ଭୁବନେଶ୍ବର: ରାଞ୍ଚିରେ ଚାଲିଥିବା ଫେଡେରେସନ୍ କପ୍ ଦୌଡ଼କୁଦର ଦ୍ବିତୀୟ ଦିନରେ ଓଡ଼ିଶାକୁ ୨ ସ୍ବର୍ଣ୍ଣ ସହ ୪ ପଦକ ମିଳିଛି। ୧୦୦ ମିଟରରେ ଶ୍ରାବଣୀ ନନ୍ଦ ଓ ଅମିୟ ମଲ୍ଲିକ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୧୦୦ ମିଟର ଦୌଡ଼ରେ ଶ୍ରାବଣୀ ୧୧.୫୭ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ତାଙ୍କ ପଛକୁ ତାମିଲନାଡୁର ଅର୍ଚ୍ଚନା ସୁଶୀନ୍ଦ୍ରନ୍ (୧୧.୬୬ ସେକେଣ୍ଡ) ଦ୍ବିତୀୟ ଓ କର୍ଣ୍ଣାଟକର ଧନେଶ୍ବରୀ ଏଟି (୧୧.୬୯ ସେକେଣ୍ଡ) ତୃତୀୟ ସ୍ଥାନରେ ରହିଥିଲେ। ସେହିପରି ପୁରୁଷ ୧୦୦ ମିଟରରେ ଅମିୟ ମଲ୍ଲିକ ୧୦.୩୧ ସେକେଣ୍ଡରେ ସ୍ବର୍ଣ୍ଣ ପଦକ ପାଇଥିଲେ। ଏହି ଇଭେଣ୍ଟରେ ତାଙ୍କ ପଛକୁ ତାମିଲନାଡୁର ଇଲାକିଏଦସନ୍ କେ. ୧୦.୩୭ ସେକେଣ୍ଡ ସହ ରୌପ୍ୟ ଏବଂ ଓଡ଼ିଶାର ଡିଏମ୍ ଜୟରାମ ୧୦.୪୦ ସେକେଣ୍ଡ ସହ କାଂସ୍ୟ ପଦକ ପାଇଛନ୍ତି। ଉଚ୍ଚଡିଆଁରେ ଓଡ଼ିଶାର ସ୍ବାଧୀନ କୁମାର ମାଝୀ ୨.୧୧ ମିଟର ସହ କାଂସ୍ୟ ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ମହାରାଷ୍ଟ୍ରର ସର୍ଭେଶ ଅନୀଲ କୁଶରେ (୨.୨୨ ମିଟର) ସ୍ବର୍ଣ୍ଣ ଓ କର୍ଣ୍ଣାଟକର ଜେସି ସନ୍ଦେସ୍ (୨.୧୮ ମିଟର) ରୌପ୍ୟ ପଦକ ପାଇଥିଲେ।
ଜ୍ୟୋତି ଓ ପ୍ରଜ୍ଞାଙ୍କୁ ଏସୀୟ ଯୋଗ୍ୟତା
ଭାରତୀୟ ମହିଳା ସ୍ପ୍ରିଣ୍ଟର ଜ୍ୟୋତି ୟାରାଜି ଫେଡେରେସନ୍ କପ୍ ଦୌଡ଼କୁଦ ପ୍ରତିଯୋଗିତାରେ ନୂଆ ମିଟ୍ ରେକର୍ଡ ସ୍ଥାପନ କରିଛନ୍ତି। ରାଞ୍ଚିରେ ଚାଲିଥିବା ଏହି ପ୍ରତିଯୋଗିତାରେ ମଙ୍ଗଳବାର ମହିଳା ୧୦୦ ମିଟର ବାଧାଦୌଡ଼ ହିଟ୍ସରେ ନିଜର ପୂର୍ବ କୀର୍ତ୍ତିମାନକୁ ସେ ନିଜେ ଭାଙ୍ଗିଛନ୍ତି। ୨୦୨୨ ଫେଡେରେସନ୍ କପ୍ରେ ୧୩.୪୩ ସେକେଣ୍ଡ ତାଙ୍କର ଶ୍ରେଷ୍ଠ ଟାଇମିଂ ଥିଲା ବେଳେ ଏଥର ହିଟ୍ସରେ ୧୩.୧୮ ସେକେଣ୍ଡ ସହ ଏହି କୀର୍ତ୍ତିମାନ କରିଛନ୍ତି। ଏହି ହିଟ୍ସରେ ଜ୍ୟୋତିଙ୍କ ପଛକୁ ଓଡ଼ିଶାର ପ୍ରଜ୍ଞା ପ୍ରଶାନ୍ତ ସାହୁ ୧୩.୬୧ ସେକେଣ୍ଡ ସହ ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଏଥିସହ ଉଭୟ ଏସୀୟ ଚାମ୍ପିଅନ୍ସିପ୍ ଯୋଗ୍ୟତା ମଧ୍ୟ ଅର୍ଜନ କରିଛନ୍ତି। କିନ୍ତୁ ଅନ୍ୟତମ ଓଡ଼ିଆ ସ୍ପ୍ରିଣ୍ଟର ସବିତା ଟୋପ୍ପୋ ଫାଇନାଲ୍କୁ ଯୋଗ୍ୟତା ହାସଲରୁ ବଞ୍ଚିତ ହୋଇଛନ୍ତି। ହିଟ୍ସରେ ୧୪.୨୬ ସେକେଣ୍ଡ ସମୟ ନେଇ ସେ ଚତୁର୍ଥ ସ୍ଥାନରେ ରହିବାରୁ ଫାଇନାଲ୍ରୁ ବାଦ୍ ପଡ଼ିଛନ୍ତି।