କରୋନା ମୁକାବିଲା ପାଇଁ ଫେଡେରର୍‌ ଦାନ କଲେ ୮ କୋଟି, ୫୦ ଲକ୍ଷ ଟଙ୍କାର ଚାଉଳ ଦାନ କଲେ ଗାଙ୍ଗୁଲି

ଲୁସାନେ : ୟୁରୋପରେ କରୋନା ମହାମାରୀର ରୂପ ନେଇଥିଲା ବେଳେ ଦିନକୁ ଦିନ ସେଠାରେ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଏଭଳି ସ୍ଥିତିରେ କରୋନା ପୀଡ଼ିତଙ୍କୁ ସହାୟତା ପାଇଁ ଆଗେଇ ଆସିଛନ୍ତି ସ୍ବିଜରଲାଣ୍ଡର ମହାନ ଟେନିସ୍ ଖେଳାଳି ରୋଜର ଫେଡେରର। କରୋନା ନିୟନ୍ତ୍ରଣ ପାଇଁ ସେ ଓ ତାଙ୍କ ପତ୍ନୀ ମିର୍କା ଏକ ନିୟୁତ ସ୍ବିସ୍ ଫ୍ରାଙ୍କ୍‌ ବା ପାଖାପାଖି ୮ କୋଟି ଟଙ୍କା ଦାନ କରିଛନ୍ତି। ଏହି ଅର୍ଥ କରୋନାରେ ସାଂଘା‌ତିକ ଭାବେ ପ୍ରଭାବିତ ହୋଇଥିବା ପରିବାରବର୍ଗ ପାଇଁ ଖର୍ଚ ହେବ ବୋଲି ଫେଡେରର ଓ ମିର୍କା ଟ୍ବିଟ୍ କରି କହିଛନ୍ତି। ‘‘କେହି ପଛରେ ରହିବେନି। ଆହ୍ବାନପୂର୍ଣ୍ଣ ସମୟରେ ସମସ୍ତଙ୍କୁ ସମାନ ସୁବିଧା ମିଳିବା ଉଚିତ। ମିର୍କା ଓ ମୁଁ ବ୍ୟକ୍ତିଗତ ଭାବେ କରୋନା ପୀଡ଼ିତ ପରିବାରଙ୍କୁ ଏକ ନିୟୁତ ସ୍ବିସ୍‌ ଫ୍ରାଙ୍କ ଦାନ କରିବାକୁ ନିଷ୍ପତ୍ତି ନେଇଛୁ। ଏହା ଏକ ଆରମ୍ଭ ମାତ୍ର। ଆମେ ଆଶା କରୁଛୁ ଯେ ଅନ୍ୟମାନେ ମଧ୍ୟ ଏହି ମହତ କାମରେ ଯୋଗଦେବେ। ଏକାଠି ହୋଇ ଆମେ ଏହି ସଙ୍କଟରୁ ବାହାରି ପାରିବା’’ ବୋଲି ଫେଡେରର ଟ୍ବିଟ୍ କରିଛନ୍ତି।

୫୦ ଲକ୍ଷ ଟଙ୍କାର ଚାଉଳ ଦାନ କଲେ ଗାଙ୍ଗୁଲି
କୋଲକାତା : କରୋନା ଗୃହାବଦ୍ଧ ନିର୍ଦେଶ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଗରିବ, ବାସହୀନ ଓ ବସ୍ତି ବା‌ସିନ୍ଦାଙ୍କ ଲାଗି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ୫୦ ଲକ୍ଷ ଟଙ୍କାର ଚାଉଳ ଦାନ କରିଛନ୍ତି। ଗାଙ୍ଗୁଲି ଓ ଲାଲ ବାବା ରାଇସ୍ ମିଲ୍ ନାମକ ଏକ କଂପାନି କରୋନା ଆତଙ୍କ ପରେ ବିଭିନ୍ନ ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ରହୁଥିବା ଲୋକମାନଙ୍କୁ ଏହି ଚାଉଳ ଯୋଗାଇ ଦେବେ। ବେଙ୍ଗଲ କ୍ରିକେଟ୍ ସଂଘ ବୁଧବାର ଏକ ପ୍ରେସ୍ ବିଜ୍ଞପ୍ତିରେ ଏହା ଜଣାଇଛି। ଗାଙ୍ଗୁଲିଙ୍କ ଏହି ପଦକ୍ଷେପ ଦେଶର ଅନ୍ୟ ନାଗରିକମାନଙ୍କୁ ଏଭଳି ପଦକ୍ଷେପ ‌ନେବାକୁ ପ୍ରେରଣା ଯୋଗାଇବ ବୋଲି ସଂଘ ପ୍ରକାଶ କରିଥିବା ପ୍ରେସ୍ ବିଜ୍ଞପ୍ତିରେ କହିଛି। ଗାଙ୍ଗୁଲିଙ୍କ ଏହି ପଦକ୍ଷେପକୁ ତାଙ୍କ ଭାଇ ତଥା ବେଙ୍ଗଲ କ୍ରିକେଟ୍ ସଂଘର ସଂପାଦକ ସ୍ନେହାଶିଷ ଗାଙ୍ଗୁଲି ପ୍ରଶଂସା କରିଛନ୍ତି। କରୋନା ପୀଡ଼ିତଙ୍କ ପାଇଁ ଅର୍ଥଦାନ କରିବାରେ ଗାଙ୍ଗୁଲି ମଧ୍ୟ ଦେଶର ପ୍ରଥମ କ୍ରୀଡ଼ା ତାରକା ହୋଇଛନ୍ତି।

ସମ୍ବନ୍ଧିତ ଖବର