ସେମିରେ ଫେଡେରର୍‌-ଚୁଙ୍ଗ, ହାଲେପ୍‌-କର୍ବର୍‌

ମେଲ୍‌ବର୍ନ: ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଟେନିସ୍‌ ପ୍ରତିଯୋଗିତା ‘ଅଷ୍ଟ୍ରେଲିଆନ୍‌ ଓପନ୍‌’ର ପୁରୁଷ ଏକକ ସେମିଫାଇନାଲ୍‌ରେ ପୂର୍ବ ବିଜେତା ତଥା ସ୍ୱିଜରଲାଣ୍ଡ୍‌ ତାରକା ରୋଜର ଫେଡେରର୍‌ ଏବଂ ଅଣ ମାନ୍ୟତା କୋରିଆ ଖେଲାଳି ହୁନ୍‌ ଚୁଙ୍ଗ୍‌ଙ୍କ ମଧ୍ୟରେ ମୁକାବିଲା ହେବ। ବୁଧବାର କ୍ୱାର୍ଟର୍‌ ଫାଇନାଲ୍‌ରେ ଦ୍ୱିତୀୟ ମାନ୍ୟତା ପ୍ରାପ୍ତ ଫେଡେରର୍‌ ୭-୬, ୬-୩, ୬-୪ ସେଟ୍‌ରେ ଊନ୍ନବିଂଶ ମାନ୍ୟତା ତୋମାସ ବର୍ଦିଚ୍‌ଙ୍କୁ ହରାଇ ନବମ ଥର ଲାଗି ସେମିଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିଥିଲେ। ଏଥିସହ ସେ ୪୩ ଥର ଲାଗି ଗ୍ରାଣ୍ଡ୍‌ ସ୍ଲାମ୍‌ ପ୍ରତିଯୋଗିତା ସେମିଫାଇନାଲ୍‌ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିଥିଲେ। ଚେକ୍‌ଗଣରାଜ୍ୟ ତାରକା ବର୍ଦିଚ୍‌ ପ୍ରଥମ ସେଟ୍‌ରେ ୫-୩ରେ ଆଗୁଆ ରହି ୩୬ ବର୍ଷୀୟା ଫେଡେରର୍‌ଙ୍କୁ ଅଡ଼ୁଆରେ ପକାଇଥିଲେ। ହେଲେ ଦମଦାର ପ୍ରତ୍ୟାବର୍ତନ ସହ ଏହାକୁ ୭-୬ରେ ଜିତି ଫେଡେରର ତାଙ୍କ ମନୋବଳ ଭାଙ୍ଗି ଦେଇଥିଲେ। ସେହିଭଳି ପରବର୍ତୀ ଦୁଇ ସେଟକୁ ନିଜ ନାମରେ କରି ୩-୦ ସ୍କୋର ଲାଇନରେ ବିଜୟୀ ହୋଇଥିଲେ। ସେପଟେ ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆନ୍‌ ଓପନର କ୍ୱାର୍ଟର୍‌ ଫାଇନାଲ୍‌ରେ ପହଞ୍ଚିଥିବା ୨୧ ବର୍ଷୀୟ ଚୁଙ୍ଗ୬-୪, ୭-୬, ୬-୩ ସେଟ୍‌ରେ ଆମେରିକାର ତେନିସ୍‌ ସାଣ୍ଡ୍‌ଗ୍ରେନ୍‌ଙ୍କୁ ହରାଇ ପ୍ରଥମ ଥର ଲାଗି ସେମିଫାଇନାଲ୍‌ରେ ପ୍ରବେଶ କରିଥିଲେ। ସାଣ୍ଡ୍‌ଗ୍ରେନ୍‌ ମଧ୍ୟ ପ୍ରଥମ ଥର ଲାଗି ଏଠାରେ କ୍ୱାର୍ଟର୍‌ ଫାଇନାଲ୍‌ ଖେଳିଥିଲେ। ଅନ୍ୟ ପକ୍ଷରେ ମହିଳା ଏକକରେ ଶୀର୍ଷ ମାନ୍ୟତା ହାଲେପ୍‌ ବୁଧବାର କ୍ୱାର୍ଟର୍‌ ଫାଇନାଲ୍‌ରେ ଖରାପ ଆରମ୍ଭ କରିଥିଲେ ମଧ୍ୟ ଷଷ୍ଠ ମାନ୍ୟତା କାରୋଲିନା ପ୍ଲିସ୍‌କୋଭାଙ୍କୁ ହରାଇ ସେମିଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ। ଏହି ରୋମାନିଆ ସୁନ୍ଦରୀ ରୋଡ୍‌ ଲଭର୍‌ ଏରିନାରେ ପ୍ରଥମ ସେଟ୍‌ ଆରମ୍ଭରୁ ୦-୩ରେ ପଛୁଆ ଥିଲେ। ଏହାପରେ ସେ ଚେକ୍‌ ଗଣରାଜ୍ୟ ଲଳନା ପ୍ଲିସ୍‌କୋଭାଙ୍କୁ ୬-୩, ୬-୨ ସେଟ୍‌ରେ ହରାଇ ଲଗାତାର ଭାବେ ନବମ ବିଜୟ ପାଇଥିଲେ। ଏହି ମ୍ୟାଚ୍‌ ଜିତିବାକୁ ସେ ୧ ଘଣ୍ଟା ୧୧ ମିନିଟ୍‌ ସମୟ ନେଇଥିଲେ। ସେମିଫାଇନାଲ୍‌ରେ ହାଲେପ ପୂର୍ବତନ ଶୀର୍ଷ ଖେଳାଳି ଜର୍ମାନିର ଆଞ୍ଜେଲିକ୍‌ କର୍ବର୍‌ଙ୍କୁ ଭେଟିବେ। ୨୧ ମାନ୍ୟତା କର୍ବର କ୍ୱାର୍ଟର୍‌ ଫାଇନାଲ୍‌ରେ ୬-୧, ୬-୨ ସିଧାସଳଖ ସେଟ୍‌ରେ ସପ୍ତଦଶ ମାନ୍ୟତା ଆମେରିକାର ମାଦିସନ୍‌ କିଜ୍‌ଙ୍କୁ ହରାଇ ଦେଇଥିଲେ।

ମିଶ୍ରିତ ଯୁଗଳ ସେମିରେ ବୋପାନ୍ନା-ବାବୋସ

MELBOURNE, AUSTRALIA – JANUARY 21: Timea Babos of Hungary and Rohan Bopanna of India talk tactics in their third round doubles match against Ellen Perez of Australia and Andrew Whittington of Australia on day seven of the 2018 Australian Open at Melbourne Park on January 21, 2018 in Melbourne, Australia. (Photo by Cameron Spencer/Getty Images)

ଏକ ମାତ୍ର ଭାରତୀୟ ଖେଳାଳି ଭାବେ ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ପ୍ରତିଯୋଗିତାରେ ତିଷ୍ଠିି ରହିଥିବା ରୋହନ୍‌ ବୋପାନ୍ନା ମିଶ୍ରିତ ଯୁଗଳର ସେମିଫାଇନାଲ୍‌ରେ ସ୍ଥାନ ପକ୍କା କରିଛନ୍ତି। ହଙ୍ଗେରିର ତିମିଆ ବାବୋସଙ୍କୁ ସାଥୀ କରି ଖେଳୁଥିବା ଏହି ଭାରତୀୟ ତାରକା ୬-୪, ୭-୬ ସିଧାସଳଖ ସେଟ୍‌ରେ ଅଣମାନ୍ୟତା କଲମ୍ବିଆ-ଆମେରିକା ଯୋଡ଼ି ଜୁଆନ୍‌ ସେବାସ୍ତିଆନ୍‌ କାବାଲ୍‌ ଓ ଆବିଗେଲ୍‌ ସ୍ପିୟର୍ସଙ୍କୁ ପରାସ୍ତ କରିଥିଲେ। ପଞ୍ଚମ ମାନ୍ୟତା ଏହି ଭାରତ-ହଙ୍ଗେରି ଯୋଡ଼ି ସେମିଫାଇନାଲ୍‌ରେ ଅଷ୍ଟ୍ରେଲୀୟ ଯୋଡ଼ି ଷ୍ଟ୍ରମ୍‌ ସାଣ୍ଡର୍ସ ଓ ମାର୍କ ପଲ୍‌ମାନ୍ସ ଏବଂ ସ୍ପେନ୍‌-ବ୍ରାଜିଲ୍‌ ଯୋଡ଼ି ମାରିଆ ମାର୍ଟିନ୍‌ଜ୍‌ ସାଞ୍ଚେଜ୍‌ ଓ ମାର୍ସିଲୋ ଡେମୋଲାଇନର୍‌ ବିଜେତାଙ୍କୁ ଭେଟିବେ। ସୂଚନାଯୋଗ୍ୟ, ଏହି ପ୍ରତିଯୋଗିତାର ପୁରୁଷ ଯୁଗଳରେ ଭାଗନେଇଥିବା ଭାରତୀୟ ତାରକା ଲିଆଣ୍ଡର ପେସ୍‌, ପୂରବ ରାଜା, ଦିଭିଜ ସରଣ ଏବଂ ରୋହନ ବୋପାନ୍ନା ନିଜ ନିଜ ମ୍ୟାଚ୍‌ ହାରି ବିଦାୟ ନେଇଥିଲେ।

ସମ୍ବନ୍ଧିତ ଖବର