ସୁରେଶ ସ୍ବାଇଁ

Advertisment

ଭୁବନେଶ୍ବର: ଜାତୀୟ ଓ ଅନ୍ତର୍ଜାତୀୟ ଟେନିସ୍ ଦୃଶ୍ୟପଟ୍ଟରେ ଓଡ଼ିଶା ପଛରେ ପଡ଼ି ରହିଥିଲେ ମଧ୍ୟ ନିକଟରେ ଯେଉଁ କେତେଜଣଙ୍କ ପାଇଁ ଆଶାର କିରଣ ଦେଖା ଦେଇଛି ସେମାନଙ୍କ ମଧ୍ୟରେ ଦେବାଶିଷ ସାହୁଙ୍କ ନାମ ଶୀର୍ଷରେ ରହିଛି। ସମ୍ପ୍ରତି ଜାତୀୟ ମାନ୍ୟତାରେ ନିଜ ୧୬ ବର୍ଷରୁ କମ୍ ବର୍ଗରେ ଦୁଇ ନମ୍ବର ଥିବା ଦେବାଶିଷ ଏବେ ଭାରତୀୟ ଯୁବ ଦଳରେ ସ୍ଥାନ ପକ୍କା କରିଥିବାରୁ ଏଭଳି ଆଶା ମିଳିବା ସ୍ବାଭାବିକ। ରାଜ୍ୟର ଦୁଇ ଉଦୀୟମାନ ଟେନିସ୍ ପ୍ରତିଭା ଦେବାଶିଷ ସାହୁ ଓ ସୋହିନୀ ଏସ୍‌ ମହାନ୍ତି ଏପ୍ରିଲ୍ ମାସରେ ନୂଆଦିଲ୍ଲୀର ଡିଏଲ୍‌ଟିଏ କଂପ୍ଲେକ୍ସରେ ଖେଳାଯିବାକୁ ଥିବା ଏସିଆ ଓସେନିଆ ଯୋଗ୍ୟତା ପର୍ଯ୍ୟାୟ ଲାଗି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଦେବାଶିଷ ୧୬ ବର୍ଷରୁ କମ୍‌ ୪ ଜଣିଆ ଦଳରେ ସ୍ଥାନ ପାଇଥିବା ବେଳେ ସୋହ‌ିନୀ ୧୪ ବ‌ର୍ଷରୁ କମ୍‌ ବାଳିକା ଦଳରେ ସୁଯୋଗ ହାତେଇଛନ୍ତି। ଓଡ଼ିଶା ଟେନିସ୍ ପାଇଁ ଏହା ଅପୂର୍ବ ଉପଲବ୍‌ଧି। ଖୁବ୍ କମ୍‌ ବୟସରେ ଦେବାଶିଷ ଦେଖାଇଥିବା ଆଶାକୁ ନେଇ ରାଜ୍ୟ ସରକାର ଓ ରାଜ୍ୟ ଟେନିସ୍ ସଂଘ ମଧ୍ୟ ଭରସା ରଖିଛି। ଦେବାଶିଷଙ୍କ ନିକଟରେ ଅନ୍ତର୍ଜାତୀୟ ଖେଳାଳି ହେବାର ‌ଢେର କ୍ଷମତା ରହିଛି ବୋଲି ମଧ୍ୟ ଟେନିସ୍‌ ବିଶାରଦମାନେ ବିଶ୍ବାସ କରୁଛନ୍ତି।

ଜିରୋ‌ରୁ ହିରୋ
କ୍ରୀଡ଼ା କ୍ଷେତ୍ରରେ ବିଶେଷ ପରିଚିତି ରଖିନଥିବା ଢେଙ୍କାନାଳ ଗଁଦିଆ ନିକଟସ୍ଥ ଲହଡ଼ା ଗାଁର ଏକ ନିପଟ ମଫସଳ ଗାଁରୁ ଆସି ଦେବାଶିଷ ଏବେ ଜାତୀୟସ୍ତରରେ ବେଶ ସୁନାମ ଅର୍ଜନ କରି ସାରିଛନ୍ତି। ୧୨, ୧୪ ଓ ୧୬ ବର୍ଷରୁ କମ୍‌ ବୟସ ବର୍ଗରେ ଦେବାଶିଷ ଅଦ୍ୟାବଧି ୩୫ ଟ୍ରଫି ଜିତି ସାରିଛନ୍ତି। ଏହା ମଧ୍ୟରେ ୫ଟି ନ୍ୟାସନାଲ୍ ସିରିଜ୍‌ ଟ୍ରଫି ମଧ୍ୟ ରହିଛି। ଅନ୍ୟଗୁଡ଼ିକ ସୁପର୍‌ ସିରିଜ୍‌, ଚାମ୍ପିଅନସିପ୍‌ ସିରିଜ୍‌, ନିଖିଳ ଓଡ଼ିଶା ପ୍ରତିଯୋଗିତା ଏବଂ ଆଇଟା ପ୍ରତିଯୋଗିତା ରହିଛି। ବିଗତ ୪ ବର୍ଷ ଭିତରେ ଦେବାଶିଷଙ୍କ ଉତ୍‌ଥାନ ମଧ୍ୟ ତାଙ୍କୁ ଦେଶର ଆଗଧାଡ଼ିର ଖେଳାଳି ତଥା ଭବିଷ୍ୟତ ଭାବେ ଉଭା କରାଇଛି। ଲହଡ଼ା ଗ୍ରାମର ସେହି ଜିରୋ ପ୍ରତିଭା ଏବେ ଭାରତୀୟ ଟେନିସ୍‌ର ହିରୋ ହେବା ବାଟରେ ଅଗ୍ରସର ହେଉଛନ୍ତି। ଏକ ଘରୋଇ କମ୍ପାନିରେ ମ୍ୟାନେଜର ଭାବେ କାର୍ଯ୍ୟରତ ଲକ୍ଷ୍ମୀକାନ୍ତ ସାହୁ ଏବଂ ଗୃହିଣୀ ଅନୁକମ୍ପା ସାହୁଙ୍କ ଏକମାତ୍ର ସନ୍ତାନ ଦେବାଶିଷ ବାସ୍ତବରେ ପିଲାଦିନେ ମୋବାଇଲ୍ ଖେଳି ସମୟ ଅପଚୟ କରୁଥିବାରୁ ‌ଖେଳା ଖେଳି କରିବାକୁ ପରିବାର ଲୋକ ପ୍ରସ୍ତାବ ଦେଇଥିଲେ। କ୍ରମେ ପିତାଙ୍କ ସହ ହାଇଦ୍ରାବାଦ, ଦିଲ୍ଲୀ, ଚେନ୍ନାଇ, ପତିଆଲା ଆଦି ସହର ଭ୍ରମଣ କରିବା ଅବସରରେ ଟେନିସ୍‌ ପ୍ରେମରେ ପଡ଼ିଯାଇଥିଲେ ଦେବାଶିଷ। ଦେବାଶିଷଙ୍କ ଅଗ୍ରହ ଓ ଦକ୍ଷତାକୁ ଦେଖି ତାଙ୍କ ପିତା ପଟିଆସ୍ଥିତ ଟେନିସ୍ କୋର୍ଟରେ ପ୍ରଶିକ୍ଷକ ଫାରହାନ୍‌ ଅଲୀଙ୍କ ଅଧିନରେ ପ୍ରଶିକ୍ଷଣର ବ୍ୟବସ୍ଥା କରିଥିଲେ। ଏଥି ସହ ସେ କିଟ୍‌ ଇଣ୍ଟରନ୍ୟାସନାଲ୍ ସ୍କୁଲ୍‌ରେ ପଢ଼ି ଖେଳକୁ ଗୁରୁତ୍ବ ଦେବାରେ ମନୋନିବେଶ କରିଥିଲେ।

ଦ୍ରୁତ ଉତ୍‌ଥାନ
ଦେବାଶିଷଙ୍କ ଦ୍ରୁତ ଉତ୍‌ଥାନ କେବଳ ଭାରତୀୟ ଟେନିସ୍‌ ଦୁନିଆକୁ ନୁହେଁ ତାଙ୍କ ଗୁରୁ ଫାରହାନ୍ ଅଲୀଙ୍କୁ ବିଶେଷ ଭାବେ ପ୍ରଭାବିତ କରିଛି। ମାତ୍ର ୧୫ ବର୍ଷ ବୟସରେ ଦେବାଶିଷ ଦେଖାଇଥିବା ଦମ୍‌ ତାଙ୍କୁ ବଡ଼ ଖେଳାଳି କରିବାର ପ୍ରତିଶ୍ରୁତି ରଖିଛି। ରୋଡ୍‌ ଟୁ ୱିମ୍ବଲଡନ୍ ସହିତ ଭାରତୀୟ ଜୁନିୟର୍‌ ଡେଭିସ୍‌ କପ୍‌ ଯୋଜନାରେ ରହିବା କିଛି ବଡ଼ କମ୍‌ କଥା ନୁହେଁ। ୧୬ ବର୍ଷରୁ କମ୍‌ ବର୍ଗରେ ଏବେ ଦେବାଶିଷ ଦେଶର ୨ ନମ୍ବର ଖେଳାଳି ରହିଛି। ଆଇଟିଏଫ୍ ପଏଣ୍ଟ ଅର୍ଜନ କରିଥିବାରୁ ଏବେ ବିଶ୍ବ ମାନ୍ୟତାରେ ବି ସାମିଲ ହୋଇଯିବ। ଦେବାଶିଷଙ୍କ ଭବିଷ୍ୟତ ନିଶ୍ଚିତ ଉଜ୍ବଳ କିନ୍ତୁ ଏଥି ପାଇଁ ତାଙ୍କୁ କଠିନ ପରିଶ୍ରମ କରିବାକୁ ହେବ। ଦକ୍ଷତା ଓ ପ୍ରତିଭା ରହିଛି। ଅଧିକ ପରିଶ୍ରମ ସହିତ ପରିପକ୍ବତା ଆବଶ୍ୟକ ବୋଲି ‘ସମ୍ବାଦ’ ସହ କଥା ହେବାବେଳେ ପ୍ରକାଶ କରିଥିଲେ ଫାରହାନ୍ ଅଲୀ। କୋଭିଡ୍‌ ପାଇଁ ରୋଡ୍‌ ଟୁ ୱିମ୍ବଲଡନ୍ ପ୍ରତିଯୋଗିତା ବାତିଲ ହୋଇନଥିଲେ ଦେବାଶିଷ ଢେର ଉପରକୁ ଯାଇସାରିଥାନ୍ତେ।

ଫେଡେରରଙ୍କ ଭଳି ବଡ଼ ସ୍ବପ୍ନ
ଦୈନିକ ୮ ଘଣ୍ଟା ଭଳି ପରିଶ୍ରମ କରୁଥିବା ଦେବାଶିଷ କିଂବଦନ୍ତି ଖେଳାଳି ରୋଜର ଫେଡେରରଙ୍କୁ କେବଳ ଆଦର୍ଶ ମାନନ୍ତି ନାହିଁ ତାଙ୍କ ଖେଳ, ଚରିତ୍ର, ଆଚରଣକୁ ମଧ୍ୟ ଅନୁସରଣ କରି ଆସୁଛନ୍ତି। ଫେଡେରରଙ୍କ ପ୍ରତିଟି ସଟ୍‌ ମୋତେ ଭଲ ଲାଗେ, ବିଶେଷ କରି ତାଙ୍କ ଭଲି ମୋତେ ଅଧିକ ପ୍ରଭାବିତ କରିଛି। କିନ୍ତୁ ତାଙ୍କ ଆଟିଚ୍ୟୁଡ୍ (ମନୋଭାବ) ମୋତେ ସବୁଠୁ ଭଲ ଲାଗେ। ୨୦ ଗ୍ରାଣ୍ଡ୍ ସ୍ଲାମ ବିଜେତା ‌ହୋଇଥିଲେ ବି ଅତ୍ୟନ୍ତ ଭଦ୍ର, ନମ୍ର ସ୍ବଭାବର ବୋଲି ଦେବାଶିଷ ପ୍ରକାଶ କରିଛନ୍ତି। ବ୍ୟକ୍ତିଗତ ଭାବେ ଏବେ ଏସିଆ ଓସେନିଆ କନିଷ୍ଠ ଡେଭିସ୍ କପ୍‌ ଯୋଗ୍ୟତା ପାଇଁ ଭାରତୀୟ ଦଳରେ ସ୍ଥାନ ପାଇବାକୁ ଦେବାଶିଷ ଶ୍ରେଷ୍ଠ ସଫଳତା କହିଥିଲେ। ଭବିଷ୍ୟତରେ ପେସାଦାର ଟେନିସ୍‌ ଖେଳାଳି ହେବା ସହ ଅଲିମ୍ପିକ୍ସରେ ଭାଗ ନେବା ଏବଂ ସ୍ବର୍ଣ୍ଣ ପଦକ ଜିତିବା ଭଳି ବଡ଼ ସ୍ବପ୍ନ ଦେଖିଛି‌ ବୋଲି ‘ସମ୍ବାଦ’ ସହ କଥା ହେବା‌ବେଳେ କହିଥିଲେ ଦେବାଶିଷ।