ଭୁବନେଶ୍ବର: ରାଞ୍ଚିଠାରେ ଚାଲିଥିବା ଫେଡେରେସନ୍ କପ୍ ଦୌଡ଼କୁଦ ପ୍ରତିଯୋଗିତା ଗୁରୁବାର ଉଦ୍ଯାପିତ ହୋଇଯାଇଛି। ଶେଷ ଦିନରେ ଓଡ଼ିଶାକୁ ଗୋଟିଏ ପଦକ ମିଳିଛି। ଫଳରେ ଏହି ପ୍ରତିଯୋଗିତାରେ ଓଡ଼ିଶା ୨ ସ୍ବର୍ଣ୍ଣ, ୧ ରୌପ୍ୟ ଓ ୩ କାଂସ୍ୟ ସହ ମୋଟ ୬ ପଦକ ପାଇ ଅଭିଯାନ ଶେଷ କରିଛି। ଗୁରୁବାର ହେପ୍ଟାଥଲନ୍ରେ ପୂର୍ଣ୍ଣିମା ହେମ୍ବ୍ରମ ରୌପ୍ୟ ପଦକ ଜିତିଥିଲେ। ସେ ମୋଟ ୫୧୨୮ ପଏଣ୍ଟ ସହ ଏହି ପଦକ ଜିତିଥିଲା ବେଳେ ଆନ୍ଧ୍ରପ୍ରଦେଶର ସୌମ୍ୟା ମୁରୁଗାଉ (୫୧୮୭) ସ୍ବର୍ଣ୍ଣ ଏବଂ ରାଜସ୍ଥାନର ତନୁଶ୍ରୀ (୪୬୫୫) କାଂସ୍ୟ ପଦକ ପାଇଥିଲେ। ତେବେ ମହିଳା ୨୦୦ ମିଟର ଦୌଡ଼ ଫାଇନାଲ୍ରେ ପହଞ୍ଚିଥିବା ମଧୁମିତା ଦେବ (୨୫.୨୨) ସପ୍ତମ ସ୍ଥାନରେ ଅଭିଯାନ ଶେଷ କରିଥିଲେ।
ଏହି ବର୍ଗରେ ଓଡ଼ିଶାରେ ପ୍ରଶିକ୍ଷଣ ନେଉଥିବା ଆନ୍ଧ୍ରପ୍ରଦେଶର ଜ୍ୟୋତି ୟାରାଜି (୨୩.୪୨) ସ୍ବର୍ଣ୍ଣ ଜିତିବା ସହ ଏସୀୟ ଯୋଗ୍ୟତା ଅର୍ଜନ କରିଥିଲେ। ଜାଭଲିନ୍ରେ ଓଡ଼ିଶାର କିଶୋର କୁମାର ଜେନା (୭୬.୧୭ ମିଟର) ଓ ବିକ୍ରାନ୍ତ ମଲ୍ଲିକ (୭୪.୧୯) ଯଥାକ୍ରମେ ଚତୁର୍ଥ ଓ ଷଷ୍ଠ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଥିଲେ।