳ ଦେବ ୩୦ ବଲ୍‌ରୁ ଅର୍ଦ୍ଧଶତକ ଜମାଇ ଆଜିଯାଏ ଏହି କୀର୍ତ୍ତିମାନକୁ ନିଜ ନାମରେ ରଖିଥିଲେ। ଗତବର୍ଷ ଇଂଲଣ୍ଡ ବିପକ୍ଷ ଓଭାଲ୍ ଟେଷ୍ଟରେ ଶାର୍ଦୁଳ ଠାକୁର ୩୧ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ପୂର୍ବତନ ଅଧିନାୟକ ବୀରେନ୍ଦ୍ର ସେହବାଗ ମଧ୍ୟ ଚେନ୍ନାଇରେ ଇଂଲଣ୍ଡ ବିପକ୍ଷରେ ଏକ ୩୨ ବଲ୍‌ ଅର୍ଦ୍ଧଶତକ ହାସଲ କରିଥିଲେ। ମୋଟ ଉପରେ କିନ୍ତୁ ପନ୍ତଙ୍କ ଅର୍ଦ୍ଧଶତକ ମିଳିତ ନବମରେ ରହିଛି। ୱିକେଟରକ୍ଷକ ବ୍ୟାଟର୍ ଭାବେ କିନ୍ତୁ ପନ୍ତ୍‌ ଦ୍ରୁତତମ ଅର୍ଦ୍ଧଶତକର ବିଶ୍ବ କୀର୍ତ୍ତିମାନ କରିଛନ୍ତି। ଅଷ୍ଟ୍ରେଲିଆର ଇଆନ୍‌ ସ୍ମିଥ୍ ଏବଂ ଭାରତର ମହେନ୍ଦ୍ର ସିଂହ ଧୋନି ସମାନ ୩୪ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରି ମିଳିତ ଶୀର୍ଷରେ ଥିଲେ।

ରୋହିତଙ୍କ ଛକାରେ ନାକ ଫାଟିଲା
ବେଙ୍ଗାଲୁରୁ ଦିବାରାତ୍ର ଟେଷ୍ଟର ପ୍ରଥମ ଦିନରେ ରୋହିତ ଶର୍ମାଙ୍କ ଏକ ଛକାରେ ଜଣେ ଦର୍ଶକଙ୍କ ନାକ ଫାଟିଯାଇଛି। ଦ୍ରୁତ‌ ବୋଲର ବିଶ୍ବ ଫର୍ଣ୍ଣାଣ୍ଡୋଙ୍କ ବଲ୍‌କୁ ରୋହିତ ଷ୍ଟାଣ୍ଡକୁ ପଠାଇ ଦେଇଥିବା ବେଳେ ଏହା ଡି’ କର୍ପୋରେଟ୍‌ ବକ୍ସରେ ବସିଥିବା ଜଣେ ୨୨ ବର୍ଷୀୟ ଯୁବକଙ୍କ ନାକରେ ବାଜିଥିଲା। ଏକ୍ସ-ରେ କରିବାକୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ନାକ ହାଡ଼ ଭାଙ୍ଗିଥିବା ଡକ୍ଟର୍‌ ଅଜିତ୍‌ ବେନେଡିକ୍ଟ୍‌ ରାୟନ୍ ପ୍ରକାଶ କରିଛନ୍ତି।

୫ ବର୍ଷ ପରେ କୋହଲିଙ୍କ ହାରାହାରି ୫୦ ତଳେ
ବିରାଟ କୋହଲିଙ୍କ ଟେଷ୍ଟ୍‌ ହାରାହାରି ଦୀର୍ଘ ୫ ବର୍ଷ ପରେ ୫୦ ତଳକୁ ଖସିଯାଇଛି। ଚଳିତ ବେଙ୍ଗାଲୁରୁ ଟେଷ୍ଟ୍‌ରେ କୋହଲି ଦୁଇ ପାଳିରୁ ମାତ୍ର ୩୬ ରନ୍‌ (୨୩ ଓ ୧୩) ସଂଗ୍ରହ କରିବା ପରେ ତାଙ୍କ ସଂଘର୍ଷର ଅନ୍ତ ଘଟିପାରିନାହିଁ। ଅନ୍ୟୂନ ୫୦ ହାରାହାରିକୁ ବଜାୟ ରଖିବା ଲାଗି କୋହଲିଙ୍କୁ ଉଭୟ ପାଳିରୁ ୪୨ ରନ୍‌ ସଂଗ୍ରହ କରିବାର ଥିଲା। ୨୦୧୭ ଅଗଷ୍ଟ ମାସ ପରେ କୋହଲିଙ୍କ ଟେଷ୍ଟ୍ ହାରାହାରି ୫୦ ତଳକୁ ଖସିଛି। ଏଠାରେ ନିଜ ୧୦୧ତମ ଟେଷ୍ଟ୍ ଖେଳିବା ପୂର୍ବରୁ କୋହଲିଙ୍କ ସମସ୍ତ ଫର୍ମାଟ୍‌ ହାରାହାରି ୫୦ରୁ ଊର୍ଧ୍ବରେ ଥିଲା। ଚଳିତ ଟେଷ୍ଟର ଉଭୟ ପାଳିରେ କୋହଲି ଏଲ୍‌ବିଡବୁଲ୍ୟ ହେବା ପରେ ସାମାଜିକ ଗଣମାଧ୍ୟମରେ ମଧ୍ୟ ସମାଲୋଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର