ଭୁବନେଶ୍ବର : ଭାରତୀୟ ଭଲିବଲ୍ ସଂଘ ଅଧୀନରେ ୩୪ତମ ଫେଡେରସନ୍ କପ୍ ପ୍ରତିଯୋଗିତା ମଙ୍ଗଳବାରଠୁ ଆରମ୍ଭ ହୋଇଛି। ଓଡ଼ିଶା ଭଲିବଲ୍ ସଂଘ ଏବଂ କିଟ୍ ବିଶ୍ବବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାକୁ ଓଡ଼ିଶା କ୍ରୀଡ଼ା ଓ ଯୁବ ସେବା ବିଭାଗ ସହାୟତା ଯୋଗାଉଛି। ଏହି ପ୍ରତିଯୋଗିତା କିଟ୍ର ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମ୍ରେ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଲଗାତାର ୩ ବରିଷ୍ଠ ଜାତୀୟ ପ୍ରତିଯୋଗିତା ଆୟୋଜନ ପରେ ପ୍ରଥମ ଥର ଲାଗି ଓଡ଼ିଶା ସମ୍ମାନଜନକ ଫେଡେରେସନ୍ କପ୍ ଆୟୋଜନ କରୁଛି। ଏହି ପ୍ରତିଯୋଗିତାରେ ୯ ପୁରୁଷ (ହରିଆଣା, ଆସାମ, କେରଳ, ରେଳବାଇ, କର୍ଣ୍ଣାଟକ, ତାମିଲନାଡୁ, ସର୍ଭିସେସ୍, ରାଜସ୍ଥାନ, ଓଡ଼ିଶା) ଏବଂ ୫ ମହିଳା (କେରଳ, ରେଳବାଇ, ପଶ୍ଚିମବଙ୍ଗ, ହିମାଚଳ ପ୍ରଦେଶ, ଓଡ଼ିଶା) ଦଳ ଅଂଶଗ୍ରହଣ କରିଛନ୍ତି। କିଟ୍ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି, ଭାରତୀୟ ଭଲିବଲ୍ ସଂଘର ମହାସଚିବ ଅନିଲ ଚୌଧୁରୀ, ନିୟନ୍ତ୍ରଣ ସମିତି ଅଧ୍ୟକ୍ଷ ମହମ୍ମଦ ବାସିର ଏନ୍, ଭାରତୀୟ ଭଲିବଲ୍ ସଂଘର ସହକାରୀ ଯୁଗ୍ମ ସଂପାଦକ ଡ. ଗଗନେନ୍ଦୁ ଦାଶ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ।
ପ୍ରଥମ ଦିନ ଆୟୋଜକ ଓଡ଼ିଶାକୁ ମିଶ୍ର ଫଳ ମିଳିଛି। ପୁରୁଷରେ ଓଡ଼ିଶା ୩-୦ ସେଟ୍ରେ ଆସାମକୁ ପରାସ୍ତ କରିଥିଲା ବେଳେ ମହିଳାରେ ଓଡ଼ିଶା ୦-୩ ସେଟ୍ରେ ରେଳବାଇ ନିକଟରୁ ପରାସ୍ତ ହୋଇଛି। ଅନ୍ୟ ଏକ ପୁରୁଷ ମୁକାବିଲାରେ ସର୍ଭିସେସ୍ ୩-୧ ସେଟ୍ରେ ରାଜସ୍ଥାନକୁ ପରାସ୍ତ କରିଛି।