ଲଣ୍ଡନ୍: ବିଶ୍ବକପ୍ର ଆଗାମୀ ସଂସ୍କରଣ ୨୦୨୩ ମସିହାରେ ଭାରତରେ ଆୟୋଜିତ ହେବ। ୨୫ ଜଣ ଯୁବ ଖେଳାଳିଙ୍କ ମଧ୍ୟରୁ ଆଗାମୀ ବିଶ୍ବକପ୍ରେ ବଡ଼ ଭୂମିକା ତୁଲାଇବାର ସମ୍ଭାବନା ଥିବା ୧୧ ଜଣଙ୍କୁ ନେଇ ଭବିଷ୍ୟତ ଏକାଦଶ ବଛାଯାଇଛି। ଏଥିରେ ପାକିସ୍ତାନ ଓ ୱେଷ୍ଟ୍ଇଣ୍ଡିଜ୍ରୁ ୩ ଲେଖାଏଁ ଏବଂ ବାଂଲାଦେଶ, ଇଂଲଣ୍ଡ, ଆଫ୍ଗାନିସ୍ତାନ, ଶ୍ରୀଲଙ୍କା ଓ ଭାରତର ଜଣେ ଲେଖାଏଁ ରହିଛନ୍ତି। ଇମାମ-ଉଲ୍-ହକ୍ (ପାକିସ୍ତାନ): ଏହି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ବିଶ୍ବକପ୍ରେ ନିଜକୁ ପ୍ରମାଣିତ କରିସାରିଛନ୍ତି। ସେ ୮ ମ୍ୟାଚ୍ ଖେଳି ୩୦୫ ରନ୍ ସଂଗ୍ରହ କରିଛନ୍ତି। ଅଭିସ୍କା ଫର୍ନାଣ୍ଡୋ (ଶ୍ରୀଲଙ୍କା): ଫର୍ନାଣ୍ଡୋ ଚଳିତ ବିଶ୍ବକପ୍ରେ ୪ ମ୍ୟାଚ୍ ଖେଳି ୨୦୩ ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ଶତକ ଅର୍ଜନ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ବାବର ଆଜମ (ପାକିସ୍ତାନ): ବାବର ଆଜମଙ୍କ ବ୍ୟାଟିଂ ପାଇଁ ପାକିସ୍ତାନର ସେମିଫାଇନାଲ୍ ଖେଳିବା ଅଶା ବଢ଼ିଥିଲା। ଘରୋଇ ପରିବେଶ ଅନୁଭବ ହେଉଥିବା ଭାରତରେ ୨୦୨୩ ବିଶ୍ବକପ୍ ଖେଳାଯିବାକୁ ଥିବାରୁ ସେ ହିଁ ପାକିସ୍ତାନର ନେତୃତ୍ବ ନେବାର ସମ୍ଭାବନା ରହିଛି। ସେ ୮ ମ୍ୟାଚ୍ ଖେଳି ୪୭୪ ରନ୍ କରିଥିଲେ। ସାଇ ହୋପ୍, ୱେଷ୍ଟ୍ଇଣ୍ଡିଜ୍ (ଅଧିନାୟକ, ୱିକେଟ୍ରକ୍ଷକ): ୱେଷ୍ଟ୍ଇଣ୍ଡିଜ୍ର ସେ ହିଁ ଏକମାତ୍ର ବ୍ୟାଟ୍ସମ୍ୟାନ୍ ଯିଏ ୩ ନମ୍ବର ସ୍ଥାନରେ ସ୍ଥିର ତଥା ସଂଗତିପୂର୍ଣ୍ଣ ପ୍ରଦର୍ଶନ ଦେଇଥିଲେ। ତାଙ୍କ ପାଖରେ ମଧ୍ୟ ନେତୃତ୍ବ ନେବାର ଗୁଣ ରହିଛି। ବୋଲରମାନଙ୍କୁ ସେ ୱିକେଟ୍ ପଛରେ ରହି ପଥ ପ୍ରଦର୍ଶନ ଦେଇଥାନ୍ତି। ସେ ୯ ମ୍ୟାଚ୍ରୁ ୨୭୪ ରନ୍ କରିଥିଲେ।
ସିମ୍ରନ ହେଟମେୟର (ୱେଷ୍ଟ୍ଇଣ୍ଡିଜ୍): ସିମ୍ରନଙ୍କ ପାଖରେ ଥିବା ଲୁକ୍କାୟିତ ଗୁଣ ହିଁ ଆଗାମୀ ବିଶ୍ବକପ୍ରେ ୱେଷ୍ଟ୍ଇଣ୍ଡିଜ୍ ପାଇଁ ଗୁରୁତ୍ବ ଭୂମିକା ତୁଲାଇବ। ବିଦାୟୀ ବିଶ୍ବକପ୍ରେ ସେ ୯ ମ୍ୟାଚ୍ରୁ ୨୫୭ ରନ୍ କରିଛନ୍ତି।
ନିକୋଲାସ ପୁରନ (ୱେଷ୍ଟଇଣ୍ଡିଜ୍): ଏହି ବାମହାତୀ ଖେଳାଳି ଦଳ ଉପରେ ଚାପ ଥିଲା ବେଳେ ଅଭିଜ୍ଞ ଖେଳାଳି ଭଳି ପ୍ରଦର୍ଶନ କରିଥାନ୍ତି। ବିଭିନ୍ନ ପରିସ୍ଥିତିରେ ଭଲ କରିଥିବା ପୁରନ ପରବର୍ତୀ ବିଶ୍ବକପ୍ରେ ଦଳ ପାଇଁ ଉପଯୋଗୀ ରହିବେ। ସେ ୯ ମ୍ୟାଚ୍ରୁ ୩୬୭ ରନ୍ କରିଛନ୍ତି।
ଋଷବ ପନ୍ତ (ଭାରତ): ଚଳିତ ବିଶ୍ବକପ୍ରେ ଅଭିଜ୍ଞତା ହାସଲ କରିଛନ୍ତି ଋଷବ ପନ୍ତ୍। ଅଫ୍ସାଇଡ୍ ଗେମ୍ରେ ଅଧିକ ପାରିଦର୍ଶିତା ହାସଲ ପାଇଁ ତାଙ୍କ ପାଖରେ ଆହୁରି ୪ ବର୍ଷ ରହିଛି। ଏଥିରେ ଉନ୍ନତି ଆଣିବାର ଆଶା ରଖିଛନ୍ତି ୪ ବିଶ୍ବକପ୍ ମ୍ୟାଚ୍ ଖେଳି ୧୧୬ ରନ୍ କରିଥିବା ପନ୍ତ।
ମହମ୍ମଦ ସାଇଫୁଦ୍ଦିନ୍ (ବାଂଲାଦେଶ): ସକିବ ଅଲ୍ ହାସନଙ୍କ ବିକଳ୍ପ ଭାବେ ଉଭା ହୋଇଛନ୍ତି ଏହି ଯୁବ ଅଲ୍ରାଉଣ୍ଡର। ସେ ୭ ମ୍ୟାଚ୍ରୁ ୮୭ ରନ୍ କରିବା ସହ ୧୩ ଓ୍ବିକେଟ୍ ଦଖଲ କରିଛନ୍ତି।
ଜୋଫ୍ରା ଆର୍ଚର (ଇଂଲଣ୍ଡ): ବ୍ୟାଟ୍ସମ୍ୟାନ୍ଙ୍କୁ ଉଭୟ ପେସ୍ ଓ ବାଉନ୍ସରେ ଅଡ଼ୁଆରେ ପକାଉଥିବା ଆର୍ଚର ଆଗାମୀ ବିଶ୍ବକପ୍ରେ ଇଂଲଣ୍ଡ ପାଇଁ ପ୍ରମୁଖ ଭୂମିକା ତୁଲାଇବେ। ସେ ୧୧ ମ୍ୟାଚ୍ରୁ ୧୯ ୱିକେଟ୍ ଅକ୍ତିଆର କରିଥିଲେ।
ସାହିନ ଆଫ୍ରିଦି (ପାକିସ୍ତାନ): ୱାସିମ ଆକ୍ରମ ଓ ମହମ୍ମଦ ଆମିରଙ୍କ ଭଳି ଆଫ୍ରିଦି ଉଭୟ ଦ୍ରୁତ ବୋଲିଂ ସାଙ୍ଗକୁ ସ୍ବିଙ୍ଗ୍ କରିବାରେ ମାହିର। ସେ ୫ ମ୍ୟାଚ୍ ଖେଳି ୧୬ ୱିକେଟ୍ ପାଇଥିଲେ।
ରସିଦ ଖାନ୍ (ଆଫ୍ଗାନିସ୍ତାନ): ଏହି ଲେଗ୍ ସ୍ପିନର ପରବର୍ତ୍ତି ବିଶ୍ବକପ୍ରେ ଗୁରୁତ୍ବ ଭୂମିକା ନେବେ। ଏହି ଚାରି ବର୍ଷର ବ୍ୟବଧାନ ମଧ୍ୟରେ ନିଜର ବୋଲିଂକୁ ଆହୁରି ଶାଣିତ କରିନେବାର ଆଶା ରଖିଛନ୍ତି। ସେ ୯ ମ୍ୟାଚ୍ରୁ ୬ ୱିକେଟ୍ ପାଇଥିଲେ।