ବାପା ଓ ପୁଅ ଜିତିଲେ ରାଜ୍ୟଗୋଷ୍ଠୀ ପଦକ

ନ୍ୟୁଫାଉଣ୍ଡ୍‌ଲାଣ୍ଡ୍‌ (କାନାଡା): ଏଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ଜଣେ ବାପା ଓ ତାଙ୍କ ପୁଅ ପଦକ ଜିତିବାର ବିରଳ ସଫଳତା ଅର୍ଜନ କରିଛନ୍ତି। ୪୮ ବର୍ଷ ବୟସ୍କ ବାପା ଡିଲାନ୍‌ ଡେଭିସ୍‌ ୧୨୦ କେଜିରୁ ଅଧିକ ବର୍ଗରେ ୪ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ବର୍ଗରେ ସେ ୨୮୦ କେଜି ସ୍କ୍ବାଟିଂ, ୧୪୦ କେଜି ବେଞ୍ଚିଂ ଏବଂ ୨୬୦ କେଜି ଡେଡ୍‌ଲିଫ୍‌ଟିଂ କରି ଏହି ପଦକ ଜିତିଥିଲେ। ଅନ୍ୟପକ୍ଷରେ ତାଙ୍କ ୨୩ ବର୍ଷ ବୟସ୍କ ପୁଅ ଜେରେଣ୍ଟ୍‌ ଡେଭିସ୍‌ ୭୪ କେଜିରୁ କମ୍‌ ବର୍ଗରେ ୩ କାଂସ୍ୟ ପଦକ ଜିତି ନେଇଛନ୍ତି। ସେ ୧୯୨.୫ କେଜି ସ୍କ୍ବାଟିଂ, ୧୨୦ କେଜି ବେଞ୍ଚିଂ ଏବଂ ୨୧ କେଜି ଡେଡ୍‌ଲିଫ୍‌ଟିଂ କରି ଏହି ପଦକ ହାସଲ କରିଥିଲେ। ଏହି ବାପ ଓ ପୁଅ ଦୁଇଜଣ ୱେଲ୍‌ସ ପକ୍ଷରୁ ପ୍ରତିନିଧିତ୍ବ କରିଥିବା ୧୮ ଜଣିଆ ଦଳର ସଦସ୍ୟ ରହିଥିଲେ। ଉଭୟ ବାପ ଓ ପୁଅ ରାଜ୍ୟଗୋଷ୍ଠୀ ପଦକ ଜିତିଥିବାରୁ ଖୁବ୍‌ ଖୁସୀ ବୋଲି କହିଛନ୍ତି ଡିଲାନ୍‌। ଚଳିତ ମାସ ୧୪ରୁ ୨୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ପ୍ରତିଯୋଗିତାରେ ୪୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର