ଫେଡେରେସନ୍‌ କପ୍‌ କରାଟେ ଆଜିଠୁ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ପୂର୍ବତଟ ରେଳବାଇ ଇନ୍‌ଡୋର ଷ୍ଟାଡିୟମ୍‌ରେ ଆରମ୍ଭ ହେବ ସର୍ବଭାରତୀୟ ଫେଡେରେସନ୍‌ କପ୍‌ କରାଟେ ପ୍ରତିଯୋଗିତା। ଅନ୍ତଃ ବିଦ୍ୟାଳୟ ଓ ବରିଷ୍ଠ ବର୍ଗରେ କରାଟେକାମାନେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହା ପୂର୍ବରୁ ୧୫ ଥର ଫେଡେରେସନ୍‌ କପ୍‌ କରାଟେ ପ୍ରତିଯୋଗିତା ଆୟୋଜନ ହୋଇସାରିଥିଲା ବେଳେ ପ୍ରଥମ ଥର ଲାଗି ଓଡ଼ିଶାରେ ଏହାର ଷୋଡ଼ଶ ସଂସ୍କରଣ ଆୟୋଜିତ ହେଉଛି। ଏହି ପ୍ରତିଯୋଗିତା ଦୁଇଦିନ ଧରି ଆୟୋଜିତ ହେବ। ଉପକନିଷ୍ଠ, କନିଷ୍ଠ, ବରିଷ୍ଠ ଓ କ୍ୟାଡେଟ୍‌ ବର୍ଗରେ ଉଭୟ ବାଳକ, ବାଳିକା, ପୁରୁଷ ଓ ମହିଳାରେ ଲଢ଼େଇ ଦେଖିବାକୁ ମିଳିବ। ଏହା ଏକ ଆମନ୍ତ୍ରଣୀୟ ପ୍ରତିଯୋଗିତା। ବିଶେଷକରି ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାମାନଙ୍କରେ ଅଂଶଗ୍ରହଣ କରିପାରୁନଥିବା କରାଟେକାମାନଙ୍କ ପାଇଁ ଏହା ଭଲ ମଞ୍ଚ ବୋଲି ଶୁକ୍ରବାର ଉତ୍କଳ କରାଟେ ସ୍କୁଲ୍‌ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସର୍ବଭାରତୀୟ ସେସିଙ୍କାଇ ସିଟୋ-ର୍ୟୁ କରାଟେ ଡୋ ଫେଡେରେସନ୍‌ର ଷ୍ଟାଇଲ୍‌ ମୁଖ୍ୟ ତଥା ପ୍ରତିଯୋଗିତା ନିର୍ଦେଶକ ସିହାନ୍‌ ପ୍ରେମ୍‌ଜିତ୍‌ ସେନ୍‌। ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାମାନଙ୍କରେ କୌଣସି ରାଜ୍ୟର ବଛାବଛା କରାଟେକାଙ୍କୁ ଅଂଶଗ୍ରହଣ କରିବାର ସୁଯୋଗ ମିଳୁଥିଲା ବେଳେ ଆମନ୍ତ୍ରଣୀୟ ପ୍ରତିଯୋଗିତାରେ ଯେକୌଣସି ଆଗ୍ରହୀ ପ୍ରତିଯୋଗୀ ଭାଗ ନେଇପାରିବେ। ଯାହାକି ସେମାନଙ୍କୁ ସଂଖ୍ୟାଧିକ ଜାତୀୟ ଓ ଅନ୍ତର୍ଜାତୀୟ କରାଟେକାଙ୍କ ସହ ଲଢ଼ିବାର ସୁଯୋଗ ମିଳିଥାଏ। ପୁଣି ନିଜର ସାମର୍ଥ୍ୟକୁ ପରଖିବା ଏବଂ ଲଢ଼େଇ ପାଇଁ ମନୋବଳ ଓ ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ଆମନ୍ତ୍ରଣୀୟ ପ୍ରତିଯୋଗିତା ସହାୟକ ହୋଇଥାଏ। ଏପରିକି ଦକ୍ଷ କରାଟେକାଙ୍କ ସହ ଲଢ଼ିବାର ଅଭିଜ୍ଞତା ମଧ୍ୟ ହାସଲ କରିପାରିବେ। ଏହି ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଫେଡେରେସନ୍‌ କପ୍‌ ପ୍ରତିଯୋଗିତା ଇତି ମଧ୍ୟରେ ପଞ୍ଚଦଶ ସଂସ୍କରଣ ଅତିକ୍ରମ କରିଥିଲା ବେଳେ ଏଥର ଷୋଡ଼ଶ ସଂସ୍କରଣ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହେବ। ଏଥିରେ ୧୨ ରାଜ୍ୟରୁ ମୋଟ ୬୫୦ କରାଟେକା ଅଂଶଗ୍ରହଣ କରିବେ। ସେମଧ୍ୟରୁ ଆୟୋଜକ ଓଡ଼ିଶାରୁ ୨୨୦ ପ୍ରତିଯୋଗୀ ଭାଗ ନେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଭାରତୀୟ କରାଟେ ସଂଘର ଉପସଭାପତି ତଥା ଉତ୍କଳ କରାଟେ ସ୍କୁଲ୍‌ ସଂପାଦକ ଡ. ହରିପ୍ରସାଦ ପଟ୍ଟନାୟକ ସୂଚନା ଦେଇଥିଲେ। ଏହିଭଳି ଜାତୀୟ ଆମନ୍ତ୍ରଣୀୟ ପ୍ରତିଯୋଗିତା ଦେଶର ବିଭିନ୍ନ ସ୍ଥାନରେ ଲଗାତାର ଆୟୋଜିତ ହେଲେ କରାଟେକାଙ୍କ ଦକ୍ଷତାରେ ଉନ୍ନତି ଘଟିପାରିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରସ୍ତାବ ବାଢ଼ିଥିଲେ। ସାମ୍ବାଦିକ ସମ୍ମିଳନୀରେ ସିହାନ୍‌ ପ୍ରେମଜିତ୍‌ଙ୍କ ପରମ ଶିଷ୍ୟ ତଥା ଏସୀୟ କରାଟେ ସଂଘର ବିଚାରକ ସେନ୍‌ସାଇ ବାଲ୍‌କ୍ରିଷ୍ଣ ଦମାନି ଉପସ୍ଥିତ ରହି ଭୁବନେଶ୍ୱର ପ୍ରତିଯୋଗିତା ସଂପର୍କରେ ସବିଶେଷ ବିବରଣୀ ଦେଇଥିଲେ।

ଜଗନ୍ନାଥଙ୍କ ଡୋରି ଓଡ଼ିଶା ଟାଣିଆଣିଲା: ପ୍ରେମଜିତ୍‌

ପୂର୍ବରୁ ୧୫ ଥର ପ୍ରତିଯୋଗିତା ବାହାରେ ଆୟୋଜନ ହୋଇଥିଲା ବେଳେ ଏଥର କାହିଁକି ଭୁବନେଶ୍ୱରକୁ ବାଛିଲ ବୋଲି ପ୍ରଶ୍ନ କରିବାରୁ ସିହାନ୍‌ ପ୍ରେମଜିତ୍‌ ଏହାକୁ ମହାପ୍ରଭୂ ଜଗନ୍ନାଥଙ୍କ ଡୋରି ବୋଲି କହିଥିଲେ। ଜଗନ୍ନାଥଙ୍କ ଡୋରି ନଲାଗିଲେ ଯେପରି କେହି ତାଙ୍କ ଦର୍ଶନ ପାଆନ୍ତିନାହିଁ, ଠିକ୍‌ ସେହିପରି ତାଙ୍କ ଡୋରି ଲାଗିନଥିଲେ ଏବଂ କୃପା ମିଳିନଥିଲେ ହୁଏତ ଆମେ ଓଡ଼ିଶାରେ ପ୍ରତିଯୋଗିତା ଆୟୋଜନ କରିପାରିନଥାନ୍ତୁ। ତେଣୁ ପ୍ରଭୂଙ୍କ କୃପାରୁ ହିଁ ଆମେ ଓଡ଼ିଶାକୁ ବାଛିବାକୁ ବାଧ୍ୟ ହୋଇଛୁ ବୋଲି ଜଗନ୍ନାଥଙ୍କ ପ୍ରତି ଅହେତୁକ ଭକ୍ତି ଓ ବିଶ୍ୱାସ ରଖିଥିବା ପ୍ରେମଜିତ୍‌ କହିଥିଲେ। ଜଗନ୍ନାଥଙ୍କ କୃପା ସାଙ୍ଗକୁ ଉତ୍କଳ କରାଟେ ସ୍କୁଲ୍‌ର ସହଯୋଗ ମିଳିନଥିଲେ ଓଡ଼ିଶାରେ ପ୍ରତିଯୋଗିତା କରିବା ସହଜ ହୋଇନଥାନ୍ତା ବୋଲି ସେ କହିଥିଲେ। ପୁଣି ଓଡ଼ିଶାରେ କରାଟେ ଖେଳ ଯଥେଷ୍ଟ ଆଗକୁ ବଢ଼ିସାରିଲାଣି। ଏଥିପାଇଁ ବିଶେଷକରି ଉତ୍କଳ କରାଟେ ସ୍କୁଲ୍‌ ଓ ଏହାର ସଂପାଦକ ଡ. ପଟ୍ଟନାୟକଙ୍କ ପ୍ରୟାସ ପ୍ରଶଂସାର ହକ୍‌ଦାର ବୋଲି ପ୍ରେମଜିତ୍‌ କହିଥିଲେ। ପ୍ରଭୂ ଜଗନ୍ନାଥ ମଧ୍ୟ ଭୁବନେଶ୍ୱରରେ ଆମ ପ୍ରତିଯୋଗିତାକୁ ସଫଳ କରିବେ ବୋଲି ସେ ଗଭୀର ବିଶ୍ୱାସ ପ୍ରକଟ କରିଥିଲେ। ପୂର୍ବରୁ ଆୟୋଜନ ହୋଇ ସାରିଥିବା ୧୫ ସଂସ୍କରଣ ମଧ୍ୟରୁ ଗତବର୍ଷ କୋଲ୍‌କାତାରେ ହୋଇଥିବା ପ୍ରତିଯୋଗିତାରେ ସବୁଠୁ ଅଧିକ ୧୨୧୨ କରାଟେକା ଯୋଗଦେଇଥିଲେ। ଅବଶ୍ୟ ଗତବର୍ଷ ଅଧିକ ରାଜ୍ୟର ଅଂଶଗ୍ରହଣ ରହିଥିଲା। ଏଥର କିନ୍ତୁ ୧୨ ରାଜ୍ୟ ଭାଗ ନେଉଥିଲା ବେଳେ ଜଗନ୍ନାଥଙ୍କ କୃପାରୁ ୬୫୦ କରାଟେକା ଅଂଶ ଗ୍ରହଣ କରୁଛନ୍ତି। ପୁଣି ଭୁବନେଶ୍ୱରରେ ଅଧିକାଂଶ ଜାତୀୟ ଓ ଅନ୍ତର୍ଜାତୀୟ କରାଟେକା ଭାଗ ନେଉଥିବାରୁ ପ୍ରତିଯୋଗିତାର ଆକର୍ଷଣ ବଢ଼ିଯିବ। ଏଥିରୁ ଯୁବ ପ୍ରତିଭାଙ୍କ ପାଇଁ ଅଭିଜ୍ଞତା ସାଉଁଟିବାର ସୁଯୋଗ ରହିବ। ପ୍ରତିଯୋଗିତାରେ ଜାତୀୟ ଓ ଏସୀୟ କରାଟେର ବିଚାରକମଣ୍ଡଳୀ ପ୍ରତିଯୋଗିତା ପରିଚାଳିତ କରିବେ ବୋଲି ବିଶ୍ୱ କରାଟେ ସଂଘର ବିଚାରକ ରହିଥିବା ପ୍ରେମଜିତ୍‌ କହିଛନ୍ତି।

ସମ୍ବନ୍ଧିତ ଖବର