‌ଫେଡେରର୍‌ ବିଦା: ସେମିରେ ଜୋକୋଭିକ-ସାପୋ‌ଭାଲୋଭ, ହୁବର୍ଟ

ଲଣ୍ଡନ: ବିଶ୍ବ ମାନ୍ୟତାର ପୂର୍ବତନ ଶୀର୍ଷ ତାରକା ତଥା ୨୦ ଗ୍ରାଣ୍ଡ୍‌ସ୍ଲାମ୍‌ ବିଜେତା ରୋଜର୍‌ ଫେଡେରର୍‌ ଚଳିତ ୱିମ୍ବଲଡନ୍‌ରୁ ଶୋଚନୀୟ ପରାଜୟ ସହ ବିଦାୟ ନେଇଛନ୍ତି। ବୁଧବାର ପୁରୁଷ ଏକକ କ୍ବାର୍ଟର ଫାଇନାଲ୍‌ରେ ଷଷ୍ଠ ମାନ୍ୟତାପ୍ରାପ୍ତ ଏହି ସ୍ବିଜରଲାଣ୍ଡ୍‌ ତାରକାଙ୍କୁ ସିଧାସଳଖ ସେଟ୍‌ରେ ପରାସ୍ତ କରି ଚତୁର୍ଦଶ ମାନ୍ୟତାପ୍ରାପ୍ତ ପୋଲାଣ୍ଡର ଯୁବ ତାରକା ହୁବର୍ଟ ହୁର୍‌କାଜ ବିଦାୟ ରାସ୍ତ ଦେଖାଇ ଦେଇଛନ୍ତି। ଅଲ୍‌ ଇଂଲଣ୍ଡ କ୍ଲବ୍‌ରେ ବୁଧବାର ରାତିରେ ଖେଳାଯାଇଥିବା ଏହି ମ୍ୟାଚ୍‌ ଏକତରଫା ଭାବେ ଶେଷ ହେବ ବୋଲି କେହି ଆଶା କରିନଥିଲେ। ହେଲେ ହୁବର୍ଟ ଚମତ୍କାର ପ୍ରଦର୍ଶନ ଜରିଆରେ ଅଭିଜ୍ଞ ଫେଡେରର୍‌ଙ୍କୁ ପାଣି ପିଆଇ ଦେଇଥିଲେ। ହୁବର୍ଟ ଲଗାତାର ୬-୩, ୭-୬ ଓ ୬-୦ ସେଟ୍‌ରେ ଫେଡେରର୍‌ଙ୍କୁ ପରାସ୍ତ କରି ଟେନିସ୍‌ପ୍ରେମୀଙ୍କୁ ଚକିତ କରିଦେଇଥିଲେ। ଏପରିକି ୨୦ ଗ୍ରାଣ୍ଡ୍‌ସ୍ଲାମ୍‌ ବିଜେତା ତୃତୀୟ ସେଟ୍‌ରେ ଗୋଟିଏ ବି ଗେମ୍‌ ଜିତିବାରେ ସମର୍ଥ ହୋଇନଥିଲେ। ଏଥି ସହିତ ଆଦୌ ଗ୍ରାଣ୍ଡ୍‌ ସ୍ଲାମ୍‌ ଜିତିନଥିବା ହୁବର୍ଟ ସହଜ ବିଜୟ ସହ ସେମିଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିନେଲେ।

ଏହା ପୂର୍ବରୁ ବିଶ୍ବର ଏକ ନମ୍ବର ଏବଂ ୫ ଥରର ବିଜେତା ନୋଭାକ ଜୋକୋଭିକ ଦଶମ ଥର ଲାଗି ୱିମ୍ବଲଡନ୍‌ ଟେନିସ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ‌ବୁଧବାର ପୁରୁଷ ଏକକ କ୍ବାର୍ଟର ଫାଇନାଲ୍‌ରେ ୧୯ ଗ୍ରାଣ୍ଡ ସ୍ଲାମ୍‌ ବିଜେତା ଏହି ସର୍ବିଆ ତାରକା ସିଧାସଳଖ ୬-୩, ୬-୪, ୬-୪ ସେଟ୍‌ରେ ହଙ୍ଗେରିର ମାର୍ଟ ଫୁକ୍‌‌ସୋଭିକ୍ସଙ୍କୁ ପରାସ୍ତ କରିଥିଲେ। ୧୦୦ତମ ଗ୍ରାସ୍‌ କୋର୍ଟ ବିଜୟ ପାଇଥିବା ୩୪ ବର୍ଷ ବୟସ୍କ ଜୋକୋଭିକ ନିଜର ୪୧ତମ ଗ୍ରାଣ୍ଡ ସ୍ଲାମ୍‌ ସେମିଫାଇନାଲ୍‌ରେ କାନାଡ଼ାର ଡେନିସ ସାପୋଭାଲୋଭଙ୍କୁ ଭେଟିବେ। ବୁଧବାରର ଅନ୍ୟ ଏକ କ୍ବା‌ର୍ଟର ଫାଇନାଲ୍‌ରେ ଦଶମ ମାନ୍ୟତାପ୍ରାପ୍ତ ସାପୋଭାଲୋଭ କଡ଼ା ସଂଘର୍ଷ କରି ୬-୪, ୩-୬, ୫-୭, ୬-୧, ୬-୪ ସେଟ୍‌ରେ ୨୫ ମାନ୍ୟତାପ୍ରାପ୍ତ ରୁଷିଆର କାରେନ ଖାଚା‌ନୋଭଙ୍କୁ ହରାଇ ପ୍ରଥମ ଥର ଲାଗି ଗ୍ରାଣ୍ଡ ସ୍ଲାମ୍‌ ସେମିଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ। ଏଥି ସହିତ କୌଣସି ଗ୍ରାଣ୍ଡ୍‌ ସ୍ଲାମ୍‌ ସେମିଫାଇନାଲ୍‌ ପହଞ୍ଚିବାରେ ସେ ମଧ୍ୟ ଦ୍ବିତୀୟ କାନାଡା ଖେଳାଳି ହୋଇଛନ୍ତି।

ସମ୍ବନ୍ଧିତ ଖବର