ଫେଡେରେସନ୍‌ କପ୍‌: ଭାରତକୁ ପ୍ରଥମ ବିଜୟ

ନୂଆଦିଲ୍ଲୀ: ଏଠାରେ ଚାଲିଥିବା ଫେଡେରେସନ୍‌ କପ୍‌ ଟେନିସ୍‌ ପ୍ରତିଯୋଗିତାରେ ଶେଷରେ ଭାରତକୁ ପ୍ରଥମ ବିଜୟ ମିଳିଯାଇଛି। ଚୀନ୍‌ ଓ କାଜାକସ୍ତାନ ନିକଟରୁ ସମାନ ୧-୨ ଲେଖାଏଁରେ ହାରି ଯାଇଥିବା ଭାରତ ଶୁକ୍ରବାର ତୃତୀୟ ମୁକାବିଲାକୁ ଜିତି ନେଇଛି। ଅଙ୍କିତା ରାଇନା ଓ କର୍ମନ୍‌ କୌର ଥାଣ୍ଡି ନିଜ ନିଜ ଏକକ ମ୍ୟାଚ୍‌ ଜିତିବା ପରେ ପ୍ରାର୍ଥନା ଥୋମ୍ବାରେ-ପ୍ରାଞ୍ଜଳା ୟାଦ୍‌ଲାପାଲ୍ଲୀ ଯୋଡ଼ି ଯୁଗଳ ମୁକାବିଲା ଜିତିନେବାରୁ ଭାରତ ୩-୦ରେ ହଂକଂକୁ ପରାସ୍ତ କରିଦେଇଥିଲା। ପ୍ରତିଯୋଗିତାରେ ଭାରତର ଏହା ପ୍ରଥମ ବିଜୟ। ହଂକଂ ବିପକ୍ଷରେ କର୍ମନ୍‌ କୌର ୬-୩ ଓ ୬-୪ ସେଟ୍‌ରେ ଇଉଡିସ୍‌ ଚୋଙ୍ଗ୍‌ଙ୍କୁ ପରାସ୍ତ କରି ଭାରତକୁ ୧-୦ର ଅଗ୍ରଣୀ ଦେଇଥିଲେ। ଏହାପରେ ଅଙ୍କିତା ନିଜର ବିଜୟ ଧାରା ଜାରି ରଖି ଲିଙ୍ଗ୍‌ ଝାଙ୍ଗ୍‌ଙ୍କୁ ୬-୩ ଓ ୬-୨ ସେଟ୍‌ରେ ପରାସ୍ତ କରିଦେଇଥିଲେ। ଶେଷରେ ପ୍ରାର୍ଥନା-ପ୍ରାଞ୍ଜଳା ଯୋଡ଼ି ଯୁଗଳରେ କ୍ୱାନ୍‌ ୟାଉ ଏନ୍‌ଜି ଓ ଚିଙ୍ଗ୍‌ ହୁ ଓ୍ଵ ଯୋଡ଼ିକୁ ୬-୨, ୬-୪ ସେଟ୍‌ରେ ପରାସ୍ତ କରିଥିଲେ। ଏଥି ସହିତ ଭାରତ ଚଳିତ ୨୦୧୮ରେ ପ୍ରଥମ ବିଜୟ ମଧ୍ୟ ପାଇଲା। ଶେଷଥର ପାଇଁ ୨୦୧୬ ଫେବ୍ରୁଆରିରେ ଥାଇଲାଣ୍ଡ୍‌ରେ କାଜାକସ୍ତାନ ବିପକ୍ଷରେ ଭାରତ ୩-୦ ବିଜୟ ପାଇଥିଲା। ଏହି ବିଜୟ ଯୋଗୁଁ ଭାରତ ପୁଲ୍‌-ଏରେ ତୃତୀୟ ସ୍ଥାନ ପାଇଛି। ଶନିବାର ରେଲିଗେସନ୍‌ ପ୍ଲେ-ଅଫ୍‌ ମୁକାବିଲାରେ ଭାରତ ପୁଲ୍‌-ବିର ଚତୁର୍ଥ ସ୍ଥାନ ପାଇଥିବା ଚାଇନିଜ୍‌ ତାଇପେ ସହ ମୁହାଁମୁହିଁ ହେବ।

ସମ୍ବନ୍ଧିତ ଖବର